• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନିଷ୍ଠୁର ମାନସିକତା

  • ନିରୀହ ପଶୁ କୁକୁର ଉପରେ ଏସିଡ୍ ପକାଇ ମାରିଦେଲା ମଣିଷ

ଉଜ୍ଜୟନୀ : ଦୁର୍ବଳ ଉପରେ ସବଳର ଅତ୍ୟାଚାର । ଦିନକୁ ଦିନ ନିଷ୍ଠୁରତାର ସୀମା ପାର କରୁଛି ମଣିଷ । ଧାର୍ମିକ ନଗରୀରେ ନିରୀହ ପଶୁ ପ୍ରତି କ୍ରୁରତା । ମଧ୍ୟପ୍ରଦେଶର ଉଜ୍ଜୟନୀରେ ପଶୁଙ୍କ ପ୍ରତି ହିଂସାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାସ୍ତାରେ ବୁଲୁଥିବା କୁକୁରମାନଙ୍କ ଉପରେ କେହି ଜଣେ ବ୍ୟକ୍ତି ଏସିଡ୍ ପକାଇ ଆକ୍ରମଣ କରିଛି । ଫଳରେ ୫ ଜଣ କୁକୁରଙ୍କ ମୃତ୍ୟୁ ହୋଇଛି । ଉଜ୍ଜୟନୀ ଦେବାସ ରୋଡରେ ଏଭଳି ବର୍ବର କାଣ୍ଡ ଘଟିଛି ।

ମଣିଷପଣିଆ ହରାଉଛି ମଣିଷ । କେବେ କାର ଚଢ଼ାଇ ପଶୁଙ୍କୁ ହତ୍ୟା କରୁଛି ତ ଆଉ କେବେ ଜଳନ୍ତା ଟାୟାର ଫୋପାଡ଼ି ପଶୁକୁ ହତ୍ୟା କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ସମାନ ଘଟଣାର ପୁନରାବୃତ୍ତି ଘଟିଛି । ଉଜ୍ଜୟନୀରେ ବୁଲା କୁକୁରମାନଙ୍କ ଉପରେ କୌଣସି ଏକ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ସ୍ପଷ୍ଟ କରିଛନ୍ତି ସିଏସ୍‌ପି ବନ୍ଦନା ଚୌହାନ । ଯାହାକୁ ନେଇ ଉଜ୍ଜୟନୀର ନାଗାଝିରି ଥାନା ନିକଟସ୍ଥ ମହାଲକ୍ଷ୍ମୀ ନଗରର କିଛି ଲୋକ ଅଭିଯୋଗ କରିଛନ୍ତି । କଲୋନୀରେ ବୁଲୁଥିବା କୁକୁରମାନଙ୍କ ଉପରେ କେହି ଜଣେ ଦୁର୍ବୃତ୍ତ ଏସିଡ ପକାଇଦେବା ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲେ ।

ବିକଳ ହୋଇ ଚିତ୍କାର କରୁଥିଲେ ନୀରିହ ପଶୁ । କଥା କହିପାରୁନଥିଲେ ମଧ୍ୟ ଗୁଁ ଗୁଁ କରି କ’ଣ ସବୁ କହିଯାଉଥିଲେ । ତେବେ ଏନେଇ ଖବର ଦେବା ପରେ ତୁରନ୍ତ ପଶୁମାନଙ୍କ ପାଇଁ କାମ କରୁଥିବା ଏନ୍‌ଜିଓ ଗୁରୁତର କୁକୁରମାନଙ୍କୁ ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟ ନେଇଯାଇଥିଲେ । ହେଲେ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । ଏସିଡ୍ ଆକ୍ରମଣରେ ୫ ଜଣ କୁକୁରଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଏ ପ୍ରସଙ୍ଗରେ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆପିସିର ଧାରା ୪୨୮, ୪୨୯ ଏବଂ ପଶୁମାନଙ୍କ ପ୍ରତି ନିଷ୍ଠୁରତା ଆକ୍ଟରେ ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଏହି ଘଟଣାଟିକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । କାରଣ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ଭାବେ ପରିଚିତ କୁକୁରମାନଙ୍କ ପ୍ରତି ଏପରି ନିଷ୍ଠୁର କାଣ୍ଡ କିଏ ବା କେମିତି କରିପାରିବ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।