• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ସିଙ୍ଗାପୁରରେ ଫସିଥିବା ଓଡ଼ିଆ ପରିବାରକୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ । ଏନେଇ ବୈଜୟନ୍ତ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଉପରଦା ଗାଁର ସଙ୍କେତ ମହାପାତ୍ର ଗତ ୭ ବର୍ଷ ହେବ ସିଙ୍ଗାପୁରରେ ରହୁଛନ୍ତି ।

ତେବେ କୋଭିଡ କଟକଣା ଯୋଗୁଁ ଗତ ୨ ବର୍ଷ ହେବ ସେ ପରିବାର ସହ ଭାରତ ଫେରିପାରୁନାହାନ୍ତି । ନିଜର ଅସୁସ୍ଥ ବାପା ମା’ଙ୍କ ଚିକିତ୍ସା ପାଇଁ ଭାରତ ଫେରିବାରେ ବିଫଳ ହେବାରୁ ବୈଜୟନ୍ତଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ସଙ୍କେତ । ଏହାପରେ ବୈଜୟନ୍ତ ସିଙ୍ଗାପୁରରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗଯୋଗ କରିଥିଲେ । ଆଉ ସଙ୍କେତଙ୍କ ସହ ପରିବାର ସଦସ୍ୟମାନଙ୍କୁ ଭାରତ ଫେରାଇ ଆଣିବା ଦିଗରେ ସହାୟତା ଯୋଗାଇବାକୁ ନିବେଦନ କରିଛନ୍ତି । 

କିଛି ଦିନ ପୂର୍ବରୁ ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଉଦ୍ଧାର ହେଇଥିଲେ ଜଣେ ଅସୁସ୍ଥ ଓଡିଆ ଯୁବକ । ତାଙ୍କର ନାଁ ଥିଲା ବାଇଧର ଘଡ଼େଇ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ପନ୍ତୁରୀ ଗାଁର ନିରାକାର ଘଡାଇଙ୍କ ବଡ ପୁଅ ବାଇଧର ଘଡାଇ ନିଜର ସଂର୍ପକୀୟଙ୍କ ଜରିଆରେ କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ଗତ ୫ ମାସ ହେବ କାମ କରି ଆସୁଥିଲେ । କିନ୍ତୁ ହଠାତ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ ହୋଇଥିଲା । ଚିକିତ୍ସାରେ କୌଣସି ସୁଫଳ ନମିଳିବା ସହ ଅଧିକ ଯନ୍ତ୍ରଣା କାରଣରୁ କମ୍ପାନୀ ଛାଡି ଭାରତ ଫେରି ଆସିବାକୁ ସ୍ଥିର କରିଥିଲେ । 

ହେଲେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଚକିରିରୁ ଅବ୍ୟାହତି ଦେଇନଥିଲେ । କିମ୍ବା ବକେୟା ଦରମା ମଧ୍ୟ ଦେଉନଥିବା ବାଇଧର, ପରିବାର ଲୋକଙ୍କୁ ଜଣାଇଥିଲେ ।ଅସହାୟ ବାଇଧର ସେଠାରେ ଅର୍ଥ ଅଭାବରୁ ଭୋକ ଉପାସରେ ରହୁଥିଲେ । ଏନେଇ ବାଇଧରଙ୍କ ପିତା ନିରାକାର ଘଡାଇ ପୁଅକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ପରେ ବୈଜୟନ୍ତଙ୍କ ଉଦ୍ୟମରେ ଦୁବାଇରୁ ଅସୁସ୍ଥ ଓଡିଆ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା ।