• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶୀତ ଆଗମନରେ ବଦଳିଗଲାଣି ଭାରତର ଭୂସ୍ୱର୍ଗର ରୂପ । 

  • ଆଗ ଅପେକ୍ଷା ବଢିଗଲାଣି ଜାମ୍ମୁ ଓ କାଶ୍ମୀରର ପ୍ରାକୃତିକ ଶୋଭା ।

  • ଧିରେ ଧୀରେ ବରଫର ଆସ୍ତରଣ ସବୁଠି ଦେଖିବାକୁ ମିଳୁଛି ।

ଉପରେ ନିର୍ମଳ ଆକାଶ, ତଳେ ସଫେଦ ଚାଦର ଭଳି ବରଫର ଆସ୍ତରଣ । ଅକ୍ଟୋବର ଶେଷ ସପ୍ତାହରେ ତୁଷାରପାତ ଋତୁର ଅୟମାରମ୍ଭ । ପ୍ରକୃତିରାଣୀର ପହିଲି ସ୍ପର୍ଶ ପରେ ହୋଇଥିବା ପ୍ରଥମ ତୁଷାରପାତର ମନଲୋଭା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ସମସ୍ତେ ନିଜ ନିଜ ମୋବାଇଲ ଫୋନ୍ ଓ କ୍ୟାମେରାରେ କଏଦ କରିନେଇଛନ୍ତି ।

ଯେତେ ଦୂର ଯାଏ ଆଖିପାଉଛି କେବଳ ବରଫ ଓ ବରଫର ମୋଟା ଆସ୍ତରଣ ହିଁ ଦେଖାଯାଉଛି । ରାସ୍ତାଘାଟ, କୋଠାବାଡ଼ି, ଗାଡ଼ି, ମଟର  ସତେ ଯେମିତି ସମସ୍ତଙ୍କୁ କୋଳେଇ ନେଇଛି ବରଫ । ଭାରତର ଭୂସ୍ୱର୍ଗ ଜାମ୍ମୁ ଓ କାଶ୍ମୀରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପାଗ ବଦଳିଛି, ଶୀତ ଫେରିଛି । ସମସ୍ତେ ଉତଫୁଲିତ ଓ ଉତ୍ସାହିତ । କେବଳ ଜାମ୍ମୁ ଓ କାଶ୍ମୀର କାହିଁକି, ହିମାଳୟ ପାଦ ଦେଶର ରାଜ୍ୟରେ ବି ସମାନ ସ୍ଥିତି । ସେ ହିମାଚଳ ପ୍ରଦେଶ ହେଉ କି ଉତ୍ତରାଖଣ୍ଡ, ଜାମ୍ମୁ ଓ କାଶ୍ମୀରର ପହଲଗାମ, ଶ୍ରୀନଗର, ଲେହ-ଲଦାଖ କି କାର୍ଗିଲ, ଧର୍ମଶାଳା ହେଉ ଅବା କେଦାରନାଥ, ସବୁଠି ପ୍ରକୃତି ରାଣୀର ଆକର୍ଷଣୀୟ ରୂପରେ ଆନମନା ସଭିଏଁ ।

ତେବେ ପାଗରେ ଏଭଳି ପରିବର୍ତ୍ତନ କାହା ପାଇଁ ଖୁସି ତ ଆଉ କାହା ପାଇଁ ଦୁଃଖ । ଭ୍ୟାଲିର ସେଓ ଚାଷୀଙ୍କ ପାଇଁ ତ ଏହା ଆର୍ଥିକ ସୁରକ୍ଷା ପ୍ରତି ବିପଦ ସାଜି ଆସିଛି । ପ୍ରଥମ ତୁଷାରପାତ ଯୋଗୁଁ ଜାମ୍ମୁ ଓ କାଶ୍ମୀରର ସେଓ ଚାଷୀ କ୍ଷତି ସହିଛନ୍ତି । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ତୁଷାରପାତ ହୋଇଥିବାରୁ ସେଓ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ କହିଛନ୍ତି । ଦକ୍ଷିଣ କାଶ୍ମୀରରେ ହେଉଥିବା ରେଡ୍, ଗ୍ରୀନ୍, ୟେଲୋ ଆପଲ ଚାଷରେ ବ୍ୟାପକ କ୍ଷତି ହୋଇଛି । ଫଳ କଷି ଧରିବା ସମୟରେ ହିଁ ତୁଷାରପାତ ଯୋଗୁଁ ସେ ଗୁଡ଼ିକ ନଷ୍ଟ ହୋଇଯାଇଛି ।

ଅକ୍ଟୋବର ୨୩ରୁ ହିମାଲୟନ ଷ୍ଟେଟ ଗୁଡ଼ିକରେ ତୁଷାରପାତ ଆରମ୍ଭ ହୋଇଯାଇଛି । କେତେକ ସ୍ଥାନରେ ପ୍ରବଳ ତୁଷାରପାତ କାରଣରୁ ରାସ୍ତାରେ ବରଫ ଜମିରହିଥିବାର ଦେଖିବାକୁ ମିଳିଛି । ମସିନ୍ ସାହାର୍ଯ୍ୟରେ ରାସ୍ତା ସଫା କରାଯାଉଛି । ମିଳିଥିବା ଖବର ଅନୁସାରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ତୁଷାରପାତ ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେପଟେ ଦେବଭୂମି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରରେ ମଧ୍ୟ ତୁଷାରପାତ ହୋଇଛି । ଏହା ସତ୍ମତ୍ଧ୍ୟୱେ ବି ଉତ୍ତରାଖଣ୍ଡରେ ଚାର୍ ଧାମ୍ ଯାତ୍ରା ଜାରି ରହିଛି ।