• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭୟଙ୍କର ଗ୍ରୀଷ୍ମ ପ୍ରବାହ ପାଇଁ କଟକ-ଭୁବନେଶ୍ୱରକୁ ରେଡ୍ ଆଲର୍ଟ ଜାରି । ଖରାର ପ୍ରକୋପ ବଢ଼ିବା ନେଇ ଟ୍ୱିନ ସିଟିକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମ୍ଭାବନା ନେଇ ରେଡ୍‌ ଆଲର୍ଟ ଜାରି ହୋଇଛି । ସେପଟେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।

ବିଶେଷ କରି ଉତ୍ତର ଓଡ଼ିଶା ଓ ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ୪୫ ଡିଗ୍ରୀ ପାର କରିପାରେ ପାରଦ । ଏହିସବୁ ଅଞ୍ଚଳକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନାହିଁ । ତେବେ ଆସନ୍ତା ମେ ୯ ତାରିଖ ଯାଏଁ ସେଭଳି କୌଣସି ବଡ଼ ବର୍ଷାର ସଂଭାବନା ନଥିବାରୁ ତାତିରେ ଲାଗିବନି ବ୍ରେକ ।

ଡହଡହ ଖରା ସାଙ୍ଗକୁ ଝାଂଜିରେ ସିଝିବ ସାରା ରାଜ୍ୟ । ତେବେ ଆଜି ଦିନ ସାଢେ ୧୧ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୧.୨, କେନ୍ଦୁଝର ୪୦.୬, ବାଲେଶ୍ୱର ୪୦.୧, ସମ୍ବଲପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଗତ ୧୨ ଦିନ ହେବ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ଲଗାତାର ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏପ୍ରିଲ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୧୪ ଦିନ ଧରି ଉଷ୍ମ ଦିନ ରେକର୍ଡ ହୋଇସାରିଲାଣି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।

ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ, ପ୍ରଚଣ୍ଡ ହେଲାଣି ତାତି। ଗତକାଲି ରାଜ୍ୟର ୩୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଟପିଥିବାବେଳେ ତା’ମଧ୍ୟରୁ ୪ଟି ସହରର ପାରଦ ୪୪ ପାର୍ କରିଥିଲା । ୪୪.୬ ଡିଗ୍ରୀ ସହ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା ।