• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମବଙ୍ଗ: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଲରେ ପ୍ରବଳ ବନ୍ୟା । ବିଶେଷ କରି ପୂର୍ବ ଓ ପଶ୍ଚିମ ମେଦିନାପୁର ଜିଲ୍ଲାରେ ବନ୍ୟାର ସ୍ଥିତି ଗମ୍ଭୀର ରହିଛି । ଦୁଇ ଜିଲ୍ଲାର ବିସ୍ତୃତ ଅଞ୍ଚଳ ଜଳବନ୍ଦୀ ହୋଇଥିବାରୁ ସେଠରେ ତିନି ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଯାଏଁ ଏହି ଦୁଇ ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ବର୍ଷା କେଲେଗାଇ ଏବଂ କାପାଲେଶ୍ୱରୀ ନଦୀ ବନ୍ଧକୁ ଭାଙ୍ଗି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ଜଳସେଚନ ବିଭାଗ । କିଛି ସ୍ଥାନରେ ବନ୍ଧ ମରାମତି ପାଇଁ କାର୍ଯ୍ୟ ଆରମ୍ଭ କରିଛି । ତେବେ ସ୍ଥିତି ଜଟିଳ ଥିବାରୁ ରାଜ୍ୟ ଜଳସେଚନ ମନ୍ତ୍ରୀ କହିଛନ୍ତି ଦୁଇଟି ଜିଲ୍ଲାର ଅତି କମରେ ତିନି ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ ଏବଂ ବିଭିନ୍ନ ସରକାରୀ ଭବନରେ ରିଲିଫ୍ କ୍ୟାମ୍ପ ଖୋଳାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପଶ୍ଚିମ ମେଦିନାପୁରର ସାବଙ୍ଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୨ ବର୍ଷ ପରେ ଏହି ପରିମାଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକେ କହିଛନ୍ତି । ସାବଙ୍ଗର ପ୍ରାୟ ୧ ଲକ୍ଷ ୯୬ ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୬୧ ହଜାର ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ୨୦ ହଜାର ଲୋକଙ୍କୁ ରିଲିଫ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ବୋଲି ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ।

ଗତ ଦୁଇ ଦିନ ମଧ୍ୟରେ ଦୁଇ ଜିଲ୍ଲାରେ ୪୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସୂତ୍ରରୁ ପ୍ରକାଶ । ଏହାଦ୍ୱାରା ଅତି କମରେ ପାଞ୍ଚଟି ନଦୀ ବିପଦ ସ୍ତର ଅତିକ୍ରମ କରି ଅନେକ ବନ୍ଧକୁ ଭାଙ୍ଗିଦେଇଛି । ଅଗଷ୍ଟ ମାସରେ ମଧ୍ୟ ଏହି ଦୁଇଟି ଜିଲ୍ଲାର ବିସ୍ତୃତ ଅଞ୍ଚଳ ଏବଂ ହୁଗଲିର ଖାନକୁଲ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ।

ଅନ୍ୟପଟେ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ମୟୂରଭଞ୍ଜ,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ । 

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏବେବି କିଛି ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।