• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

News Highlights

  • ପ୍ରିୟବ୍ରତଙ୍କ ପରେ କିଏ ହେବେ ଭୁବନେଶ୍ୱର କ୍ଲବ୍‌ ମୁଖିଆ ?

  • ଖାଲି ପଡିଛି କ୍ଲବ୍ ସଭାପତି ପଦ

ଭୁବନେଶ୍ୱର : ପ୍ରିୟବ୍ରତଙ୍କ ପରେ କିଏ ହେବେ ସଂଭ୍ରାନ୍ତ ଭୁବନେଶ୍ୱର କ୍ଲବ୍‌ର ନୂଆ ମୁଖିଆ ? ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ଓ କରୋନା ମହାମାରୀ ଯୋଗୁଁ ଖାଲି ପଡ଼ିଛି ଭୁବନେଶ୍ୱର କ୍ଲବର ସଭାପତି ପଦ। ସେହିଭଳି ଅନ୍ୟାନ୍ୟ ପଦବୀ ପୂରଣ ଲାଗି କ୍ଲବ୍‌ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା। ତେବେ ଏଥର ସଭାପତି ଦୌଡ଼ରେ ଦୁଇ ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଓ ଅସୀତ କୁମାର ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହେଉଥିବାରୁ ଏହାକୁ ନେଇ ପାଓ୍ୱାର କରିଡରରେ ଜୋରଦାର ଚର୍ଚ୍ଚା ଚାଲିଛି। ସେପଟେ ନିର୍ବାଚନ କେବେ ହେବ, ସେନେଇ ଆଜି ବସିଛି କ୍ଲବର ଇଲେକ୍ସନ କମିଟି ବୈଠକ।

ରାଜ୍ୟର ସବୁଠୁ ପାଓ୍ୱାରଫୁଲ ଓ ହାଇପ୍ରୋଫାଇଲ କ୍ଲବ୍ କୁହାଯାଉଥିବା ଭୁବନେଶ୍ୱର କ୍ଲବର ସଭାପତି ଓ ଅନ୍ୟ ପଦାଧିକାରୀ ପଦବି ଲାଗି ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ତା ପୂର୍ବରୁ କ୍ଲବର ମୁଖ୍ୟ ପଦ ଲାଗି ପାଓ୍ୱାର କରିଡରରେ ଜୋରଦାର ହୋଇଛି ପାଓ୍ୱାର ଷ୍ଟ୍ରଗଲ। ତେବେ ଏଥର ପ୍ରେଷ୍ଟିଜିୟସ୍ ଭୁବନେଶ୍ୱର କ୍ଲବର ସଭାପତି ଦୌଡ଼ରେ ଅଛନ୍ତି ଦୁଇ ପୂର୍ବତନ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ । ନିଜ ନିଜ ସମୟରେ ପାଓ୍ୱାର କରିଡରରେ ବେଶ୍ ଶକ୍ତିଶାଳୀ ଥିଲେ ଉଭୟ ଅଫିସର। ଅସୀତ ତ୍ରିପାଠୀ ଏବେ WODCର ଅଧ୍ୟକ୍ଷ ପଦବୀରେ ରହିବା ସହ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଜିତାପଟ କାହାର ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସେହିପରି କ୍ଲବର ସମ୍ପାଦକ ପଦ ଦୌଡ଼ରେ ଅଛନ୍ତି ଆଇଏଏସ୍ ବିଶାଳ କୁମାର ଦେବ। ସମ୍ପାଦକ ପଦ ପାଇଁ ମୋଟ ୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେବେ ଟକ୍କର ପୂର୍ବତନ ସଭାପତି ପ୍ରିୟବ୍ରତ ପଟ୍ଟନାୟକଙ୍କ ଟିମ୍‌ରେ ସମ୍ପାଦକ ଥିବା ଅଶୋକ ଚିଞ୍ଚେଲା ଓ ବିଶାଳ ଦେବ ଓ ଶ୍ରୀମନ୍ଦିର ସେବାୟତ ଦାମୋଦର ପ୍ରଧାନୀଙ୍କ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି ଉପସଭାପତି ପଦ ପାଇଁ ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ ଥିବାବେଳେ ଯୁଗ୍ମ ସମ୍ପାଦକ ପାଇଁ ୩ ଜଣ ମୈଦାନରେ ଅଛନ୍ତି । ୨୦ଟି କାର୍ଯ୍ୟନିର୍ବାହୀ ବା ଏକ୍‌ଜିକ୍ୟୁଟିଭ୍ କମିଟି ସଦସ୍ୟ ପାଇଁ ୨୨ ଜଣଙ୍କ ନାମ ଚୂଡ଼ାନ୍ତ ହୋଇଛି।

ପ୍ରକାଶଥାଉ ଯେ ଭୁବନେଶ୍ୱର କ୍ଲବର ଶେଷ ସଭାପତି ଥିଲେ ଆଇଏସ୍ ପ୍ରିୟବ୍ରତ ପଟ୍ଟନାୟକ। ସେ ସଭାପତି ହେବା ପରଠୁ ହିଁ ନିରବଚ୍ଛିନ୍ନ ଭାବେ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟ ପଦବୀ ଲାଗି ନିର୍ବାଚିତ ହୋଇ ଆସୁଥିଲେ। ତେବେ ତାଙ୍କ ବିୟୋଗ ପରେ କ୍ଲବର ସଭାପତି ପଦବୀ ଖାଲି ପଡ଼ିବା ସହ କରୋନା ମହାମାରୀ ପାଇଁ ୨୦୧୯-୨୦ ପରଠୁ ଭୁବନେଶ୍ୱର କ୍ଲବ ପାଇଁ ଆଉ ନିର୍ବାଚନ ବି ହୋଇନି। ୧୯୫୦ର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବ୍‌ର ପ୍ରଥମ ସଭାପତି ଥିଲେ ଖଲ୍ଲିକୋଟର ରାଜା ବାହାଦୂର। ସେବେଠୁ ସଭାପତି ପଦରେ ରାଜରାଜୁଡ଼ାଙ୍କ ଦବ୍ଦବା ଜାରି ରହିଥିବା ବେଳେ ୧୯୬୫ ମସିହା ପରଠୁ ଆଇଏଏସ୍‌ଙ୍କ ଆଧିପତ୍ୟ ବଳବତ୍ତର ରହିଛି।