• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସାବଧାନ ! ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲ୍ ନମ୍ବର ଚୋରି ହୋଇଯାଇ ନାହିଁ ତ ?

  • ଆପଣଙ୍କ ନମ୍ବର ଗୋଟିଏ ଟେଲିକମ୍ କଂପାନୀରୁ ଅନ୍ୟ ଟେଲିକମ୍ କମ୍ପାନୀରେ ପଞ୍ଜୀକୃତ ହୋଇନି ତ ?

ଭୁବନେଶ୍ୱର: ସାବଧାନ ! ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲ୍ ନମ୍ବର ଚୋରି ହୋଇଯାଇ ନାହିଁ ତ ? ଆପଣଙ୍କ ମୋବାଇଲ୍ ନମ୍ବର ଗୋଟିଏ ଟେଲିକମ୍ କଂପାନୀରୁ ଅନ୍ୟ ଟେଲିକମ୍ କମ୍ପାନୀରେ ପଞ୍ଜୀକୃତ ହୋଇନି ତ ? ଯଦି ଆପଣ ପ୍ରିମିୟମ୍ ବା ଭ୍ୟାନିଟି ନମ୍ବର ବ୍ୟବହାର କରୁଛନ୍ତି ତାହେଲେ ସତର୍କ ହୋଇଯାଆନ୍ତୁ । କାହିଁକି ନା ଭ୍ୟାନିଟି ମୋବାଇଲ୍ ନମ୍ବରକୁ ଚୋରି କରି ଲକ୍ଷାଧିକ ଟଙ୍କାରେ କିଛି ଠକ ବିକ୍ରି କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଏକ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାର ଅଭିଯୋଗ କ୍ରମେ କମିଶନରେଟ୍ ପୋଲିସ୍ ଏହାର ଖୋଳତାଡ଼ ଆରମ୍ଭ କରିଥିଲା । ଶେଷରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସେମାନଙ୍କ ମଧ୍ୟରୁ ଜଣେ ହେଲା ଯାଜପୁର ଅଞ୍ଚଳର କେଶବ ଚନ୍ଦ୍ର ଧିର । ସେ ଭୁବନେଶ୍ୱର ଗାଡ଼କଣରେ ରହୁଥିଲା । ଅନ୍ୟ ଜଣେ ହେଲେ ରସୁଲଗଡ଼ର ସଂଜତ କୁମାର ପଣ୍ଡା । ଏକ ମୋବାଇଲ୍ କଂପାନୀରେ କାମ କରୁଥିବା ଏ ଦୁଇ ଯୁବକ, ଚାକିରି ଛାଡ଼ିବା ପରେ ବି କଂପାନୀ ପକ୍ଷରୁ ଦିଆଯାଇଥିବା ଲୋକାଲ୍ ଏରିଆ ପେମେଣ୍ଟ ୟୁନିଟ୍ ବା LAPU ନମ୍ବର ନିଜ ପାଖରେ ରଖିଥିଲେ । ଯାହା ମାଧ୍ୟମରେ ସେମାନେ ଅତି ସହଜରେ ଭ୍ୟାନିଟି ନମ୍ବରକୁ ଡିଜିଟାଲି ସ୍ୱାପ୍ କରୁଥିଲେ । ପରେ ସେହି ନମ୍ବରକୁ ଅନ୍ୟ ଟେଲିକମ୍ କମ୍ପାନୀକୁ ପୋର୍ଟାବିଲିଟି କରାଇ ୫୦ ହଜାରରୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିଲେ ।

ମୋବାଇଲ୍ ସିମ୍ ଥରେ ଡିଜିଟାଲି ଟ୍ରାନ୍ସଫର ହେବା ପରେ, ସେହି ନମ୍ବର ବ୍ୟବହାର କରି ଜଣକର ବ୍ୟକ୍ତିଗତ ତଥ୍ୟ ଚୋରି ସହ ବ୍ୟାଙ୍କ ଠକେଇ ଇତ୍ୟାଦିରେ ଏହାର ଅପବ୍ୟବହାର କରାଯାଇପାରିବ । ତେଣୁ ଗୋଟିଏ ଆଧାର ନମ୍ବର ଦେଇ ଆପଣ କେତୋଟି ମୋବାଇଲ୍ ସିମ୍ ନେଇଛନ୍ତି, ଆପଣଙ୍କ ସିମ୍ ଆପଣଙ୍କ ନାଁରେ ଆଉ ଅଛି କି ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ଟେଲି କମ୍ୟୁନିକେସନ୍ ବିଭାଗ ଦ୍ୱାରା ଏକ ୱେବସାଇଟ୍ ଖୋଲାଯାଇଛି । ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କଂଞ୍ଜୁମର ପ୍ରୋଟେକ୍ସନ ବା tafcop.dgtelecom.gov.in କୁ ଯାଇ ଆପଣ ନିଜ ମୋବାଇଲ୍ ନମ୍ବର ଚେକ୍ କରିପାରିବେ । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ୩୬ଟି ସିମ୍ ସ୍ୱାପ୍ କରିଥିବା ଜଣାପଡ଼ିଛି । ସେମାନଙ୍କଠାରୁ ୫ଟି ହ୍ୟାଣ୍ଡସେଟ୍ ଜବତ ହୋଇଛି ।