• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କେରଳରେ ତୀବ୍ର ବେଗରେ ମାଡ଼ି ଚାଲିଛି ମହାମାରୀ । ଫଳରେ ସାରା ଦେଶରେ କରୋନାର ତୃତୀୟ ଲହରୀ ଆରମ୍ଭ ନେଇ ସଙ୍କଟ ଘନେଇବାରେ ଲାଗିଛି । ଆଜି କ୍ରମାଗତ ଚତୁର୍ଥ ଦିନ ପାଇଁ ଦେଶରେ ୪୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ତଥ୍ୟ ପ୍ରକାଶ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୦୮୩ ନୂତନ କରୋନା ମାମଲା ଆସିଥିବା ବେଳେ ୪୬୦ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୮୪୦ ସଂକ୍ରମିତ କରୋନାକୁ ମାତ ଦେଇ ଘରକୁ ଫେରିଛନ୍ତି ।

ଗତ ଚାରି ଦିନ ହେଲେ ଦେଶରେ ୪୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗୁରୁବାର ଦିନ ୪୬୧୪୬, ଶୁକ୍ରବାର ଦିନ ୪୪୬୫୮, ଶନିବାର ଦିନ ୪୬୭୫୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ସମଗ୍ର ଦେଶରେ କରୋନା ମାମଲା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି କେରଳ । କେରଳରେ ମଧ୍ୟ କ୍ରମାଗତ ଚତୁର୍ଥ ଦିନ ପାଇଁ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ କେରଳରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୭୭ ହଜାର ୫୭୨କୁ ବୃଦ୍ଧି ପାଇଛି । ତେବେ ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ଘଟି 18.67 ପ୍ରତିଶତ ରହିଛି, ଯାହା ୨୭ ଅଗଷ୍ଟ ରେ ୧୯.୨୨ ପ୍ରତିଶତ ଥିଲା ।

ଭାରତରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା

କରୋନା ମହାମାରୀ ଆରମ୍ଭରୁ ଏବେ ସୁଦ୍ଧା ମୋଟ ୩ କୋଟି ୨୬ ଲକ୍ଷ ୯୫ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ମହାମାରୀ ପାଇଁ ୪ ଲକ୍ଷ ୩୭ ହଜାର ୮୩୦ ଜଣଙ୍କର ଜୀବନ ଯାଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଏପର୍ଯ୍ୟନ୍ତ ୩ କୋଟି ୧୮ ଲକ୍ଷ ୮୮ ହଜାର ଲୋକ କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷରୁ ଅଧିକ, ଯେଉଁମାନେ ଚିକିତ୍ସିତ ହେଉଛନ୍ତି।

କରୋନାର ମୋଟ ମାମଲା - ୩ କୋଟି ୨୬ଲକ୍ଷ ୯୫ହଜାର ୩୦

ସୁସ୍ଥ ହୋଇଛନ୍ତି - ୩ କୋଟି ୧୮ ଲକ୍ଷ ୮୮ ହଜାର ୬୪୨

ମୋଟ ସକ୍ରିୟ ସଂକ୍ରମିତ - ୩ ଲକ୍ଷ ୬୮ ହଜାର ୫୫୮

ମୋଟ ମୃତ୍ୟୁ - ୪ ଲକ୍ଷ ୩୭ ହଜାର ୮୩୦

ଦେଶରେ ମୋଟ ଟିକାକରଣ - ୬୩ କୋଟି ୯ ଲକ୍ଷ ୧୭ ହଜାର ଡୋଜ