• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମମିତା ହତ୍ୟା ମାମଲାକୁ ନେଇ ପୁଣି ବର୍ଷିଛି ବିଜେପି । ବିଜେପିର କେନ୍ଦ୍ରୀୟ ଟିମ୍ ପ୍ରେସ୍‌ମିଟ୍‌ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି । ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କହିଛି ବିଜେପି । ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଆସୁଛି । ଦିବ୍ୟଶଙ୍କର ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ସେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ । ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।

ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି. ଶ୍ରୀନିବାସନଙ୍କ ନେତୃତ୍ୱରେ ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡର ଅନୁଧ୍ୟାନ ପାଇଁ ଆସିଛି ବିଜେପିର କେନ୍ଦ୍ରୀୟ ଟିମ୍ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଷଡ଼ଯନ୍ତ୍ର ଅଭିଯୋଗ ଆସିଥିବାରୁ ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ କରିବାକୁ ଦାବି କରିଛି ବିଜେପି । ସେହିପରି ସରକାରୀ ସ୍ତରରେ ପୀଡ଼ିତାଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ଦିଆଯାଇନାହିଁ । କେନ୍ଦ୍ର ସରକାରଙ୍କ ଦ୍ୱାରା ପୀଡ଼ିତାଙ୍କ ପରିବାରକୁ ସହାୟତା ଦେବାର ଫଣ୍ଡ ରହିଛି । ତେଣୁ ପୀଡ଼ିତାଙ୍କ ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିଜେପି ଦାବି କରିଛି ।

ଏହା ସହ ମନ୍ତ୍ରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଦଳ । ଅଭିଯୁକ୍ତ ସହ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଘନିଷ୍ଠ ସଂପର୍କ ରହିଛି । ମହାଲିଙ୍ଗ କଲେଜକୁ ଅହେତୁକ ଅନୁକଂପା ଓ କଲେଜକୁ ଅନେକ ଥର ମନ୍ତ୍ରୀଙ୍କ ଗସ୍ତ ସଂଦେହ ଜନକ । ପୋଲିସ ହେପାଜତରୁ ବିଜୁଳି କାଟ ବାହାନାରେ ଗୋବିନ୍ଦ ସାହୁ ଖସିଯିବା, ଫରେନ୍ସିକ୍ ରିପୋର୍ଟ ଆସିନଥିବା ସତ୍ତ୍ୱେ ପୀଡ଼ିତାଙ୍କ ଅସ୍ଥି ଓ ଅନ୍ୟ ସାମଗ୍ରୀ କେମିତି ପରିବାରକୁ ହସ୍ତାନ୍ତର କଲା ପୋଲିସ ବୋଲି ପ୍ରଶ୍ନ ଉଠାଇଛି ବିଜେପି । ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରିଛି କେନ୍ଦ୍ରୀୟ ଟିମ୍ । ସମସ୍ତ ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପ୍ରଦାନ କରିବ । ଗତକାଲି ମମିତା ମେହେରଙ୍କ ପରିବାରକୁ ଏହି ଟିମ୍ ଭେଟିଥିଲା ।

ସେପଟେ କଂଗ୍ରେସ ମଧ୍ୟ ଆଜି ମନ୍ତ୍ରୀ ଶ୍ରୀମିଶ୍ରଙ୍କୁ ଟାର୍ଗେଟ୍‌ କରିଛି । ମମିତା ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତିକୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏଭଳି ବିବୃତିକୁ ରାଜ୍ୟ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । କଂଗ୍ରେସର ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସେମାଲୋଚନା କରିଛନ୍ତି ।

ଗଣେଶ୍ୱର କହିଛନ୍ତି ମନ୍ତ୍ରୀଙ୍କ ବିବୃତି ନିହାତି ଅର୍ଥହୀନ ଓ ଅତ୍ୟନ୍ତ ହାଲୁକା । ବିବୃତ୍ତି କୌଣସି କଥା ସ୍ପଷ୍ଟ ନାହିଁ । ମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିନାହାନ୍ତି । ସିଆରପିସି ଅନୁସାରେ ସମ୍ମାନ ହାନି ହେଲେ ହିଁ ମାନହାନି ମାମଲା ହେବ । ମନ୍ତ୍ରୀ କହିଥିବା ମାନହାନି ମାମଲା କଥା ଅର୍ଥହୀନ ବୋଲି କହିଲେ ଗଣେଶ୍ୱର ।

ମନ୍ତ୍ରୀ ମାନହାନୀ ମାମଲା କରି ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରିଛନ୍ତି । ଯାହାକି ଅତ୍ୟନ୍ତ ନିନ୍ଦନୀୟ ବିଷୟ । ମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ତଦନ୍ତ ପରିସରକୁ ଆସି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରନ୍ତୁ ବୋଲି ଗଣେଶ୍ୱର ଦାବି କରିଛନ୍ତି । ମନ୍ତ୍ରୀଙ୍କ ବିବୃତିକୁ କଂଗ୍ରେସ ଦୃଢ଼ ଭାବେ ନିନ୍ଦା କରୁଛି । ମନ୍ତ୍ରୀଙ୍କ ବିରୋଧରେ ଏବଂ ମମିତା ମେହେରଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଆନ୍ଦୋଳନ ଏଭଳି ଜାରି ରହିବ । ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।