• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଞ୍ଜିନିୟରିଂ ଛାତ୍ରଙ୍କ ଦକ୍ଷତା ବିକାଶ ହୋଇପାରୁନି । ଫଳରେ ଡିଗ୍ରୀ ସତ୍ତ୍ୱେ ଚାକିରି ମିଳୁନି । ଆଉ ନିଯୁକ୍ତି ସୁଯୋଗ ନଥିବାରୁ ଇଞ୍ଜିନିୟରିଂ ସିଟ୍ ଖାଲି ପଡୁଛି । ଯାହାଦ୍ୱାରା ପ୍ରଭାବିତ ହେଉଛି ଇଞ୍ଜିନିୟରିଂ କଲେଜ । ଏଥିଲାଗି ଇଞ୍ଜିନିୟରିଂ ସ୍କୁଲ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଧୁନିକ ଶିଳ୍ପ ଉପଯୋଗୀ କୋର୍ସ ପ୍ରଚଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଇଞ୍ଜିନିୟର ହେଉଛନ୍ତି କିନ୍ତୁ ଚାକିରି ମିଳୁନି । ରାଜ୍ୟରେ ଏବେ ଏଭଳି ସ୍ଥିତି । ଧୀରେ ଧୀରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା ବି କମୁଛି । ମହାମାରୀ ସମୟରେ କଲେଜ ଗୁଡିକରେ ଇଞ୍ଜିନିୟରିଂ ସିଟ୍ ଅଧିକ ମାତ୍ରାରେ ଖାଲି ପଡିଛି । ସେହି ତୁଳନାରେ ଚାକିରି ଆଶାୟୀ ଇଞ୍ଜିନିୟରଙ୍କ ସଂଖ୍ୟା ବି ରାଜ୍ୟରେ ବଢିଛି । ନିଯୁକ୍ତି ସୁଯୋଗ ନଥିବାରୁ ଇଞ୍ଜିନିୟରିଂ ପଢିବାକୁ ଆଉ ମନ ବଳାଉନାହାଁନ୍ତି ଛାତ୍ରଛାତ୍ରୀ । କେବଳ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ସିଟ୍ ମିଳିଲେ ପିଲା ଆଡ୍‌ମିଶନ ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ନଚେତ ଆଡମିଶନ୍ ନେଉନାହାଁନ୍ତି । ଉଭୟ ଡିପ୍ଲୋମା ଓ ବି.ଟେକ୍‌ରେ ସମାନ ଅବସ୍ଥା । ପିଲାଙ୍କ ଦାବି ଇଣ୍ଡଷ୍ଟ୍ରି ଲାଗି ଉପଯୁକ୍ତ କୋର୍ସକୁ ନୂତନ ଭାବେ ଲାଗୁ କରାଯାଉ । ଯଦ୍ୱାରା ନିଯୁକ୍ତି ସୁଯୋଗ ମିଳିବ ।

ଖାଲି ଯେ ଛାତ୍ରଛାତ୍ରୀ ଚିନ୍ତିତ ତାହା ନୁହେଁ । ଆଡମିଶନ ହାର ଦ୍ରୁତ ଗତିରେ କମୁଥିବାରୁ ଇଞ୍ଜିନିୟରିଂ କଲେଜ୍‌ଗୁଡିକର ଅବସ୍ଥା ବି ଜଟିଳ । ରାଜ୍ୟରେ ୧୨୧ଟି ଘରୋଇ ପଲିଟେକ୍‌ନିକ୍ ଓ ୩୫ଟି ସରକାରୀ ପଲିଟେକ୍‌ନିକ୍ ସ୍କୁଲ୍ ଅଛି । ପ୍ରାୟ ୪୫ ହଜାର ପିଲା ବର୍ତ୍ତମାନ ପଢୁଛନ୍ତି । ସେହିପରି ପ୍ରାୟ ୮୦ଟି ଇଞ୍ଜିନିୟରିଂ କଲେଜ ରହିଛି । ଯେଉଁଠି ପ୍ରାୟ ୪୦ ହଜାର ସିଟ୍ ରହିଛି । ମାତ୍ର ନିଯୁକ୍ତି ସୁଯୋଗ କମୁଥିବାରୁ ପ୍ରାୟ ୧୦ହଜାର ସିଟ୍ ଖାଲି ପଡୁଛି । ମହାମାରୀ ପାଇଁ କ୍ୟାମ୍ପସ ବି ଆସୁନି । ପିଲା ନିଜସ୍ୱ ଉଦ୍ୟମରେ ଚାକିରି ଖୋଜିବାକୁ ବାଧ୍ୟ ହେଉଛନ୍ତି । ଏଥିଲାଗି ରାଜ୍ୟ ଘରୋଇ ଇଞ୍ଜିନିୟରିଂ ସ୍କୁଲ୍ ସଂଘ ପକ୍ଷରୁ ଏକ ବୈଠକ କରାଯାଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ପିଲାଙ୍କ ଦକ୍ଷତା ବିକାଶ ସହ ନୂଆ ଯୁଗପଯୋଗୀ କୋର୍ସ ପ୍ରସ୍ତୁତ କରିବାକୁ ସଂଘ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ପରାମର୍ଶ ଦେଇଛି ।