• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି । କମିଶନଙ୍କ ହସ୍ତକ୍ଷେପ ଦାବି କରି ବିଜେପି ମାନବାଧିକାର କମିଶନଙ୍କୁ ଭେଟି ଆଲୋଚନା କରିଛି । ଏହାସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଘଟଣାକୁ ୧୩ ଦିନ ପୁରିଥିବା ବେଳେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆସିଛି । ପୋଲିସ ତାଙ୍କୁ ତଦନ୍ତ ପରିସରକୁ ନ ନେଇ ଓଲଟି ଡିଆଇଜି ଦୀପକ କୁମାର ନୂଆ କାହାଣୀ କହୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ପୋଲିସ ନିଜ ବିଭାଗର ମନ୍ତ୍ରୀଙ୍କୁ ଖସାଇବାକୁ ଚେଷ୍ଟା କରୁଛି ବୋଲି ଲେଖାଶ୍ରୀ କହିଛନ୍ତି ।

ସେହିପରି ଘଟଣାରେ ସିଧାସଳଖ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ସେ ପ୍ରଶ୍ନ କରିଛନ୍ତି, ମମିତାକୁ କେବଳ ଗୋବିନ୍ଦ ସାହୁ ହତ୍ୟା କରିଥିଲା ନା ଏତେ ବଡ଼ କାଣ୍ଡରେ ଆଉ କିଏ ସଂପୃକ୍ତ ଅଛି ? ଭକ୍ତ ସନ୍ଦେହ କରୁଛନ୍ତି ଯେ, ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଚ୍ଛନ୍ନ ହାତ ରହିଛି ଏହି ହତ୍ୟାକାଣ୍ଡରେ । ଯଦି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ସରକାର ଅଧିକ ଅପଦସ୍ତ ହେବେ ବୋଲି କହିଛନ୍ତି ଭକ୍ତ ଦାସ ।

ସେପଟେ ଗୋବିନ୍ଦ ସାହୁଙ୍କ ସ୍କୁଲକୁ ଯିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ବିଭିନ୍ନ ଆଡ଼େ ନିମନ୍ତ୍ରଣ ହେଲେ ମନ୍ତ୍ରୀ ଯାଆନ୍ତି, କେରୁ ପ୍ରୋଗ୍ରାମରେ ଯାଇଛୁ । ତାଙ୍କ ଘରୋଇ ସ୍କୁଲକୁ ସରକାରୀ ଅନୁଦାନ ମିଳିବାକୁ ନେଇ ଏହା ଏକ ସ୍ପେକୁଲେସନ ବୋଲି କହିଛନ୍ତି ଜ୍ୟୋତି ।

ଅନୁରୂପ ଭାବେ ରାଉରକେଲାରେ ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭ ପ୍ରଦର୍ଶନ ବେଳେ ଏସ୍‌ପିଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା । କଂଗ୍ରେସ ପକ୍ଷରୁ ମଧ୍ୟ ରାଉରକେଲା ଏସ୍‌ପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରାଯାଇଛି । ସେହିପରି ଭୁବନେଶ୍ୱର ବାଣୀବିହାର ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ମମିତା ମେହେର ହତ୍ୟା ଘଟଣାରେ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ହୋଇଛି ।