• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କେବିଏନ୍‌ ଗ୍ରୁପ୍‌ର ଆଉ ଦୁଇ ଜଣଙ୍କୁ ଗିରଫ କରିବା ସହ ପୋଲିସ ଜଣେ ସଦସ୍ୟଙ୍କ ଘରେ ପଶିଛି । ଅଭିଯୁକ୍ତ ଚେଙ୍ଗ ଓରଫ ରାଜେଶକୁ ନପାଇ ପୋଲିସ ତା ଘରେ ପଶି ଛାନ୍‌ଭିନ୍‌ କରିଛି । ଚେଙ୍ଗ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍‌ଭିନ୍‌ କରିଛି । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍‌) ଗ୍ରୁପ୍‌ର ଜଣେ ସଦସ୍ୟ ହେଉଛି ଚେଙ୍ଗ । ଚେଙ୍ଗ ଘରେ ମାଉଜର ରଖିଥିବା ଖବର ପାଇ ପୋଲିସ ଏଭଳି ଛାନ୍‌ଭିନ୍‌ କରିଛି । ସୋଶାଲ୍‌ ମିଡ଼ିଆରେ ଯେଉଁ ଭିଡିଓ ଭାଇରାଲ୍‌ ହୋଇଥିଲା ସେଥିରେ ଚେଙ୍ଗ ଥିବା କଥା କୁହାଯାଉଛି ।

ଆଜି ‘କୋଇ ‍ଭାଇ ନେହିଁ’ ବା KBN ଗ୍ରୁପ୍‌ର ଆଉ ଦୁଇ ସଦସ୍ୟଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ଭୁବନେଶ୍ୱର ସିଆରପି ଛକ ଆକ୍ରମଣ ଘଟଣାରେ ଏହି ଦୁଇ ସଦସ୍ୟ ସାମିଲ ଥିଲେ । ସୋସିଆଲ ମିଡିଆ ସହ ଗଣମାଧ୍ୟମରେ ଏନେଇ ବାରମ୍ବାର ଖବର ପ୍ରସାରଣ ପରେ କମିଶନରେଟ ପୋଲିସ ପଦକ୍ଷେପ ନେଇଥିଲା । ଭୁବନେଶ୍ୱର ଡିସିପି କହିଛନ୍ତି, ଗ୍ୟାଙ୍ଗର ୨୯ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ହୋଇଛି । ପୂର୍ବରୁ ୫ ଜଣ ଜେଲ୍‌ରେ ଥିବା ବେଳେ ଆଜି ଆଉ ୨ ଜଣ ଗିରଫ ହୋଇଛନ୍ତି । ଅନ୍ୟମାନଙ୍କୁ ଖୋଜି ଧରିବା ପ୍ରକ୍ରିୟା ଜାରି ରହିଛି ଏବଂ ସେମାନଙ୍କ ବିରୋଧରେ ବି କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି । ଏହାସହ ସେହି ଗ୍ରୁପ୍‌ର ଦ୍ୱିତୀୟ ଭିଡିଓ ପୋଲିସ ହାତରେ ଲାଗିଥିବା କହିଛନ୍ତି । ତାକୁ ମଧ୍ୟ ତର୍ଜମା ଚାଲିଛି ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।

ଡିସିପି ଆହୁରି ମଧ୍ୟ କହିଛନ୍ତି, ଯଦି କୌଣସି ବ୍ୟକ୍ତି କେବିଏନ୍‌ ଗ୍ରୁପ୍‌ର ଆକ୍ରମଣରେ ଶିକାର ହୋଇଛନ୍ତି, ତାହାହେଲେ ସେମାନେ ଚାହିଁଲେ ଅଭିଯୋଗ କରିପାରିବେ । ସେମାନଙ୍କ ନାଁ ଗୋପନ ରଖାଯିବ ।

 

ସୂଚନାରୁ ପ୍ରକାଶ କିଛିଦିନ ତଳେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ଯେଉଁ ଭିଡିଓରେ ଦେଖିବାକୁ ମିଳିଥିଲା, କିଛି ଯୁବକ ହାତରେ ବନ୍ଧୁକ ଓ ଖଣ୍ଡା ଧରି ରାଜଧାନୀ ରାସ୍ତା ଉପରେ ଉତ୍ପାତ କରୁଛନ୍ତି । ଧମକ ଚମକ ଦେଉଛନ୍ତି । ସେହି ଭିଡିଓ ଭାଇରାଲ୍‌ ହେବା ପରେ ରାଜଧାନୀରେ ଭୟର ବାତାବରଣ ଖେଳି ଯାଇଥିଲା । ଆଉ ପୋଲିସ ନିଷ୍କ୍ରିୟାତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ପରେ କମିଶନରେଟ୍‌ ପୋଲିସ ତତ୍ପର ହୋଇ ଉଠିଛି ।