• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ।

    ନିରାଶ ହୋଇ ଫେରୁଛନ୍ତି ଲୋକେ ।

    ରାତି ଅନିଦ୍ରା ହୋଇ ଲାଇନ୍‌ରେ ଛିଡ଼ା ହେଉଛନ୍ତି ଲୋକେ ।

ଭୁବନେଶ୍ୱର: କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି । ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି । ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି । କୋଭିଡ୍‌ର ସମସ୍ତ କଟକଣାକୁ ଫୁ’ କରି ସତେ ଯେମିତି ଟିକା ପାଇଁ ଚାଲିଛି ପ୍ରତିଯୋଗିତା ।

ଟିକାକରଣ କେନ୍ଦ୍ରରେ ଖଚାଖଚ ଭିଡ଼ । ଆଧାର ଫଟୋ କପି ଉପରେ ପଥର ଖଣ୍ଡେ ଲେଖାଏଁ ରଖି ଲୋକେ ଲଗାଇଛନ୍ତି ଲମ୍ବା ଲାଇନ୍ । ଟିକା ନମିଳିବା ଆଶଙ୍କାରେ, ଏମିତିକି ରାତି ଅନିଦ୍ରା ହୋଇ ନିଜ ପାଳିକୁ ଅପେକ୍ଷା କରିଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲା ପ୍ରତାପପୁର ନିଶାମଣି ସରକାରୀ ହାଇସ୍କୁଲ୍‌ ଟିକାକରଣ କେନ୍ଦ୍ରରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।

ମାଲକାନଗିରି ଜିଲ୍ଲା ଏମ୍ଭି-୭୯ ଟିକାକରଣ କେନ୍ଦ୍ରରେ ବି ଅସମ୍ଭାଳ ଭିଡ଼ । ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ଗରମ ଭିତରେ ଲୋକେ ଲମ୍ବା ଲାଇନ୍‌ରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ଅପେକ୍ଷା କରୁଛନ୍ତି ନିଜ ପାଳିକୁ । 
ଟିକା ମିଳିଗଲା ତ ଭଲ କଥା, ନହେଲେ ଆଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା ସେମାନଙ୍କର । ଢେଙ୍କାନାଳରେ ବି ସମାନ ଚିତ୍ର । ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ, ହାହାଲ୍ଲା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ଟିକା ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ଅନ୍‌ଲାଇନ୍ ସହ ଅନ୍‌ସାଇଟ୍ ପଂଜୀକରଣ ଦ୍ୱାରା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବା ପରେ ରାଜ୍ୟବ୍ୟାପୀ ଏବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି ।

ରାଜ୍ୟରେ ଏବେ ପ୍ରାୟ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଡୋଜ୍ ମହଜୁଦ ରହିଛି, ଯାହା ଦୁଇ ଦିନ ପାଇଁ ପର୍ଯ୍ୟାପ୍ତ ହେବ । ଏହି ଭିତରେ ନୂଆ ଟିକା ନଆସିଲେ ପୁଣି ଉପୁଜିବ ସମସ୍ୟା । କାରଣ ଜୁଲାଇ ୧୫ରେ ରାଜ୍ୟକୁ ପରବର୍ତ୍ତୀ ପର୍ଯ୍ୟାୟ ଟିକା ମିଳିବା ଆଶା କରାଯାଉଛି । ଫଳରେ ୯ରୁ ୧୫ ତାରିଖ ଭିତରେ ଟିକାକରଣରେ ବାଧା ଉପୁଜିବ ।

ସେପଟେ ଏଯାଏଁ ୧ କୋଟି ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଥିବା ବେଳେ ଚଳିତ ମାସରେ ଦ୍ୱିତୀୟ ଡୋଜ୍ ପାଇଁ ୨୮ ଲକ୍ଷ ୩୧ ହଜାର ଡୋଜ୍‌ର ଆବଶ୍ୟକତା ରହିଛି । ତେବେ ଜୁଲାଇରେ ୨୫ ଲକ୍ଷ ୩୧ ହଜାର ଡୋଜ୍ ପହଞ୍ଚିବ । ଦ୍ୱିତୀୟ ଡୋଜ୍ କୋଟା ସହିତ ଅତିରିକ୍ତ ୧୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ପାଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରି ଚିଠି ଲେଖିଛି । ଅନ୍ୟପକ୍ଷରେ ପର୍ଯ୍ୟାପ୍ତ ପରିମାଣରେ ଟିକା ମିଳିଲେ ୫ ମାସରେ ଟିକାକରଣ ଶେଷ ହୋଇପାରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

କରୋନା ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ଟୀକା ନେବାକୁ ଲୋକେ ଆଗ୍ରହ କରୁଛନ୍ତି ସତ କିନ୍ତୁ ଟୀକାଦାନ କେନ୍ଦ୍ରର ଏମିତି ଦୃଶ୍ୟ ଦେଖିଲେ ପ୍ରଶ୍ନ ଉଠୁଛି, ଏ ସ୍ଥିତି କରୋନାରୁ ରକ୍ଷା କରିବ ନା ରୋଗ ସଂକ୍ରମଣକୁ ନିମନ୍ତ୍ରଣ କରିବ ।