• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଠଗଡ: ଏଟିଏମ ଭ୍ୟାନରୁ ଲୁଟ ଘଟଣାର ପର୍ଦ୍ଦାଫାଶ । ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । ଏଥିସହ ଫେରାର ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଗତକାଲି ଲୁଟେରାମାନେ ଆଠଗଡ ନିକଟରୁ ଏଟିଏମ ଭ୍ୟାନରୁ ୧ କୋଟି ୨୯ ଲକ୍ଷ ଲୁଟ୍ କରିଥିଲେ । ସେମାନଙ୍କ ଠାରୁ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି । ବାକି ୨୪ ଲକ୍ଷ ଟଙ୍କା ଖସି ଯାଇଥିବା ଲୁଟେରା ନେଇ ପଳାଇଥିବା ସନ୍ଦେହ କରାଯାଉଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।

ସୂଚନାଯୋଗ୍ୟ, ଗତକାଲି ଲୁଟେରାଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିଥିଲା ପୋଲିସ । ପ୍ରାୟ ୪୦ ମିନିଟରେ ଚେଷ୍ଟା ପରେ ୩ ଜଣଙ୍କୁ କାବୁ ସହ କୋଟିଏରୁ ଅଧିକ ଟଙ୍କା ବି ଉଦ୍ଧାର କରିଥିଲା । କଟକ ଆଠଗଡ଼ରୁ ତିଗିରିଆ ଯାଉଥିବା ଏକ ଏଟିଏମ୍ ଟଙ୍କା ବୋଝେଇ ସିଏମ୍ଏସ୍ ଭ୍ୟାନକୁ ୪ ମୁଖାପିନ୍ଧା ଡକାୟତ ହାଇଜାକ୍ କରି ନେବା ପରେ ଟଙ୍କା ବାକ୍ସ ଧରି ଅନ୍ୟ ଏକ ଗାଡ଼ିରେ ଫେରାର ମାରୁଥିଲେ । ହେଲେ ଖବର ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ଢେଙ୍କାନାଳ ସଦର ଥାନା ପୋଲିସର ଏକ ଟିମ୍ ଲୁଟେରାଙ୍କ ଗାଡ଼ିକୁ ପିଛା କରି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଧରିବା ସହ ଟଙ୍କା, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଉଦ୍ଧାର କରିବାରେ ସଫଳ ହୋଇଥିଲା ।

ଦିନ ପ୍ରାୟ ଗୋଟାଏ ହେବ । ଏକ ଡିଜାୟାର ଗାଡ଼ିରେ ଆସି ଭ୍ୟାନକୁ ଅଟକାଇଥିଲେ ଦୁର୍ବୃତ୍ତ । ସିଏମ୍ଏସ ଭ୍ୟାନର ଡ୍ରାଇଭର, ସିକ୍ୟୁରିଟି ଓ ଅନ୍ୟ ଦୁଇ କର୍ମଚାରୀ କିଛି ବୁଝିବା ପୂର୍ବରୁ ସେମାନଙ୍କ ମୁଣ୍ଡରେ ବନ୍ଧୁକ ଓ ଖଣ୍ଡା ଲଗାଇଥିଲେ ଲୁଟେରା । ଲୁଟେରା ଦଳ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଗୁରୁତର ଆହତ କରି ପରେ ଟଙ୍କା ଭର୍ତ୍ତି ଭ୍ୟାନକୁ ହାଇଜାକ୍ କରିନେଇଥିଲେ ।

ଏହାପରେ ଡକାୟତି ଘଟଣା ନେଇ ତୁରନ୍ତ ଢେଙ୍କାନାଳ ସଦର ପୋଲିସକୁ ଖବର ଦେଇଥିଲେ ଭ୍ୟାନ୍ କର୍ମଚାରୀ । ଖବର ପାଇବା ମାତ୍ରେ ଲୁଟେରାଙ୍କୁ ଧରିବାକୁ ତୁରନ୍ତ ଯୋଜନା ପ୍ରସ୍ତୁତ କରିଥିଲା ଢେଙ୍କାନାଳ ସଦର ଥାନା ପୋଲିସ । ଏପଟେ ଲୁଟେରା ଶପ୍ତଶଯ୍ୟା ନିକଟରେ ସିଏମ୍ଏସ ଭ୍ୟାନକୁ ଛାଡ଼ି ଟଙ୍କା ବାକ୍ସ ସହ ଅନ୍ୟ ଏକ କାରରେ ଫେରାର ମାରିବା ସୂଚନା ପାଇ ସେମାନଙ୍କୁ ପିଛା କରିଥିଲା ପୋଲିସ । ସଦର ଥାନା ଗୁଣ୍ଡିଚାପଡ଼ାରେ କାରର ଟେର ପାଇ ତା ପଛେ ପଛେ ପିଛା କରିଥିଲା ପୋଲିସ ଭ୍ୟାନ । ଗାଁ ଗହଳି ରାସ୍ତାରେ ପ୍ରାୟ ୪୦ ମିନିଟ୍ ଧରି ଲୁଟେରା ଦଳ ଓ ପୋଲିସ ଟିମ୍ ମଧ୍ୟରେ ଚାଲିଥିଲା ଗୋଡ଼ାଗୋଡ଼ି । ତେବେ ଭୋଜଦେଇପୁର ନିକଟରେ ଆଗକୁ ଆଉ ରାସ୍ତା ନପାଇ ଗାଡ଼ି ଛାଡ଼ି ଫେରାର ମାରିବାକୁ ଉଦ୍ୟମ କରିଥିଲେ ୪ ଡକାୟତ । ହେଲେ ସେତେବେଳକୁ ଘଟଣା ପ୍ରଘଟ ହୋଇଥିବାରୁ ଗାଁ ଲୋକଙ୍କ ସହ ମିଶି ୩ ଡକାୟତ ସହ ଟଙ୍କା ବାକ୍ସକୁ ଉଦ୍ଧାର କରିଥିଲା ପୋଲିସ ।