• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ:  ମାଟିରେ ମିଶିଲା ପାକିସ୍ତାନର ଜନକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତି । ବେଲୋଚିସ୍ତାନର ଗୁଆଦରରେ କିଛି ମାସ ତଳେ ସ୍ଥାପନ କରାଯାଇଥିବା ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ବିସ୍ଫୋରଣରେ ଉଡ଼ାଇ ଦେଇଛି ବେଲୋଚିସ୍ତାନ ଲିବେରେସନ ଆର୍ମି-BLA । ପାକିସ୍ତାନଠାରୁ ସ୍ୱାଧୀନତା ହାସଲ ଲାଗି ସଂଘର୍ଷ ଚଳାଇଥିବା BLA ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି । ଭାରତ-ପାକିସ୍ତାନ ବିଭାଜନ ପୂର୍ବରୁ ବେଲୋଚିସ୍ତାନକୁ ବ୍ରିଟିଶ ସରକାର ଏକ ସ୍ୱାଧୀନ ରାଷ୍ଟ୍ରଭାବେ ମାନ୍ୟତା ଦେଇଥିଲେ । ମାତ୍ର ଜିନ୍ନା ପାକିସ୍ତାନ ଆର୍ମି ସହାୟତାରେ ବଳପୂର୍ବକ ବେଲୋଚିସ୍ତାନ ଉପରେ କବ୍‌ଜା କରିଥିଲେ । ତେବେ ଏଠାକାର ଜନତା ଏଯାଏଁ ଏହାକୁ ସ୍ୱୀକାର କରିନାହାନ୍ତି ।

ଗୁଆଦର ବନ୍ଦର ନିକଟରେ ସଗର୍ବେ ଠିଆ ହୋଇଥିଲା ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନାଙ୍କ ପ୍ରତିମୂର୍ତ୍ତି । କିନ୍ତୁ ଏବେ ଖାଲି ପିଣ୍ଡି ଅଛି, ହେଲେ ପ୍ରତିମୂର୍ତ୍ତି ନାହିଁ । ଖଣ୍ଡବିଖଣ୍ଡିତ ହୋଇ ମାଟିରେ ଲୋଟିଛି ପ୍ରତିମୂର୍ତ୍ତି । ଟାଇମ୍ ଡିଭାଇସ ଲଗାଇ ପ୍ରତିମୂର୍ତ୍ତିକୁ ଉଡାଇ ଦେଇଛି ବେଲୋଚିସ୍ତାନ ଲିବରେସନ ଆର୍ମି-BLA । ପାକିସ୍ତାନରେ କାଏଦା-ଆଜମ୍ ଭାବେ ଜଣାଶୁଣା ଜିନ୍ନାଙ୍କ ପ୍ରତି ବେଲୋଚିସ୍ତାନରେ କେତେ ଘୃଣା ଭରିରହିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି । କାରଣ ସେମାନଙ୍କ ସହ ଯେଉଁ ବିଶ୍ୱାସଘାତକତା ହୋଇଥିଲା ତାକୁ ଏଯାଏଁ ଭୁଲି ନାହାନ୍ତି ବେଲୋଚିସ୍ତାନବାସୀ ।

ପୂର୍ବରୁ ୨୦୧୩ରେ BLA ଜିଆରତ୍‌ରେ ଥିବା ଜିନ୍ନାଙ୍କ ଘରକୁ ଉଡ଼ାଇ ଦେଇଥିଲା । ଭାରତ-ପାକିସ୍ତାନ ବିଭାଜନ ପୂର୍ବରୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରଥିଲା ବେଲୋଚିସ୍ତାନ । ବ୍ରିଟିଶ ସରକାର ମଧ୍ୟ ଏହାକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ସହ ସ୍ୱାଧୀନତା ପ୍ରଦାନ କରିଥିଲା । ତେବେ ରାଜବଂଶ ଶାସିତ ବହୁ ପ୍ରଦେଶ ପାକିସ୍ତାନରେ ମିଶିବାକୁ ରାଜି ହୋଇଥିଲେ ବି ବେଲୋଚିସ୍ତାନର ଶାସକ ଖାନ୍ ଅଫ୍ କଲାତ୍ ଏଥିରେ ରାଜି ହୋଇନଥିଲେ । ସେ ବେଲୋଚିସ୍ତାନର ସ୍ୱାଧୀନତା ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ । ବେଲୋଚିସ୍ତାନ ପାର୍ଲାମେଣ୍ଟରେ ମଧ୍ୟ ଏସଂପର୍କିତ ପ୍ରସ୍ତାବ ପାରିତ ହୋଇଥିଲା । ଜିନ୍ନା ପ୍ରଥମେ ବେଲୋଚିସ୍ତାନ ସ୍ୱାଧୀନ ରାଷ୍ଟ୍ର ରହିବା ସପକ୍ଷରେ ଥିଲେ ମଧ୍ୟ, ପରେ ମନ ପରିବର୍ତ୍ତନ କରିବା ସହ ସୈନ୍ୟ ପଠାଇ ଏହି ପ୍ରଦେଶ ଉପରେ କବ୍‌ଜା କରିଥିଲେ । ମାତ୍ର ଆଜି ଯାଏଁ ବେଲୋଚବାସୀ ଏହାକୁ ଗ୍ରହଣ କରିନାହାନ୍ତି ।

ପାକିସ୍ତାନଠାରୁ ସ୍ୱାଧୀନତା ହାସଲ ଲାଗି ସଂଘର୍ଷ ଜାରି ରଖିଛି ବେଲୋଚିସ୍ତାନ ଲିବରେସନ ଆର୍ମି- BLA । ତେବେ ପାକିସ୍ତାନ ସେନା ବେଲୋଚିସ୍ତାନର ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେଠାରେ ଦମନଳୀଲା ଚଳାଇଛି । ଫଳରେ BLAର ବହୁ ନେତା ଦେଶଛାଡି ବିଦେଶରେ ନିର୍ବାସନ ଜୀବନ ବିତାଉଛନ୍ତି । ମାତ୍ର ସଂଗଠନ, ସୁଯୋଗ ଉଣ୍ଡି ପାକିସ୍ତାନ ସେନା ଉପରେ ଆକ୍ରମଣ କରୁଛି । ଏବେ ଚୀନ୍ ବେଲୋଚିସ୍ତାନ ଦେଇ ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର ବା ସିପେକ୍ ନିର୍ମାଣ କରୁଥିବାର କ୍ଷୁବ୍ଧ ହୋଇଛନ୍ତି ଏଠିକାର ବାସିନ୍ଦା । ଯାହାର ଫଳ ସ୍ୱରୂପ ଉଗ୍ର ହୋଇଛି ପାକିସ୍ତାନ ବିରୋଧୀ ମନୋଭାବ । ନିକଟରେ ଏଠାରେ କାର୍ଯ୍ୟରତ ଚିନୀ ଇଂଜିନିୟରଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିଲା । ଏଥିରେ ୯ ଜଣ ଚୀନି ଇଂଜିନିୟରଙ୍କ ମୃତ୍ୟୁ ଘଟିଥିଲା ।

ବେଲୋଚିସ୍ତାନ ପାକିସ୍ତାନର ସର୍ବବୃହତ ପ୍ରଦେଶ ହୋଇଥିଲେ ମଧ୍ୟ ଏଠାରେ ଦେଶର ମାତ୍ର ୩ ପ୍ରତିଶତ ଲୋକ ବାସ କରନ୍ତି । ଅନ୍ୟପକ୍ଷରେ ଏଠାରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ସୁନା ଓ ତମ୍ବା ସମେତ ଅତି ମୂଲ୍ୟବାନ ଖଣିଜ ପଦାର୍ଥ ପ୍ରଚୁର ପରିମାଣରେ ରହିଛି । ତାସହିତ ଗୁଆଦର ଭଳି ଗୁରୁତ୍ୱପୂର୍ଣ୍ଣ ବନ୍ଦର ବି ଅଛି । ତେବେ ପାକିସ୍ତାନ ସରକାର ଏହି ଅଞ୍ଚଳର ବିକାଶ ନକରି, ବର୍ଷ ବର୍ଷ ଧରି କେବଳ ଏଠାକାର ଖଣିଜ ସଂପଦକୁ ଲୁଟି ଚାଲିଛି । ଫଳରେ ବେଲୋଚବାସୀ ଅତି ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । ଅଧିକାଂଶ ଲୋକ ଅତି ଗରିବ ହୋଇଥିବା ବେଳେ ଏମାନଙ୍କ ଭଲ ଘର ନାହିଁ କି ଏଠାରେ ପିଇବା ପାଣି ବି ମିଳେନାହିଁ । ପାକିସ୍ତାନ ପରେ ଚୀନ୍ ଏହି ଅଞ୍ଚଳର ଖଣିଜ ଉପରେ ଆଖି ପକାଇଥିବାରୁ ଖଡ୍‌ଗହସ୍ତ ହୋଇଛନ୍ତି ବେଲୋଚିସ୍ତାନ ବାସିନ୍ଦା ।