• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟରେ କମିଛି ଟେଷ୍ଟିଂ, ବଢ଼ିଛି ସଂକ୍ରମଣ । ଗତ ୧୪ ଦିନ ଭିତରେ କରୋନା ଟେଷ୍ଟ ଓ ବଢ଼ୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ରାଜ୍ୟରେ ଟେଷ୍ଟିଂ କମିବାକୁ ନେଇ ବିରକ୍ତି ପ୍ରକାଶ କରିବା ସହ ଏନେଇ ତାଗିଦ୍ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୬ ନଭେମ୍ବର ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ୧ ହଜାର ୧୬୪ ଟେଷ୍ଟ କରାଯାଉଥିଲା । ତେବେ ଏହି ସଂଖ୍ୟାରେ ଡିସେମ୍ବର ୩ ସୁଦ୍ଧା ଅନେକ ହ୍ରାସ ପାଇଛି । ଗତ ସପ୍ତାହରେ ରାଜ୍ୟରେ ୩ ଲକ୍ଷ ୮୮ ହଜାର ୭୮୮ ଟେଷ୍ଟ ହୋଇଛି । ଖାଲି ସେତିକି ନୁହେଁ ରାଜ୍ୟରେ ବଢ଼ିଛି କରୋନା ସଂକ୍ରମଣ । ଗତ ୧୪ ଦିନରେ ଢେଙ୍କାନାଳ ଜିଲ୍ଲାରେ ବଢ଼ିଛି ୬୬୬ ପ୍ରତିଶତ କରୋନା କେସ୍ ।

 ୨୦ ନଭେମ୍ବରରୁ ୨୬ ନଭେମ୍ବର ମଧ୍ୟରେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୨୭ ନଭେମ୍ବରରୁ ୩ ଡିସେମ୍ବର ମଧ୍ୟରେ ୬୯କୁ ବଢ଼ି ଯାଇଛି । ଖାଲି ସେତିକି ନୁହେଁ ଖୋର୍ଦ୍ଧା ଜିଲ୍ଲାରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ସପ୍ତାହରେ ବଢ଼ିବା ସହ ନୂଆ ୯୦୦ କେସ୍ ସାମ୍ନାକୁ ଆସିଛି । ୩୦ ଜିଲ୍ଲାରୁ ରାଜ୍ୟର ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର ଏହି ୬ ଜିଲ୍ଲାରେ ଆକ୍ରାନ୍ତ ବଢ଼ୁଛି । ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ପ୍ରକଟ କରିଛି ।

ଅନ୍ୟପଟେ ଏବେ ଗୁଜରାଟରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ୍ ଓମିକ୍ରନର ଅନ୍ୟ ଏକ ମାମଲା ଚିହ୍ନଟ ହୋଇଛି । ଗୁଜୁରାଟର ଜାମନଗରରୁ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାମନଗରରୁ ଚିହ୍ନଟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଆସିଥିଲେ । ବିମାନ ବନ୍ଦରରେ ହୋଇଥିବା ଯାଞ୍ଚରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏହା ପରେ ସଂକ୍ରମିତଙ୍କ ନମୁନା ସଂଗ୍ରହ କରି ଜିନୋମ୍ ସ୍ୱିକେନ୍ସିଂ ପାଇଁ ପଠାଯାଇଥିଲା । ବର୍ତ୍ତମାନ ତାଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି, ସେ ଓମିକ୍ରନ୍ ସଂକ୍ରମିତ । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ ଓମିକ୍ରନର ଏହା ତୃତୀୟ ମାମଲା । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଏୟାରପୋର୍ଟରୁ ଓହ୍ଲାଇବା ପରେ ତାଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି । ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସେହିପରି ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।

ଏହା ପୂର୍ବରୁ କର୍ଣ୍ଣାଟକରେ ନୂଆ ଭ୍ୟାରିଏଣ୍ଟର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଥିଲା । ଆକ୍ରାନ୍ତ ୨ ଜଣ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଆଇସୋଲେଟ୍‌ କରି ରଖାଯାଇଛି । ୪୬ ବର୍ଷୀୟ ବ୍ୟକ୍ତି ଜଣେ ଡାକ୍ତର ହୋଇ ଥିବାବେଳେ ସେ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି । ସେ କରୋନା ଟିକା ନେଇ ସାରିଥିଲେ । ସେହିପରି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକୀୟ ନାଗରିକ । ସେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ଭାରତ ଆସିଥିଲେ । ନଭେମ୍ବର ୨୦ରେ ସେ ଭାରତରେ ପହଞ୍ଚିଥିଲେ ଓ ଏହାର ୭ ଦିନ ପରେ ସେ ଏକ ଫ୍ଲାଇଟ୍‌ରେ ଦୁବାଇ ଯାଇଥିଲେ ।