• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁମ୍ବାଇ : ମାୟାନଗରୀ ମୁମ୍ବାଇ ପାଇଁ ନୂଆ ଟ୍ରାଫିକ ନିୟମ । ରାସ୍ତାରେ ଆଉ କାର୍ ଅଟକାଇବନି ଟ୍ରାଫିକ୍ ପୋଲିସ୍ । ବିନାକାରଣରେ ଚେକିଂ ମଧ୍ୟ କରାଯିବ ନାହିଁ । ଫଳରେ ବିନା ବାଧାରେ ଯିବାଆସିବା କରିହେବ । ବର୍ତ୍ତମାନ ଟ୍ରାଫିକ୍ ପୋଲିସ୍ ଅନାବଶ୍ୟକ ଭାବରେ ଆପଣଙ୍କୁ ଆଉ ହଇରାଣ କରିବେ ନାହିଁ । ନୂଆ ନିର୍ଦ୍ଦେଶ ଅନୁସାରେ ପୋଲିସ କମିଶନର ହେମନ୍ତ ନାଗରାଲ ଟ୍ରାଫିକ ବିଭାଗକୁ ଏ ସମ୍ପର୍କରେ ଏକ ସର୍କୁଲାର ଜାରି କରିଛନ୍ତି ।

ମୁମ୍ବାଇର ଟ୍ରାଫିକ୍ ସମ୍ପର୍କରେ ସମସ୍ତେ ଜାଣନ୍ତି । ଗନ୍ତବ୍ୟରେ ପହଞ୍ଚିବାକୁ ହେଲେ ଦୁଇ ଘଣ୍ଟା ପୂର୍ବରୁ ବାହାରିବାକୁ ପଡ଼େ । ଟ୍ରାଫିକ୍ ସମସ୍ୟା ଯୋଗୁଁ ହଇରାଣ ହୁଅନ୍ତି ମୁମ୍ବାଇବାସୀ । ତେବେ ବର୍ତ୍ତମାନ ଏପରି ସମସ୍ୟା ଆଉ ଦେଖାଦେବ ନାହିଁ । ଅଯଥାରେ ଗାଡି ଯାଞ୍ଚ ନକରିବା ପାଇଁ ଟ୍ରାଫିକ ପୋଲିସଙ୍କୁ ସର୍କୁଲାରରେ କୁହାଯାଇଛି । ବିଶେଷ କରି ଯେଉଁଠାରେ ଚେକ୍ ପୋଷ୍ଟ ରହୁଛି, ସେଠାରେ ସେମାନେ କେବଳ ଟ୍ରାଫିକ୍ ଉପରେ ନଜର ରଖିବେ । ଟ୍ରାଫିକ ପୋଷ୍ଟ ପାଖାପାଖି ଅଧିକ ବେଗରେ ଗାଡ଼ିଚାଳନା କରୁଥିବା ଲୋକଙ୍କୁ ହିଁ ଅଟକାଇବେ ଟ୍ରାଫିକ୍ ପୋଲିସ୍ ।

ଅନେକ ସମୟରେ ସନ୍ଦେହ କରି ଟ୍ରାଫିକ୍ ପୋଲିସ ମାନେ ଗାଡ଼ିକୁ ଅଟକାଉଥିବା ଦେଖିବାକୁ ମିଳେ । ଫଳରେ ଅଯଥାରେ ଲୋକଙ୍କୁ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଅଟକିବାକୁ ପଡ଼େ । ଆଉ ଏଥିଯୋଗୁଁ ମଧ୍ୟ ଯାତାୟାତ ବାଧାପ୍ରାପ୍ତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ତଥା ମୁମ୍ବାଇବାସୀଙ୍କୁ ଆଶ୍ୱସ୍ତି ଦେବାପାଇଁ ନୂଆ ଟ୍ରାଫିକ୍ ନିୟମ ହୋଇଛି ।

ସିପି ନାଗରାଲଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ସର୍କୁଲାରରେ ସମସ୍ତ ଟ୍ରାଫିକ ପୋଲିସକୁ ନୂତନ ଟ୍ରାଫିକ୍ ନିୟମ ଅନୁସାରେ କାମ କରିବାକୁ କୁହାଯାଇଛି । ରାସ୍ତାରେ ଯାତାୟାତ ବୃଦ୍ଧି ପାଉଥିବାରୁ, ଟ୍ରାଫିକ ଗତିବିଧି ଉପରେ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ରହିଛି । ତେବେ ମୋଟର ଚାଳକମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ, ମୋଟର ଯାନ ଅଧିନିୟମ ଅନୁଯାୟୀ ଟ୍ରାଫିକ ପୋଲିସ ସେମାନଙ୍କ ଅଟକାଇ ପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯିବା ଆସିବା ସମୟରେ କୌଣସି ପ୍ରକାର ଯାଂଚ ନକରିବାକୁ କୁହାଯାଇଛି । ଟ୍ରାଫିକ ପୋଲିସ ଏବଂ ସ୍ଥାନୀୟ ପୋଲିସର ମିଳିତ ନାକାବନ୍ଦୀ ସମୟରେ ଟ୍ରାଫିକ ପୋଲିସ କେବଳ ଟ୍ରାଫିକ ନିୟମ ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଯାନବାହାନ ଯାଞ୍ଚ କରିବ ନାହିଁ । ଏହି ନିର୍ଦ୍ଦେଶ ଗୁଡିକ କଡାକଡି ଭାବେ କାର୍ଯ୍ୟକାରୀ ନହେଲେ ସଂପୃକ୍ତ ଟ୍ରାଫିକ୍ ପୋଷ୍ଟର ବରିଷ୍ଠ ଇନ୍ସପେକ୍ଟର ଦାୟୀ ରହିବେ ।