• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau
– ଓମ୍‌ପ୍ରକାଶ ସାହୁ
ଦୁଃଖ ଭିତରେ ହିଁ ସୁଖର ସତ୍ତା ରହିଛି। ଦୁଃଖକୁ ଭୋଗି ପାରିଲେ ହିଁ ସୁଖର ବାଟ ଖୋଲିଯାଏ।
ସର୍ବଶକ୍ତିମାନଙ୍କ ଦ୍ୱାର ଦୂର ହୋଇପାରେ ମାତ୍ର ଦୁଷ୍ପ୍ରାପ୍ୟ ନୁହେଁ। ଆପଣ ଯଦି
ସତ୍‌ପଥରେ ଥିବେ, ଆପଣଙ୍କର କର୍ମ ଯଦି ସତ୍‌ ଥିବ ତେବେ ସେ ଆପଣଙ୍କ ପାଇଁ ନିଶ୍ଚିତ
ଏକ ସୁଯୋଗ ସୃଷ୍ଟି କରିବେ। କିନ୍ତୁ ସେଥିପାଇଁ ଆପଣଙ୍କର ଧୈର୍ଯ୍ୟ ଆଉ ବିଶ୍ୱାସ ଦରକାର ।
ଏଠାରେ ଏକ ସୁନ୍ଦର ଗଳ୍ପ ପଢ଼ନ୍ତୁ ..ଏହା ନିଶ୍ଚୟ ଆପଣଙ୍କୁ ଏକ ସୁଖଦ ଅନୁଭୂତି ଦେବ।
ଖୁବ୍‌ କମ୍‌ ବୟସରୁ ସ୍ୱାମୀଙ୍କୁ ହରାଇଥିଲେ କାଞ୍ଚନଵାଳା। ଈଶ୍ୱର ପୁଅଟିଏ ଦେଇଛନ୍ତି ଯେ ତା’ର କାନ ରୋଗ। ଏପଟେ ବୈଧବ୍ୟର ଯନ୍ତ୍ରଣା ….ସେପଟେ ରୋଗିଣା ଛୁଆ…. 
ଡାକ୍ତର ପାଖକୁ ଯାଇ କିଛି ବି ଫଳ ହେଲା ନାହିଁ। ପାଖରେ ଏତେ ପଇସା ନାହିଁ ବଡ଼ ଡାକ୍ତରଖାନା ଯିବାକୁ। ରୋଗ ବଢ଼ିଲା ସିନା କମିଲା ନାହିଁ। ଭଗବାନଙ୍କୁ ଭରସା କରି ରହିଲେ କାଞ୍ଚନଵାଳା। କିନ୍ତୁ ସ୍ୱାଭିମାନୀ କାଞ୍ଚନଵାଳା ପୁଅ ପାଇଁ କେବେ କାହାକୁ ହାତ ପତେଇଲେ ନାହିଁ। ପୁଅ ମୁହଁରେ ସ୍ୱାମୀଙ୍କର ଛାପକୁ ଦେଖି ସେ କେବଳ ସଂଘର୍ଷ କରୁଥିଲେ ଜୀବନ ସହିତ। ସଧବା ବେଳେ ଯେ ଥିଲା କାଞ୍ଚନଵାଳା, ଆଜି ସେ କାମବାଲୀ କାଞ୍ଚନ।
ପୁଅ ରମେଶ ସବୁବେଳେ ପଛ ବେଞ୍ଚରେ ହିଁ ଏକଲା ବସୁଥିଲା। କାନ ଦୁର୍ଗନ୍ଧ ହୁଏ ବୋଲି ସମସ୍ତେ ତାକୁ ଘୃଣା କରୁଥିଲେ। ସେ ବି ଖନାଟିଏ। ତା’ କଥା ବି ସହଜେ ବୁଝି ହୁଏନି। ସେ ବି କାହା ପାଖକୁ ଯାଏନି।
ପାଠ ବୁଝି ନ ପାରିଲେ ସେ ସାର୍‌ଙ୍କୁ ବି ପଚାରେ ନାହିଁ, କାଳେ ସାର୍ ପାଟି କରିବେ ବୋଲି। ରମେଶର ଖାତା ବି ସାର୍‌ ଦେଖନ୍ତି ନାହିଁ। ରମେଶ ଭୁଲ୍‌ ଲେଖିଲେ ବି ତାହାର, ଠିକ୍‌ ଲେଖିଲେ ବି ତାହାର।
ରମେଶ ସ୍କୁଲ୍‌ ଆସିଲେ ନ ଆସିଲେ ବି କାହାର ଚିନ୍ତା ନାହିଁ। ରମେଶ କାନ୍ଦିଲେ କେତେ ହସିଲେ କେତେ, କାହାର ଯାଆସ୍‌ ନାହିଁ। ଖେଳ ଛୁଟିବେଳେ ରମେଶ ବି ଏକା ଖେଳେ। ତା’ ସାଙ୍ଗରେ କେହି ଖେଳନ୍ତି ନାହିଁ।
ରମେଶ ଛୋଟ ପିଲା ହେଲେ ବି ବୁଝିପାରୁଥିଲା ଯେ ତା’ କାନ ଦୁର୍ଗନ୍ଧ ହେଉଥିବାରୁ ତା’ ସହ କେହି କଥା ହେଉ ନାହାନ୍ତି। ଏକ ପ୍ରକାର ବାସନ୍ଦ ଜୀବନ ବିତାଉଥିଲା ରମେଶ। ବେଳେ ବେଳେ ଆଖିରୁ ଲୁହ ଗଡ଼ାଇ ସ୍କୁଲ୍‌ର ପଛ ବେଞ୍ଚରେ ଶୋଇପଡ଼ୁଥିଲା।
ବିଚରା ରମେଶ ତା’ ବୋଉର ଦୁଃଖ ବୁଝୁ ଥିଲା, ବେଳେ ବେଳେ କାନ ଯନ୍ତ୍ରଣାରେ ଫାଟି ପଡୁଥିଲେ ବି ବୋଉକୁ କହୁ ନଥିଲା। ଅଭିଶପ୍ତ ଶୈଶବର ଯନ୍ତ୍ରଣାରେ ସେ ଛଟପଟ ହେଉଥିଲା, କିନ୍ତୁ କାହାକୁ କହିବ। ସ୍ୱାଭିମାନୀ ବାପା ମା’ଙ୍କ ଛୁଆ ସେ। ପ୍ରତି ମୁହୂର୍ତ୍ତରେ ସେ ଭାଙ୍ଗିପଡ଼ୁଥିଲା, କିନ୍ତୁ ନଉଁ ନ ଥିଲା।
ଦିନକର ଘଟଣା। ଖରା ଛୁଟି ଘୋଷଣା ହୋଇଯାଇଛି। ଶନିବାର ହୋଇଥିବାରୁ ସକାଳୁଆ ସ୍କୁଲ୍‌ ଆଉ ୧୨ଟା ବେଳକୁ ଛୁଟି। ଘଣ୍ଟି ବାଜୁ ବାଜୁ ପିଲାଏ ଯିଏ ଯୁଆଡ଼େ ପାଇଲେ ଦୌଡ଼ାଦୌଡ଼ି ହୋଇ ଚାଲିଗଲେ। ହେଲେ ରମେଶ ଶୋଇପଡ଼ିଛି। ପଛ ବେଞ୍ଚ ଝରକା ପାଖରେ ବସିଥିବାରୁ ହାଲୁକା ହାଲୁକା ପବନରେ ତାକୁ ନିଦ ଲାଗିଯାଇଛି।
ସ୍କୁଲ୍‌ର ପିଅନ ସ୍କୁଲ୍‌ ଘରେ ତାଲା ପକାଇବା ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀ ସରିତା ଦିଦି ସବୁ ରୁମ୍‌ ଆଡ଼େ ଟିକେ ବୁଲି ଆସିଲେ କାଳେ କିଏ ରହିଯାଇଥିବ। ତାଙ୍କ ସନ୍ଦେହ ସତ ହେଲା ଆଉ ପଞ୍ଚମ ଶ୍ରେଣୀ ’ଖ‘ କକ୍ଷ ବୁଲୁ ବୁଲୁ ଆଖି ପଡ଼ିଲା ରମେଶ ଉପରେ। ଦିଦି ଚମକି ପଡ଼ିଲେ। ଖରା ଛୁଟି ମାସେ କାଳ। ସେ ଯଦି କ୍ଲାସ୍‌ ରୁମ୍‌ ବୁଲି ନ ଥା’ନ୍ତେ ତା’ ହେଲେ କ’ଣ ହୋଇଥା’ନ୍ତା ଅବସ୍ଥା।
ପାଖକୁ ଯାଇ କହିଲେ, ‘ଆରେ ବାବା ଉଠ, ସ୍କୁଲ୍‌ ଛୁଟି ହୋଇଗଲାଣି। ରମେଶର ନିଦ ଛଟ୍ କିନି ଭାଙ୍ଗିଗଲା । ଉଠି ହାତ ଯୋଡ଼ି ଦିଦିଙ୍କ ଆଗରେ ସନ୍ତର୍ପଣରେ ଛିଡ଼ା ହୋଇଗଲା। ସେ ଜାଣିଗଲା ଯେ ସ୍କୁଲ୍‌ ଛୁଟି ହୋଇସାରିଲାଣି। ଦିଦିଙ୍କୁ ଦେଖି ରମେଶ ଦେହ ହାତ ଥରିଲା। ଦିଦି ତାକୁ ସ୍କୁଲ୍‌ ଅଫିସଙ୍କୁ ନେଇ ସ୍କୁଲ୍‌ ପିଅନ ମାଧବ ଭାଇକୁ ବହେ ଗାଳିଦେଲେ। ‘ପିଲାଟିର ଅବସ୍ଥା କ’ଣ ହୋଇଥା’ନ୍ତା?’
ମାଧବ ପିଅନ କହିଲା, ‘ଦିଦି ତା’ କାନ ଗନ୍ଧାଏ ବୋଲି କେହି ତାକୁ ଡାକି ନାହାନ୍ତି।’ ଦିଦି ରମେଶଙ୍କୁ ଚାହିଁ କହିଲେ, ‘ସତ ? ରମେଶ କହିଲା, ‘ହଁ ଦିଦି। ସେ ପଚାରିଲେ, ବାପାଙ୍କୁ କହି ଡାକ୍ତରଙ୍କୁ ଦେଖାଉନୁ କାହିଁକି?
ରମେଶ ଖନେଇ ଖନେଇ କହିଲା ‘ବାପା ନାହାନ୍ତି, ବୋଉ ପାଖରେ ପଇସା ନାହିଁ ଡାକ୍ତରଙ୍କୁ ଦେଖାଇବାକୁ, ବୋଉ କେବଳ ଖାଇବାକୁ ଦିଏ, ବୋଉ ସରପଂଚ ଘରେ ବାସନ ମାଜେ… ସେଠୁ ଭାତ ଆଣି ଆସିଲେ ଆମେ ଖାଉ… ।
ଏତିକି ଶୁଣିବା ବେଳକୁ ତାଙ୍କ ମାତୃ ହୃଦୟଟି କାହିଁକି ଭିତରୁ ଭିତରୁ କାନ୍ଦି ଉଠିଲା।
ବାପଛେଉଣ୍ଡ ପିଲାଟିକୁ ବାପା କଥା ପଚାରିଦେଇ ଯେମିତି ସେ ଅପରାଧ କରିବସିଲେ ବୋଲି ଅନୁଭବ କଲେ। ତାଙ୍କ ଆଖି ଲୁହ ଛଳ ଛଳ ହୋଇ ଆସିଲା। ଦିଦି ଆଉ ଯେମିତି କିଛି ଶୁଣିବା ଅବସ୍ଥାରେ ନ ଥିଲେ। ପିଅନକୁ କହିଲେ, ମାଧବ ଭାଇ ମୁଁ ଏ ପିଲାକୁ ଆମ ଘରକୁ ନେଇଯାଉଛି। ତୁମେ ତାଙ୍କ ମା’ଙ୍କୁ ଆଣି ଆମ ଘରେ ଛାଡ଼ିଦେବ। ମାଧବ ଭାଇ ଦିଦିଙ୍କ କଥାମାନି ସେୟା କରିବାକୁ ସ୍କୁଲ୍‌ରୁ ଗୋଡ଼ କାଢ଼ିବା ବେଳକୁ କାଞ୍ଚନଵାଳା ଆସି ପହଞ୍ଚିଗଲେ ସ୍କୁ଼ଲ୍‌ରେ।
‘ସବୁ ପିଲା ଗଲେଣି ମୋ ରୋଗିଣା ଧନମାଳି କୁଆଡ଼େ ଗଲା’ କହି ଭୋ ଭୋ କାନ୍ଦି ଉଠିଲେ କାଞ୍ଚନଵାଳା। କାନ୍ଦ ଶୁଣି ଦିଦି ସ୍କୁଲ୍‌ ଅଫିସରୁ ରମେଶକୁ ଧରି ବାହାରକୁ ଆସିଲେ।
ଦିଦିଙ୍କୁ ଦେଖୁ ଦେଖୁ କାଞ୍ଚନଵାଳା ଭାବିଲେ ଯେ ପୁଅ ବୋଧହୁଏ କିଛି ଭୁଲ୍‌ କରିଛି ସେଥିପାଇଁ ସ୍କୁଲ୍‌ରେ ଅଟକ ଅଛି। ସିଧା ଦିଦିଙ୍କ ପାଦତଳେ ପଡ଼ିଗଲେ ଆଉ ଗୋଡ଼ ଧରି ପୁଅ ପାଇଁ ଭୁଲ୍ ବି ମାଗିଲେ।
ଦିଦି କହିଲେ, ‘ସେ କିଛି ଭୁଲ କରିନି…. ପିଲାଟି ଶୋଇ ପଡ଼ିଥିଲା। ଆଉ କହିଲେ, ‘ଜଣେ ଭଲ ଡାକ୍ତର ଅଛନ୍ତି.. ତାଙ୍କ ପାଖକୁ ଗଲେ ପିଲାଟି ଭଲ ହେଇଯିବ.. ଚାଲ ସଙ୍ଗେ ସଙ୍ଗେ ଯିବା. .. ପଇସା ପାଇଁ ବ୍ୟସ୍ତ ହୁଅନି ….ମୋ ସାଙ୍ଗରେ ଚାଲ। ଚାଲିଲେ ତିନିହେଁ। ଡାକ୍ତର କହିଲେ,‘ ଠିକ ସମୟରେ ଆସିଛନ୍ତି,ନ ହେଲେ ପିଲାର ଜୀବନ ପ୍ରତି ବିପଦ ମାଡ଼ି ଆସୁଥିଲା।’ ରମେଶର ଚିକିତ୍ସା କରାଗଲା ଆଉ ସେ ଧୀରେ ଧୀରେ ସୁସ୍ଥ ହୋଇଗଲା।
ରମେଶ ଏଥର ଭାରି ଖୁସି। ଦିଦି ସ୍କୁଲ (Poor Boys Fund) ଫଣ୍ଡରୁ ରମେଶ ପାଇଁ ଖାତା ବହି ବନ୍ଦୋବସ୍ତ କରିଦେଲେ। ରମେଶ ଏଥର ପାଠ ପଢ଼ାରେ ମନ ଦେଲା। ପରୀକ୍ଷା ଫଳ ବାହାରିବା ବେଳକୁ ରମେଶ ଆଶ୍ଚର୍ଯ୍ୟଜନକ ଭାବେ ଶ୍ରେଣୀରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ। ରମେଶର ପାଠପଢ଼ାରେ ଉନ୍ନତି ଦେଖି ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଗଲେ।
ଇତି ମଧ୍ୟରେ ଦିଦିଙ୍କର ଅଲଗା ସ୍କୁଲ୍‌କୁ ବଦଳି ହୋଇଯାଇଛି। ସେ ଗଲାବେଳେ ରମେଶର ବୋଉକୁ ତାଙ୍କ ଦରମାର କିଛି ଅଂଶ ଦେଇ କହିଲେ ‘ ଏ ହେଉଛି ରମେଶର। କେବଳ ବିପଦ ସମୟରେ ଏହାର ବିନିଯୋଗ କରିବେ । ଝଡ଼ଝଞ୍ଜାକୁ ଖାତିର ନ କରି ରମେଶକୁ ମଣିଷ କରିବେ। ତା’ ଭିତରେ ଭରପୂର ପ୍ରତିଭା ରହିଛି। ସେ ସୂର୍ଯ୍ୟପ୍ରଭା। ମୁଁ ମଣିଷ ଚିହ୍ନିବାରେ କେବେ ବି ଭୁଲ୍‌ କରିନାହିଁଁ। ସେ ଅଲବତ୍‌ ଭଲ ମଣିଷ ହେବ ଆଉ ଆପଣଙ୍କ ଆଖିରୁ ଲୁହ ପୋଛିଦେବ।
ଦିଦିଙ୍କ କଥା ଶୁଣି କାଞ୍ଚନବାଳାଙ୍କ ଦେହରେ ଯେମିତି ସିଂହୀର ଶକ୍ତି ପଶି ଆସିଲା। କହିଲେ ‘ଦିଦି ମୁ ଧାରୁଆ ହେବାକୁ ଚାହେଁ ନାହିଁ । ଠିକଣା ଦିଅନ୍ତୁ, ମୁ ପଇସା ଫେରସ୍ତ କରିଦେବି। ସରିତା ଦିଦି ଠିକଣା ଦେଇ କହିଲେ, ‘ମୁ ଏହା ଫେରସ୍ତ ଆକାରରେ ନୁହେଁ, ରମେଶକୁ ଭଲ ମଣିଷ ଭାବେ ଦେଖିବାକୁ ଚାହୁଁଛି। ସେତିକିରେ ମୁଁ ମୋ ପଇସା ପାଇଯିବି। ରମେଶ ଚାକିରି କଲେ ମୋତେ ମୋ ଠିକଣାରେ ଖୁସି ଖବର ପଠାଇ ଦେବେ ବାସ୍।’ ..ନମସ୍କାର … ସରିତା ଦିଦି ବସ୍‌ରେ ବସି ଚାଲିଗଲେ।
ଦିଦିଙ୍କ ପାଖରେ ଋଣୀ ରହିଗଲେ ମା ପୁଅ । ରମେଶ ସୁସ୍ଥ ହୋଇଗଲା ପରେ କାଞ୍ଚନଵାଳା ମନୋବଳ ବଢ଼ିଯାଇଛି। ସେ ବହୁକଷ୍ଟରେ ଦୁଃଖ ଧନ୍ଦା କରି ରମେଶକୁ ପାଠ ପଢ଼ାଇଛନ୍ତି ଓ ଆଉ ରମେଶ ବି ଭଲ ନମ୍ବର ରଖି ମାଟ୍ରିକ୍‌ ପାସ୍‌ କରିଛି ରମେଶ। ରମେଶ କଲେଜ ପଢ଼ିଛି, ଚାକିରି କରିଛି। ବହୁତ ପଇସା ରୋଜଗାର କରିଛି।
ଏହା ମଧ୍ୟରେ ୨୦ ବର୍ଷ ବିତିଯାଇଛି। ରମେଶ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତିର ମାଲିକ ହୋଇଛି।
ସେପଟେ ସରିତା ଦିଦି ଚାକିରିରୁ ଅବସର ନେଇଛନ୍ତି। ଆଉ ତାଙ୍କର ଦୁଇ ପୁଅ ବ୍ୟବସାୟରେ ପ୍ରଚୁର କ୍ଷତି କରିଛନ୍ତି। ସେମାନେ ଦେବାଳିଆ ହୋଇଯାଇଛନ୍ତି। ବୃଦ୍ଧା ବୟସରେ ପୁଅମାନଙ୍କ ଦୁଃଖ ଦେଖି ସରିତା ଦିଦିଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଛି ସରିତା ଦିଦିଙ୍କ ସମ୍ପତ୍ତି ନିଲାମ ପାଇଁ।
ଆଉ ଏହି ବିଜ୍ଞାପନ ରମେଶ ଆଖିରେ ପଡ଼ିଛି। ରମେଶ ବିଜ୍ଞାପନ ଦେଖି ମାଆ କାଞ୍ଚନଵାଳାଙ୍କ ସହ କଥା ହୋଇଛି ଆଉ ଋଣ ପରିଶୋଧର ସମୟ ଆସିଛି ବୋଲି କହିଛି। ନିର୍ଦ୍ଧାରିତ ତାରିଖ ପୂର୍ଵରୁ ମାଆ ପୁଅ ବ୍ୟାଙ୍କରେ ଥିବା ସମସ୍ତ ବକେୟା ଦେୟକୁ ପରିଶୋଧ କରି ସରିତା ଦିଦିଙ୍କୁ ହସ୍ତାନ୍ତର କରିଛନ୍ତି।
ଏହି ଗଳ୍ପର ସାରମର୍ମ ହେଉଛି ….
ସରିତା ଦିଦି ଜୀବନରେ ଗୋଟିଏ ଭଲ କାମ କରିଥିଲେ। ସେ ରମେଶକୁ ପୁନର୍ଜୀବନ ଦେଇଥିଲେ, ନ ହେଲେ ଖରା ଛୁଟିରେ ରମେଶ ସେହି କ୍ଲାସ ରୁମ ଭିତରେ ମରିଯାଇଥାନ୍ତା …..ସରିତା ଦିଦି ଯଦି ରମେଶର ଚିକିତ୍ସା କରାଇ ନ ଥାନ୍ତେ ତେବେ ରମେଶ ଜୀବନ ଆହୁରି ସଙ୍କଟାପନ୍ନ ହୋଇଥାନ୍ତା……ସରିତା ଦିଦିଙ୍କର ଭଲ କର୍ମର ଫଳ ତାଙ୍କର ପିଲାମାନଙ୍କୁ ଆଶୀର୍ବାଦ ଆକାରରେ ମିଳିଲା।
ପରୋପକାରାୟଃ ସ୍ୱର୍ଗାୟଃ ….
ଏହି ସଂସ୍କୃତ ଶବ୍ଦପୁଞ୍ଜର ଆଉ ଗୋଟିଏ ଅର୍ଥ ହେଉଛି ପରୋପକାର ଭିତରେ ଖୁସି ଲୁଚି ରହିଥାଏ…. ଆପଣ ଯଦି କାହାର ଉପକାର କରନ୍ତି ବା ସାହାଯ୍ୟ କରନ୍ତି ସେତେବେଳେ ଏକ ପ୍ରକାର ସକାରାତ୍ମକ କମ୍ପନ positive vibration  ସୃଷ୍ଟି ହୁଏ …..ଯାହା ଦୁନିଆରୁ suffering ଅର୍ଥାତ ଦୁଃଖର ଭାର କମାଇ ଦିଏ…ଏହାର ପ୍ରତି ବଦଳରେ ଆପଣଙ୍କୁ ସୌଭାଗ୍ୟ ମିଳିଥାଏ…..।
ଏ ହେଉଛି କର୍ମଚକ୍ର…  କର୍ମର ଫଳ କେବେ ବି ବ୍ୟର୍ଥ ଯାଏନି….। ଭଲ କର୍ମର ଫଳ କାହିଁ କେତେଗୁଣ ଆକାରରେ ମିଳିବ ଆଉ ଖରାପ କର୍ମର ଫଳ ଦୁଃଖ ଦୁର୍ଦ୍ଦଶା ଆକାରରେ ମିଳିବା ନିଶ୍ଚିତ।