• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କନ୍ଧମାଳ: ଜମିରେ ଧାଡି ଧାଡି ହୋଇ ଲାଗିଛି ଆଳୁ ଗଛ । ହେଲେ ଗଛଗୁଡିକ ଛନଛନିଆ ବଦଳରେ କେଉଁଠି ପତ୍ର ପୋଡି ଯାଇଛି, କେଉଁଠି ମୁହଁ ମାଡି ପଡିଛି ଗଛ ତ ଆଉ କେଉଁଠି ମାଟି ତଳେ ବିହନ ଗୁଡ଼ିକ ଗଣ୍ଠି ଧରିବା ବଦଳରେ ନଷ୍ଟ ହୋଇଯାଇଛି । କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ କିଛି ଦୂରରେ ଥିବା ରୁଜାଙ୍ଗୀ, ପିଟବାରୀ, ବନ୍ଧସାହି ପ୍ରଭୃତି ଗାଁରେ ଦେଖିବାକୁ ମିଳିଛି ବର୍ଷା ଦିନିଆ ଆଳୁ ଚାଷର ଏଭଳି ଦୃଶ୍ୟ । ଚାଷୀ ମାନେ ପ୍ରାୟ ୩ ମାସ ତଳେ ଉଦ୍ୟାନ ବିଭାଗ ତରଫରୁ ଦିଆଯାଇଥିବା ଆଳୁ ବିହନ ରିହାତି ମୂଲ୍ୟରେ କିଣି ଲଗାଇଥିଲେ । ହେଲେ ଆଳୁ ଗଛର ଏଭଳି ଅବସ୍ଥା ଏବେ ଚିନ୍ତା ବଢାଇଛି ।

ଆଳୁର ଅଭାବୀ ବିକ୍ରି ରୋକିବାକୁ ସରକାର କିଛି ମାସ ତଳେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶାର ଶୀତଳ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ରିହାତି ଦରରେ ଉନ୍ନତ ମାନର ଆଳୁ ବିହନ ଯୋଗାଣ କରିଥିଲେ । ହେଲେ ଆଳୁ ବିହନ ଗୁଡ଼ିକ ହୃଷ୍ଟପୃଷ୍ଟ ହେବା ବଦଳରେ ନଷ୍ଟ ହେଇଯାଉଥିବା କହିଛନ୍ତି ଚାଷୀ । ଫଳରେ ଆଗାମୀ ଦିନରେ କିଭଳି ଚଳିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

ଏନେଇ  କନ୍ଧମାଳ ଜିଲ୍ଲା ଉଦ୍ୟାନ ବିଭାଗ ଉପ-ନିର୍ଦେଶକ କହିଛନ୍ତି, ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ ଯୋଜନା ପାଇଁ ସରକାର ନିଷ୍ପତି ନେଇଥିଲେ । ଯେଉଁଥିରେ କନ୍ଧମାଳ ଜିଲ୍ଲାର ୨୫୦ ହେକ୍ଟର ଜମିରେ ୧୭୪୪ ଜଣ ଚାଷୀଙ୍କୁ ୩୭୫୦ କୁଇଣ୍ଟାଲ ଆଳୁ ବିହନ ଦିଆଯାଇଥିଲା । ଏହାପରେ ଚାଷୀଙ୍କୁ ସବସିଡି ଅର୍ଥରାଶି ବ୍ୟାଙ୍କ ଜମା ଖାତାକୁ ପଠାଯାଇଥାନ୍ତା । ତେବେ ପାଣିପାଗ ଅନୁକୂଳ ହୋଇନଥିବାରୁ ଆଳୁ ଚାଷ ସାମାନ୍ୟ ପ୍ରଭାବିତ ହୋଇଥିବା ବେଳେ କ୍ଷତି ଭରଣା ପାଇଁ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

(ରିପୋର୍ଟର-ତ୍ରିନାଥ ସାହୁ)