• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସୋସିଆଲ ମିଡିଆରେ କାୟା ବିସ୍ତାର କରୁଛି ଶିଶୁ ଯୌନ ଭିଡିଓ ।

  • ଓଡ଼ିଶାରୁ ବିଦେଶ ଯାଏଁ ଲମ୍ବିଛି ଶିଶୁ ଯୌନ ଭିଡିଓ ନେଟଓ୍ୱର୍କ ।

  • ରାଜ୍ୟର ୩ ସ୍ଥାନ ସମେତ ଦେଶର ୭୬ ସ୍ଥାନରେ ସିବିଆଇ ରେଡ୍ ।

ଭୁବନେଶ୍ୱର: ଶିଶୁଙ୍କ ଯୌନ ଶୋଷଣର ଚିତ୍ରକୁ ନେଇ ବେପାର । ଓଡ଼ିଶାରୁ ବିଦେଶ ଯାଏଁ ଲମ୍ବିଛି ସାଇବର କ୍ରାଇମ୍ ସିଣ୍ଡିକେଟ୍ । ଡଲାରରେ ଆସୁଛି ଟଙ୍କା । ସୋସିଆଲ୍ ମିଡିଆରେ ନିଲାମ୍ ହେଉଛି, କୁନି କୁନି ପିଲାଙ୍କ ଇଜ୍ଜତ । ଅନଲାଇନ୍‌ରେ ଶିଶୁଙ୍କ ଏଭଳି ଯୌନ ଉତ୍ପୀଡ଼ନ ଭଳି ସ୍ପର୍ଶକାତର ମାମଲା ସାମ୍ନାକୁ ଆସିବା ପରେ ଆଜି ଓଡ଼ିଶା ସମେତ ଦେଶବ୍ୟାପି ଛାପା ମାରିଛି ସିବିଆଇ । ମୋଟ୍ ୭୬ଟି ସ୍ଥାନରେ ସିବିଆଇ ଚଢ଼ାଉ କରିବା ସହ ୨୩ଟି ମାମଲା କରି ୮୩ ଜଣଙ୍କୁ ଅଭିଯୁକ୍ତ କରିଛି । ଓଡ଼ିଶାର ଭଦ୍ରକ ଓ ଯାଜପୁରରେ ସିବିଆଇ ଚଢ଼ାଉ କରିଥିବା ବେଳେ ଢେଙ୍କାନାଳରେ ସିବିଆଇ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି ।

ଏବେ କୁହାଯାଉଛି ଶୈଶବ ଅବସ୍ଥାରେ ସୈତାନ ହାବୁଡ଼ରେ କଅଁଳ କଢ଼ି । ଯୌନ ରାକ୍ଷାସଙ୍କ ମାୟାକୁ ବୁଝିବା ଆଗରୁ ସଙ୍କଟରେ ପଡ଼ିଯାଉଛନ୍ତି ଅବୋଧ ଶିଶୁ । କାରଣ ମାତିଛନ୍ତି ଯୌନ ପିପାସୁ । ଛାଇ ଭଳି ଘୁରିବୁଲୁଛନ୍ତି ଭର୍ଚୁଆଲ୍ ମୋଡ୍‌ରେ । ଆଉ ଶିଶୁଙ୍କ ସହ ଭିଆଉଛନ୍ତି ଲୋମଟାଙ୍କୁରା କାଣ୍ଡ । ଯାହାର ରିପୋର୍ଟ ସାମ୍ନାକୁ ଆସିବା ପରେ ଦେଶବ୍ୟାପି ଚଢାଉ କରିଛି ସିବିଆଇ ।

୧୪ଟି ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳରେ ସିବିଆଇ ତଦନ୍ତ କରୁଛି । ଆଉ ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ଠିକଣା ଜାଗାରେ ଚଢ଼ାଉ କରିଛି । ତା’ମଧ୍ୟରେ ରହିଛି ଓଡ଼ିଶାର ୩ଟି ସ୍ଥାନ । ଭଦ୍ରକ, ଯାଜପୁର, ଢେଙ୍କାନାଳ । ଭଦ୍ରକରେ ମନୋରଂଜନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଖୋଳତାଡ଼ କରିଛି ସିବିଆଇ । ଏହା ସହ ଯାଜପୁରରୋଡ ମାସୁଦପୁର ସ୍ଥିତ ଅନୀଲ ମାଝୀଙ୍କ ଘରେ ବି ପହଞ୍ଚିଥିଲା ସିବିଆଇ । କିନ୍ତୁ ଢେଙ୍କାନାଳରେ ଚଢ଼ାଉ ବେଳେ ହଟହଟା ହୋଇଛି ସିବିଆଇ । ସୁରେନ୍ଦ୍ର ନାୟକ ନାମକ ଜଣେ ଅଭିଯୁକ୍ତ ଘରେ ରେଡ୍‌ ବେଳେ ୮ ଅଧିକାରୀଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଦୀର୍ଘ ସମୟ ଧରି ବହୁ ପୁରୁଷ ଓ ମହିଳା ସିବିଆଇ ଅଧିକାରୀଙ୍କୁ ଘେରି ରହିଥିଲେ । ଖବର ପାଇ ଘଟଣା ସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ଉଦ୍ଧାର କରି ସିବିଆଇର ୮ ଅଧିକାରୀ ଓ ଅଭିଯୁକ୍ତକୁ ଟାଉନ ଥାନାରେ ରଖିଥିଲା । 

ସାରାଦେଶରେ ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ ପରେ ଆଜି ଏଭଳି ରେଡ୍ କରିଥିଲା ସିିବିଆଇ । ଓଡ଼ିଶା ସମେତ ଦିଲ୍ଲୀ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ବିହାର, ତାମିଲନାଡ଼ୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ହରିୟାଣା, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ହିମାଚଳପ୍ରଦେଶ ଆଦି ରାଜ୍ୟର ୭୬ଟି ସ୍ଥାନରେ ସିବିଆଇ ସର୍ଚ୍ଚ କରିଛି । କାରଣ ଅଭିଯୁକ୍ତମାନେ ONLY CHILD SEX VIDEOS ନାମକ ଏକ ହ୍ୱାଟସ୍ଆପ୍ ଗ୍ରୁପ କରି ସେଥିରେ ଶିଶୁଙ୍କ ଯୌନ ଶୋଷଣର ଭିଡ଼ିଓ ପୋଷ୍ଟ କରୁଥିଲେ । ତାସହ ବିଭିନ୍ନ ଲିଙ୍କ୍‌କୁ ସେୟାର କରୁଥିଲେ ସୋସିଆଲ୍ ମିଡିଆରେ । ଏ ବାବଦକୁ ମୋଟା ଅଙ୍କର ଡଲାର୍ ବି ପାଉଥିଲେ । ଅନ୍‌ଲାଇନ୍‌ରେ ଶିଶୁଙ୍କ ପ୍ରତି ଯୌନଶୋଷଣ ଏବଂ ଉତ୍ପୀଡ଼ନ ନେଇ ଏଭଳି ସଂଗୀନ ଅପରାଧ ପରେ ଗତ ୧୪ ତାରିଖରେ ମାମଲା ରୁଜୁ କରିଥିଲା ସିବିଆଇ । ଆଉ ଏକକାଳୀନ ଦେଶବ୍ୟାପି କରିଥିଲା ଚଢ଼ାଉ ।

ସୋସିଆଲ ମିଡିଆର ବହୁଳ ପ୍ରସାର ଦ୍ୱାରା ଶିଶୁଙ୍କ ବିରୋଧରେ ବଢୁଛି କି ସାଇବର ଅପରାଧ ? କାରଣ ଏନ୍‌ସିଆର୍‌ବି ରିପୋର୍ଟ-୨୦୨୦ କହୁଛି, ୨୦୧୯ରୁ ୨୦୨୦ ମଧ୍ୟରେ ବର୍ଷକ ଭିତରେ ଦେଶବ୍ୟାପି ଉଦ୍‌ବେଗଜନକ ହାରରେ ବଢ଼ିଛି ଶିଶୁଙ୍କ ବିରୋଧରେ ସାଇବର ଅପରାଧ ମାମଲା । ୨୦୧୯ରୁ ୨୦୨୦ ସୁଦ୍ଧା ବଢ଼ିଛି ୪ ଶହ ପ୍ରତିଶତ ।

ତାମଧ୍ୟରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ରହିଥିବା ବେଳେ ୭୧ଟି ସାଇବର କ୍ରାଇମ ମାମଲା ସହ ଓଡ଼ିଶା ରହିଛି ୫ମ ସ୍ଥାନରେ । ୨୦୧୮ରେ ୫ ହଜାର ୨୧୭, ୨୦୧୯ରେ ୭ ହଜାର ୧୨ ଏବଂ ୨୦୨୦ରେ ୬ ହଜାର ୩୩୦ ଶିଶୁ ଅପରାଧ ମାମଲା ରେକର୍ଡ କରାଯାଇଛି । ସେପଟେ ୨୦୨୦ରେ ୧୨ ଶିଶୁଙ୍କୁ ହତ୍ୟା କରାଯାଇଥିବା ବେଳେ ତା ମଧ୍ୟରୁ ୯ ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏଭଳି ଉଦବେଗଜନକ ସ୍ଥିତି ଏବଂ ସିବିଆଇର ରେଡ୍ ପରେ ବିଭିନ୍ନ ମହଲରେ ଦେଖାଦେଇଛି ଉଦ୍‌ବେଗ ।