• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଜେଏସଡବ୍ଲୁ ଧୂଆଁରେ ଆକ୍ତାମାକ୍ତା ଅଞ୍ଚଳବାସୀ ।

  • ପାଉଁଶ ଝଡ଼ରେ ଅଣନିଶ୍ୱାସୀ ସ୍ଥାନୀୟ ଲୋକେ ।

  • ପ୍ରତିବାଦ ପରେ ସମାଧାନ ପ୍ରତିଶ୍ରୁତି ଦେଲା କମ୍ପାନୀ ।

ସମ୍ବଲପୁର: ସମ୍ବଲପୁର ଠେଲକୋଲିରେ ଥିବା JSW-ଭୂଷଣ କାରଖାନାର ପ୍ରଦୂଷଣରେ ଆକ୍ତାମାକ୍ତା ସ୍ଥାନୀୟ ବାସିନ୍ଦା । ଗତକାଲି ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିଲା ପାଉଁଶ ଝଡ଼ । ଲୋକେ ଅଣନିଶ୍ୱାସୀ ହୋଇପଡ଼ିଥିଲେ । ଏପରିକି ଲୋକେ ରୋଷେଇ ବି କରିପାରି ନଥିଲେ । ସ୍ଥାନୀୟ ବାସିନ୍ଦା ରାତିରେ କାରଖାନା ଆଗରେ ପ୍ରତିବାଦ କରିଥିଲେ ।

ଚାରିଆଡ଼େ ପାଉଁଶ । ଘର ଦ୍ୱାର, ରାସ୍ତା ଘାଟ, ଗଛପତ୍ର ସବୁଠି ପାଉଁଶର ବହଳ ଆସ୍ତରଣ । ଖପର ଉପରେ, କାର୍ ଉପରେ ଏତେ ପାଉଁଶ ଜମିଛି ଯେ, ସେଥିରେ ଅକ୍ଷର ଲେଖିଲେ ମଧ୍ୟ ଜଣାପଡୁଛି । ସାମାନ୍ୟ ପବନ ହେଲେ ଅବସ୍ଥା ଆହୁରି ସାଂଘାତିକ । ଲାଗୁଛି ଯେମିତି ଘନ କୁହୁଡ଼ି । ଆଜି ଦିନବେଳା ଯଦି ଏ ଅବସ୍ଥା, ଗତ ରାତିରେ କଣ ହୋଇନଥିବ । ରାସ୍ତାରେ ପାଣି ଢାଳି ଦେଲେ ଜଣାପଡୁଛି, କେତେ ବହଳର ପାଉଁଶ ଜମିଛି ଏଠାରେ । ସମ୍ବଲପୁର ଠେଲକୋଲିରେ ଥିବା ଜେଏସ୍‌ଡବ୍ଲୁ-ଭୂଷଣ କାରଖାନାର ଏହି ପ୍ରଦୂଷଣରେ ଆକ୍ତାମାକ୍ତା ସ୍ଥାନୀୟ ବାସିନ୍ଦା ।

ଗତକାଲି ସଂଧ୍ୟା ୭ଟାରୁ ୯ ଯାଏ ଏମିତି ପାଉଁଶ ଓ ଧୂଳି ଧୂଆଁ ଉଡ଼ିଲା ଯେ, ଲୋକେ ରୋଷେଇ କରିପାରି ନଥିଲେ କି ଖାଇ ପାରିନଥିଲେ । କିଛି ସମୟ ତ ନିଶ୍ୱାସ ନେବା ବି କଷ୍ଟକର ହୋଇ ପଡ଼ିଥିଲା ବୋଲି ଲୋକେ କହିଛନ୍ତି । ଏମିତି ପରିସ୍ଥିତିରେ ଏଠାରେ କେମିତି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ପରିସ୍ଥିତି ସାଂଘାତିକ ହେବାରୁ ଲୋକେ ରାତିରେ କାରଖାନା ମୁଖ୍ୟ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଥିଲେ । କମ୍ପାନି କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ମୁତାବକ ଆଜି ଆରଆର୍ କଲୋନି ମନ୍ଦିର ପରିସରରେ ଏକ ବୈଠକ ବସିଥିଲା । ଏଥିରେ ଜେଏସଡବ୍ଲୁ ଭୂଷଣର ବରିଷ୍ଠ ଅଧିକାରୀ ସଫେଇ ଦେଇଛନ୍ତି, କାରଖାନାର କେତେକ ୟୁନିଟ କିଛି ଦିନ ବନ୍ଦ ଥିଲା । ତାକୁ ଚାଲୁ କରିବାରୁ ଗତକାଲି ବାହାରିଥିଲା ଏହି ପାଉଁଶ ଓ ଧୂଳି ଧୂଆଁ । ଏହାକୁ ତୁରନ୍ତ ସଫା କରିବାକୁ  ପଦକ୍ଷେପ ନିଆଯାଉଛି ।