ସୂର୍ଯ୍ୟ-ଚନ୍ଦ୍ରର ସମନ୍ୱୟ ରାମ

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗ ଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‍ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରା’ର ଉଚ୍ଚାରଣରେ ଉଷ୍ମ ବାୟୁ ନିଷ୍କାସନ ହୋଇଥାଏ। ‍ପିଙ୍ଗଳା ନାଡିକୁ ସୂର୍ଯ୍ୟ ନାଡି କୁହାଯାଉଥିବାରୁ ଏହି ଅକ୍ଷରର ସଂପର୍କ ପିଙ୍ଗଳା ନାଡି ସହିତ ରହିଛି। ‘ମ’ ଶବ୍ଦ ଉଚ୍ଚାରଣରେ ଶୀତଳ ବାୟୁ ଶରୀରକୁ ପ୍ରବେଶ କରିଥାଏ। ଇଡା ନାଡି ବା ଚନ୍ଦ୍ର ନାଡି ଶୀତଳତାର ପ୍ରତୀକ ହୋ‍ଇଥିବାରୁ ଏହି ଅକ୍ଷରକୁ ଇଡା ନାଡି ସହ ତୁଳନା କରାଯାଏ। ରାମ ହେଉଛନ୍ତି ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରର ସମ୍ମିଳିତ ଏକ ଗୁଢ ତତ୍ତ୍ୱ। ତେଣୁ ସେ ସୂର୍ଯ୍ୟ ବଂଶରେ ଜନ୍ମ ନେଇ ମଧ୍ୟ ରାମଚନ୍ଦ୍ର ନାମ ଧାରଣ କରିଛନ୍ତି। ଯଦି ଜଣେ ବାରମ୍ବାର ‘ରାମ’ ଶବ୍ଦ ଜପକରେ ତେବେ ତା’ର ପ୍ରାଣାୟାମ କାମଟି ମଧ୍ୟ ହେଇଯାଏ। ସେହିଭଳି ‘ରା’ ହେଉଛି ‘ଆଲୋକ’ ଓ ‘ମ’ ହେଉଛି ‘ଭିତରେ’। ତେଣୁ ଆମ ଭିତରେ ଥିବା ଦିବ୍ୟ ଆଲୋକଟି ହେଉଛି ‘ରାମ’।

ରାମ ହେଉଛି ଏକ ମନ୍ତ୍ର। ଏହି ମନ୍ତ୍ରରେ ରହିଛି ଅପାର ଶକ୍ତି। ଏହି ମନ୍ତ୍ର ନିର୍ଧନକୁ ଧନୀ କରିପାରେ, ଏହି ମନ୍ତ୍ର ରୋଗୀକୁ ନିରୋଗୀ କରିପାରେ, ଏହି ମନ୍ତ୍ର ଦାନବକୁ ମଧ୍ୟ ମହାମାନବରେ ରୂପାନ୍ତର କରିପାରେ। ଏହା ନ ହୋ‍ଇଥିଲେ ଦସ୍ୟୁ ରତ୍ନାକର କ’ଣ ଏହି ନାମ ଜପକରି ମହର୍ଷି ବାଲ୍ମିକୀ ହୋଇପାରିଥାନ୍ତେ। ଅନ୍ୟାନ୍ୟ ଗାୟତ୍ରୀ ମନ୍ତ୍ର ପରି ରାମ ଗାୟତ୍ରୀ ମନ୍ତ୍ର ମଧ୍ୟ ଜୀବନର ରକ୍ଷା କବଚ ସାଜିଥାଏ।

“ଓମ୍ ଦଶରଥାୟ ବିଦ୍‌ମହେ ସିତା ବଲ୍ଲଭାୟ ଧିମହି

ତନ୍ନୋ ରାମଃ ପ୍ରଚୋଦୟାତ୍”

ଏହି ପ୍ରାର୍ଥନା ଦ୍ୱାରା ଜଣେ ବ୍ୟକ୍ତି ନିଜର ସ୍ୱଚ୍ଛ ଚିନ୍ତାଧାରା ଓ ସ୍ୱଚ୍ଛ ବିଚାରର କାମନା କରିଥାଏ।

ଭାରତ ହେଉଛି ଦେବଭୂମି। ଏହି ଭୂମି ଅନେକ ଦେବଦେବୀଙ୍କୁ ଜନ୍ମ ଦେଇଛି। ସମସ୍ତଙ୍କ ମଧ୍ୟରେ ସୁରବୀର, ବିଷ୍ଣୁ ଅବତାରୀ ଶ୍ରୀରାମ ଅନ୍ୟତମ। ରାମଙ୍କୁ ନେ‍ଇ ଅନେକ ପ୍ରଥା, ପରମ୍ପରା ଓ ପର୍ବ-ପର୍ବାଣୀ ଯୋଡି ହୋ‍ଇଯାଇଛି। ସେଥିରୁ ରାମ ନବମୀ ହେଉଛି ଗୋଟିଏ।

ପୌରାଣିକ କଥାବସ୍ତୁ ଅନୁସାରେ ଖ୍ରୀପୂ ୫୧୧୪ରେ ଭଗବାନ ଶ୍ରୀରାମ ଚୈତ୍ରମାସ ଶୁକ୍ଳପ‍‍‍‍କ୍ଷ ନବମୀ ତିଥିରେ ଅଯୋଧ୍ୟାରେ ଦଶରଥ ଓ କୌଶଲ୍ୟାଙ୍କ ପୁତ୍ରଭାବେ ଜନ୍ମ ନେଇଥିଲେ। ଏହି ଦିନକୁ ସ୍ମୃତି କରିବା ନେ‍ଇ ସାରା ଭାରତରେ ରାମ ନବମୀ ଉତ୍ସାହିତ ସହ ପାଳନ କରାଯାଏ। ଏହିଦିନ ପ୍ରତ୍ୟେକ ହିନ୍ଦୁ ଘରେ ହେଉ ବା ରାମ ମନ୍ଦିର ଯା‍ଇ ରାମାୟଣ ପାଠ କରିବା ସହ ପୂଜା, ହୋମ ଆଦି କରିଥାନ୍ତି। ଅନେକ ମହିଳା ଶିଶୁ ରାମଙ୍କ ମୂର୍ତ୍ତିକୁ ସ୍ନାନ କରେଇ, ନୂତନ ବସ୍ତ୍ର ପିନ୍ଧାଇ ଦୋଳାରେ ଝୁଲାନ୍ତି। କିଛି ସ୍ଥାନୀୟ ସଂସ୍ଥା ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରିଥାନ୍ତି। ଏହିଦିନ ମହିଳାମାନେ ବ୍ରତ ରଖି ଉପବାସ ମଧ୍ୟ କରିଥାନ୍ତି।

ଶାସ୍ତ୍ରାନୁସାରେ, ଏହିଦିନ କରାଯାଉଥିବା ପୂଜାବିଧି ଅତ୍ୟନ୍ତ ପବିତ୍ରତା ସହ କରାଯାଏ। ପୂଜାବିଧି ମଧ୍ୟରେ ରହିଛି- କଳସ ସ୍ଥାପନ, ପଞ୍ଚାଙ୍ଗ ସ୍ଥାପନ, ୬୪ ଯୋଗିନି ପୂଜା, ଶେତ୍ରପାଳ ପୂଜା, ସ୍ୱସ୍ତି ବଚନ ଓ ସଂକଳ୍ପ। ଏହା ସହିତ ଗଣେଶ ପୂଜା ଓ ଅଭିଶେକ ରହିଥିବା ବେଳେ ନବଗ୍ରହ ପୂଜା, ରାମ-ସୀତା ପୂଜା, ହୋମ, ଆରତୀ, ପୁଷ୍ପାଞ୍ଜଳି ଆଦି ରହିଛି।

ରାମ ନବମୀ କେବଳ ଭାରତ ନୁହେଁ ବରଂ ବିଦେଶରେ ରହୁଥିବା ହିନ୍ଦୁସମୁଦାୟ ମଧ୍ୟ ମହା ଆନନ୍ଦର ସହିତ ପାଳନ କରିଥାନ୍ତି। ବିଶ୍ୱାସ ରହିଛି ଯେ ଏହିଦିନ ଯେଉଁମାନେ ଉପବାସ ରୁହନ୍ତି ସେମାନଙ୍କ ଉପରେ ଖୁସି ଓ ସୌଭାଗ୍ୟ ବରଷିଯାଏ। ସେମାନଙ୍କ ଧୈର୍ଯ୍ୟର ବିକାଶ ହୋଇଥାଏ। ଏହା ସହିତ ବିଚାର ଶକ୍ତି, ବୁଦ୍ଧି, ଶ୍ରଦ୍ଧା, ଭକ୍ତି ଓ ପବିତ୍ରତାର ମଧ୍ୟ ବିକାଶ ହୋଇଥାଏ।

You might also like