• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଜଳମୟ ମାୟାନଗରୀ

  • ବଢୁଛି ମୃତ୍ୟୁସଂଖ୍ୟା

  • ସ୍ଥିତି ଅଣୟାତ

  • ମହାରାଷ୍ଟ୍ରକୁ ମହାବିପତ୍ତି

ମୁମ୍ବାଇ: ମହାରାଷ୍ଟ୍ରକୁ ମହାବିପତ୍ତି। ରାଜ୍ୟ ବ୍ୟାପି ପ୍ରଳୟ ରଚିଛି ବର୍ଷା ବିତ୍ପାତ। ରାଇଗଡ଼ ଜିଲ୍ଲାରେ ମାଟି ଅତଡ଼ା ଧସି ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଧ୍ୱସାଂବଶେଷ ତଳେ ଅନେକ ଲୋକ ଫସି ରହିଛନ୍ତି। ସେପଟେ ମୁମ୍ବାଇରେ ଘରଭୁଶୁଡି ୭ ଜଣଙ୍କ ଜୀବନ ଯାଇଛି । ରତ୍ନଗିରି, କୋହ୍ଲାପୁର ଜିଲ୍ଲାରେ ଅନେକ ନଦୀରେ ଜଳସ୍ତର ବଢୁଥିବା ବେଳେ ସାଙ୍ଗଲି ଓ ଅମରାବତୀ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ସ୍ଥିତି ସଂଗୀନ ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ସେନା, ଏନ୍‌ଡ଼ିଆର୍‌ଏଫ୍‌କୁ ମୁତୟନ କରାଯାଇଛି।

ପ୍ରବଳ ବର୍ଷା, ଭୟଙ୍କର ବିପତ୍ତି। କେଉଁଠି ପାହାଡ଼ ଧସିଛି ତ କେଉଁଠି ତାଣ୍ଡବ ରଚୁଛି ବନ୍ୟା। ଗତ ୨୪ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ପରେ ବେହାଲ ସାରା ମହାରାଷ୍ଟ୍ର। ରତ୍ନଗିରିରୁ ରାଇଗଡ଼, କୋହ୍ଲାପୁରରୁ ମୁମ୍ବାଇ। ବର୍ଷା ବିତ୍ପାତରେ ସବୁଠି ହାହାକାର ସ୍ଥିତି। ଆଖି କେବେ ନଦେଖିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ।

ସବୁଠୁ ଅଧିକ ପ୍ରଭାବିତ ହୋଇଛି ରାଇଗଡ଼ ଜିଲ୍ଲା। ଆଉ ମାହାଡ଼ ଅଞ୍ଚଳରେ ଭୂସ୍ଖଳନର ଚିତ୍ର ଦେଖିଲେ ଆପଣ ବି ବ୍ୟସ୍ତ ହୋଇ ପଡ଼ିବେ। କେଉଁଠି ରାସ୍ତା ଉପରେ ପାହାଡ଼ ତ ଆଉ କେଉଁଠି ପ୍ରବଳ ପାହାଡ଼ି ପାଣି ମାଡ଼ି ଆସି ରାସ୍ତାର ଚିହ୍ନ ବର୍ଣ୍ଣ ନାହିଁ। ସେପଟେ ପାଣି ସୁଅରେ ଭାସିଯାଇ ଗଛ ପାଖରେ ଲାଗିଛି କାର।

ରାଇଗଡ ଜିଲ୍ଲାରେ ପ୍ରକୃତିର ଏ କ୍ରୁର ତାଣ୍ଡବରୁ ମାଟି ଅତଡା ଧସି ୩୮ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ବହୁ ଲୋକ ମାଟି ତଳେ ଫସିଛନ୍ତି। ଅନେକ ଘର ସହ ବହୁ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ଥିଲେ ବି ଅନେକ ସ୍ଥାନକୁ ଯୋଗା ଯୋଗ ବିଚ୍ଛିନ୍ନ ଥିବାରୁ ସମସ୍ୟା ଉପୁଜିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କୋହ୍ଲାପୁରର ପଞ୍ଚଗଙ୍ଗା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବଢୁଛି ଚିନ୍ତା। ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀର ଜଳସ୍ତର ବଢୁଥିବାରୁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସାଙ୍ଗଲି, ଅମରାବତୀ ଓ ରତ୍ନଗିରି ଜିଲ୍ଲାରେ ବନ୍ୟାର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି। ପ୍ରଳୟ ଜଳରୁ ଜୀବନ ବଞ୍ଚାଇବାର ପ୍ରାଣମୂର୍ଚ୍ଛା ପ୍ରୟାସ ଚାଲିଛି। ସ୍ଥିତିର ଗମ୍ଭୀରତାକୁ ଦେଖି NFRD, SDRF ସହ ସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। କିଛି ସ୍ଥାନରେ ଚପର ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ପାଣି ବଢୁଥିବାରୁ ଲୋକଙ୍କୁ ଉଚ୍ଚ ସ୍ଥାନ କିମ୍ବା ଛାତ ଉପରକୁ ଚାଲିଯିବାକୁ କୁହାଯାଇଛି। ଜଳପ୍ରଳୟରେ ଉବୁଟୁବୁ ହେଉଥିବା ମହାରାଷ୍ଟ୍ରରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଓଡିଶାରୁ ମଧ୍ୟ ୬ଟି ଏନଡିଆରଏଫ୍ ଟିମ ଯାଇଛନ୍ତି। ସେଥିରୁ ୪ଟି ଟିମ୍ ପୁଣେ ଓ ୨ଟି ଟିମ୍ ରତ୍ନଗିରିରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

ପ୍ରବଳ ବର୍ଷାରେ ମାୟାନଗରୀ ମୁମ୍ବାଇରେ ବି ତଦ୍ରୁପ ସ୍ଥିତି। ଗୋବଣ୍ଡିରେ ଏକକୋଠା ଭୁଶୁଡି ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ କିଛି ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। କୁହାଯାଉଛି ଯେ ମହାରାଷ୍ଟ୍ରରେ ଏଇ ଜୁଲାଇ ମାସରେ ଏଥର ଯେତେ ବର୍ଷା ହୋଇଛି ବିଗତ ୪୦ ବର୍ଷ ଭିତରେ ରାଜ୍ୟବାସୀ ଏମିତି ବର୍ଷା ଦେଖିନଥିଲେ। ଲଗାତର ପ୍ରବଳ ବର୍ଷାରେ ଭରିଥିବା ନଦୀ ନାଳ, ଗତ ୨୪ ଘଣ୍ଟାର ପ୍ରବଳ ବର୍ଷାରେ ପ୍ରଳୟ ରୂପ ଧାରଣ କରିଛି। ସେପଟେ ଆସନ୍ତା ଦୁଇଦିନ ଯାଏଁ ଅତିପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାରୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି।