• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଓଡ଼ିଶାକୁ ବଦନାମ କରିବା ବନ୍ଦ ହେଉ- ବିଜେଡି ।

  • ବିଜେପି ଶସ୍ତା ରାଜନୀତି କରୁଛି କହିଲେ ସସ୍ମିତ ।

  • ନିର୍ବାଚନ ଆସିଲେ ବିଜେପିର ନାରୀ ସୁରକ୍ଷା କଥା ମନେପଡ଼େ ।

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଜଳୁଛି ମମିତା ନିଆଁ । ଆଉ ମମିତା ନିଆଁରେ ଆଉଟୁ ପାଉଟୁ ହେଲେଣି ରାଜ୍ୟ ସରକାର । ରାଜ୍ୟ ବିଜେପି ପକ୍ଷରୁ ମମିତାଙ୍କୁ ନ୍ୟାୟ ଦାବିରେ ସାରା ରାଜ୍ୟରେ ଆନ୍ଦୋଳନକୁ ଜୋରଦାର କରାଯାଉଥିବା ବେଳେ ଏବେ ବିଜେଡି ଆତ୍ମରକ୍ଷା କରିବା ଆରମ୍ଭ କରିଛି । ଜଣକ ପରେ ଜଣେ ନେତା ବିଜେପିର ଆନ୍ଦୋଳନକୁ କାଉଣ୍ଟର କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ସାଂସଦ ସସ୍ମିତ ପାତ୍ର ବି ପଛରେ ନାହାନ୍ତି ।

ମମିତା ମେହେର ହତ୍ୟା ମାମଲା ନେଇ ବିରୋଧୀଙ୍କ ଆକ୍ରମଣ ପରେ ପାଲଟା ଆକ୍ରମଣ କରିଚନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ମମିତା ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ଅଯଥା ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଏହାସହ ସେ କହିଛନ୍ତି ଯେ, ରାଜ୍ୟକୁ ବଦନାମ କରିବା ବନ୍ଦ ହେଉ । ପୀଡ଼ିତାଙ୍କୁ କିଭଳି ନ୍ୟାୟ ମିଳିବ ତାହା ବିଜେପିର ଚିନ୍ତା ନୁହେଁ କେବଳ ରାଜନୀତି ଚିନ୍ତା ବୋଲି ସସ୍ମିତ କହିଛନ୍ତି । ନିର୍ବାଚନ ଆସିଲେ ବିଜେପିର ନାରୀ ସୁରକ୍ଷା କଥା ମନେପଡ଼େ । ଆଉ ନିର୍ବାଚନ ସରିଲେ ସେ ସବୁ ଭୁଲିଯାଏ ।

ଶସ୍ତା ରାଜନୀତି କରି ବିଜେପି ଓଡ଼ିଶାକୁ ଜାତୀୟସ୍ତରରେ ବଦନାମ କରୁଥିବା କହିଛନ୍ତି ସସ୍ମିତ । ଯଦି କାହା ପାଖରେ କିଛି ତଥ୍ୟ ଅଛି, ତେବେ ସେସବୁକୁ ପୋଲିସକୁ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ବିଭିନ୍ନ ଘଟଣା ପରେ ବିରୋଧୀ ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରୁଛି । ଯଦି କିଛି ତଥ୍ୟ ମିଳୁଛି, ତାହା ଦେବାକୁ ସସ୍ମିତ ଚ୍ୟାଲେଞ୍ଜ କରିଛନ୍ତି ।

ଅନ୍ୟପଟେ ଆଜି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଏସ୍‌ପି ଅଫିସ ସମ୍ମୁଖରେ ଧାରଣା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଏହା ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ପାର୍ଟି ଅଫିସରୁ କୋକେଇ ଶୋଭାଯାତ୍ରାରେ ଆସି ଏସ୍‌ପି ଅଫିସ ଆଗରେ ପହଞ୍ଚିଥିଲେ । ସେଠାରେ କର୍ଡନ ଭାଙ୍ଗି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଘଟଣାର ଉଚିତ ତଦନ୍ତ ଦାବିରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଜୋରଦାର କରିଛି । 

ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ସମ୍ବେଦନହୀନ ସରକାର ଆଉ ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ବସିଛନ୍ତି । ନିଜ ଶାସନରେ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ । ଦୋଷୀ ମନ୍ତ୍ରୀଙ୍କୁ ବହିଷ୍କାର ସହ CBI ତଦନ୍ତ ନିର୍ଦ୍ଦେଶ ନଦିଆଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ପୃଥ୍ୱୀରାଜ କହିଛନ୍ତି ।