• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ଦିନକ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବାଜିବ ବିଗୁଲ । ସାରା ବିଶ୍ୱର ୧୬ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଓମାନ ଓ ୟୁଏଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ୧୪ ନଭେମ୍ବରରେ ଦୁବାଇରେ ଖେଳାଯିବ । ୨୪ ଅକ୍ଟୋବରରେ ଭାରତୀୟ ଟିମ୍‌ ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇ ନିଜର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ । ବିଶ୍ୱକପ୍‌ ପୂର୍ବରୁ ବିସିସିଆଇ ପକ୍ଷରୁ ଅୟୋଜିତ ଆଇପିଏଲ୍‌ ୨୦୨୧ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । କାରଣ ଆଇପିଏଲ୍‌ରେ ଖେଳୁଥିବା ଅନ୍ୟ ଦେଶର କିଛି ଖେଳାଳି ବିଶ୍ୱକପ୍‌ରେ ମଧ୍ୟ ନଜର ଆସିବେ । ସେମାନଙ୍କ ମଧ୍ୟରୁ ୭ ଜଣ ଖେଳାଳି ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଯାହାକି ଭାରତୀୟ ଦଳ ପାଇଁ ବିଶ୍ୱକପ୍‌ରେ ମୁଣ୍ଡ ବିନ୍ଧାର କାରଣ ସାଜିପାରେ ।

୧. ଲକି ଫଗ୍ୟୁର୍ସନ୍‌: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ- ନ୍ୟୁଜିଲ୍ୟାଣ୍ଡ ଗୋଟିଏ ଗ୍ରୁପ୍‌ରେ ହିଁ ରହିଛନ୍ତି । ଆଇପିଏଲ୍‌ରେ କେକେଆର୍‌ ପାଇଁ ଖେଳୁଥିବା ଦ୍ରୁତ ବୋଲର ଲକି ଫଗ୍ୟୁର୍ସନ ଫାଇନାଲ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ପୁରା ଟୁର୍ଣ୍ଣାମେଣ୍ଟରେ ତାଙ୍କର ପ୍ରଦର୍ଶନ ଖୁବ୍‌ ଉଚ୍ଚକୋଟିର ଥିଲା । ସେ ୮ଟି ମ୍ୟାଚ୍‌ ଖେଳି ୧୩ଟି ୱିକେଟ୍‌ ହାସଲ କରିଛନ୍ତି । ସେ ନିଜର ସ୍ପିଡ୍‌ ବୋଲିଂରେ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ଅଡ଼ୁଆରେ ପକାଇଥାନ୍ତି । ତାଙ୍କର ଇକୋନୋମି ୭.୪୬ ରହିଥିବା ବେଳେ ଷ୍ଟ୍ରାଇକ୍‌ ରେଟ୍‌ ୧୩.୮ ରହିଛି । ୧୮ ରନ୍‌ ବଦଳରେ ୩ ୱିକେଟ୍‌ ତାଙ୍କର ସବୁଠୁ ଭଲ ପ୍ରଦର୍ଶନ ଥିଲା ।

୨.ଟ୍ରେଣ୍ଟ ବୋଲ୍ଟ: ନ୍ୟୁଜିଲ୍ୟାଣ୍ଡର ହିଁ ଆଉ ଜଣେ ଜବରଦସ୍ତ ବୋଲର ଟ୍ରେଣ୍ଟ ବୋଲ୍ଟ । ସେ ୧୩ ୱିକେଟ୍‌ ହାସଲ କରିଛନ୍ତି । ଯଦିଓ ତାଙ୍କ ଟିମ୍‌ ପ୍ଲେ-ଅଫ୍‌ରେ ପହଞ୍ଚିପାରିନି । ବୋଲ୍ଟ ୭.୯୦ ଇକୋନୋମିରେ ରନ୍‌ ଦେଇଛନ୍ତି ଓ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୨୩.୬ ରହିଛି । ସେ ନୂଆ ବଲ୍‌ରେ ୱିକେଟ୍‌ ନେବାରେ ମାହିର ବୋଲି କୁହାଯାଏ ।

୩. ରାଶିଦ ଖାନ୍‌: ଆଫ୍‌ଗାନିସ୍ତାନ ମଧ୍ୟ ସୁପର-୧୨ ଗ୍ରୁପ୍‌ରେ ଭାରତ ସହ ରହିଛି । ଏହି ଯୁବ ଲେଗ୍‌ ସ୍ପିନର ଆଇପିଏଲରେ ୧୮ଟି ୱିକେଟ୍‌ ହାସଲ କରିଛନ୍ତି । ହାଇଦ୍ରାବଦ୍‌ର ଟିମ୍‌ ଆଇପିଏଲ୍‌ ଆଙ୍କ ତାଲିକାରେ ସବୁଠୁ ଶେଷରେ ରହିଥିଲା, କିନ୍ତୁ ରାଶିଦ ପୁରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ତାଙ୍କର ଇକୋନୋମି ୬.୬୯ ରହିଛି । ଯାହାକି ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଖୁବ୍‌ ଭଲ । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୮.୬ ରହିଛି ।

୪.ଗ୍ଲେନ୍‌ ମ୍ୟାକ୍ସୱେଲ୍‌: ଭାରତୀୟ ଟିମ୍‌ ସେମିଫାଇନାଲ କିମ୍ବା ଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାମୁହିଁ ହୋଇପାରେ । ଆରସିବି ପାଇଁ ଖେଳୁଥିବା ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୪୩ ହାରରେ ୫୧୩ ରନ୍‌ କରିଛନ୍ତି । ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ସେ ଗୋଟିଏ ସିଜିନ୍‌ରେ ୬ ଥର ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ତାଙ୍କର ଷ୍ଟ୍ରାଇକ୍‌ ରେଟ୍ ୧୪୪ ରହିଥିଲା । ଏହା ସହ ସେ ୩ଟି ୱିକେଟ୍‌ ମଧ୍ୟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ଏବେ ସୁଦ୍ଧା ଥରେ ବି ଆଇପିଏଲ୍‌ ଟ୍ରଫି ହାସଲ କରିପାରି ନାହିଁ । ତେଣୁ ଏଥର ଦଳ ପୁରା ଦମ୍‌ ଲଗାଇ ଖେଳିବ ବୋଲି ଅନୁମାନ କରାଯାଉଛି ।

୫.ମୋଇନ୍‌ ଅଲ୍ଲୀ: ଇଂଲଣ୍ଡର ଅଲ୍‌ରାଉଣ୍ଡର ମୋଇନ୍‌ ଅଲ୍ଲୀ ମଧ୍ୟ ଗତ ଆଇପିଏଲ୍‌ରେ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଚାମ୍ପିଆନ୍‌ ଚେନ୍ନାଇ ପକ୍ଷରୁ ଖେଳୁଥିବା ମୋଇନ୍‌ ଅଲ୍ଲୀ ୧୫ ମ୍ୟାଚ୍‌ରେ ୨୬ ହାରରେ ୩୫୭ ରନ୍‌ କରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୩୭ ରହିଥିଲା । ସେ ଗୋଟିଏ ଆର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ଏହି ଅଫ୍‌ସ୍ପିନ୍‌ ବୋଲର ୬ଟି ୱିକେଟ୍‌ ନେବାରେ ମଧ୍ୟ ସଫଳ ହୋଇଛନ୍ତି । ଯଦିଓ ଇଂଲଣ୍ଡ ଟିମ୍‌ ଭାରତ ଗ୍ରୁପ୍‌ରେ ନାହିଁ । କିନ୍ତୁ ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତ ସହ ମୁକାବିଲା ହେବାର ସମ୍ଭାବନା ରହିଛି ।

୬.ଡ୍ୱେନ୍‌ ବ୍ରାଭୋ: ଚେନ୍ନାଇ ପକ୍ଷରୁ ଖେଳୁଥିବା ଡ୍ୱେନ୍‌ ବ୍ରାଭୋ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୫୦୦ରୁ ଅଧିକ ୱିକେଟ୍‌ ନେଇଥିବା ଏକ ମାତ୍ର ବୋଲର । ସେ ଆଇପିଏଲ୍‌ରେ ୧୪ଟି ୱିକେଟ୍‌ ହାସଲ କରିଛନ୍ତି । ତାଙ୍କର ଇକୋନୋମି ୭.୮୧ ରହିଥିବା ବେଳେ ଷ୍ଟ୍ରାଇକ୍‌ ରେଟ୍‌ ୧୪.୪ ରହିଛି । ଖାଲି ସେତିକି ନୁହେଁ ସେ ୨୬୧ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ମଧ୍ୟ ହାସଲ କରିଛନ୍ତି । ତେବେ ୱେଷ୍ଟଇଣ୍ଡିଜ୍‌ ଟିମ୍‌ ମଧ୍ୟ ଭାରତ ଗ୍ରୁପ୍‌ରେ ନାହିଁ ।

୭.ଏନ୍‌ରିକ୍‌ ନାଁର୍କିୟା: ଦ୍ରୁତ ବୋଲର ଏନ୍‌ରିକ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିବା ବେଳେ ୟୁଏଇରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୮ଟି ମ୍ୟାଚ୍‌ରେ ୧୬୭ ହାରରେ ୧୨ଟି ୱିକେଟ୍‌ ହାସଲ କରିଛନ୍ତି । ଏହି ସମୟରେ ତାଙ୍କର ଇକୋନୋମି ୬.୧୬ ରହିଥିଲା, ଆଉ ଷ୍ଟ୍ରାଇକ୍‌ ରେଟ୍‌ ୧୫.୧ ରହିଥିଲା । ସାଉଥ୍‌ ଆଫ୍ରିକା ଟିମ୍‌ ମଧ୍ୟ ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତ ସହ ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।