• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ବିଜୟ ପରେ ପାକିସ୍ତାନର କିଛି ପୂର୍ବତନ ଖେଳାଳି କ୍ରମାଗତ ଭାବେ ଏଣୁ ତେଣୁ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ସେମାନେ ଭାରତୀୟ ଖେଳାଳିଙ୍କୁ ଟ୍ରୋଲ କରିବାରେ ଟିକେ ବି ହେଳା କରୁନାହାନ୍ତି । ମ୍ୟାଚ୍ ଶେଷ ହେବାର ତିନି ଦିନ ପରେ ମଧ୍ୟ ଏହି କମେଣ୍ଟ ମରା ଧାରା ଥମିନାହିଁ ।

ଏହି କ୍ରମରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମୀର କେମିତି ବା ଚୁପ୍‌ ରହିଥାନ୍ତେ ? ଆମୀର ଟ୍ୱିଟରରେ ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ତାଚ୍ଛଲ୍ୟ କରିବାର ଦୁଃସାହସ କରିଦେଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଛି । ଆମୀର ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ପାକିସ୍ତାନର ବିଜୟକୁ ନେଇ ଅତି ଉତ୍‌ଫୁଲିତ ହୋଇ ଟ୍ୱିଟରରେ ହରଭଜନଙ୍କୁ ତାଚ୍ଛଲ୍ୟ କଲେ । ଆମୀରଙ୍କ ତାଚ୍ଛଲ୍ୟ ଦେଖି କେମିତି ବା ସହ୍ୟ କରିବେ ଦ ଟର୍ବୋନେଟର ହଜଭଜନ । ସେ ଆମୀରଙ୍କ ପ୍ରତ୍ୟେକ ଟ୍ୱିଟ୍‌ର ମୁହଁତୋଡ଼ ଜବାବ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ମହମ୍ମଦ ଆମୀର ଟ୍ୱିଟ୍‌ କରି କହିଛନ୍ତି, ମୁଁ ପଚାରିବାକୁ ଚାହୁଁଛି ହରଭଜନ ଭାଇ ନିଜ ଟିଭି ଭାଙ୍ଗି ନାହାନ୍ତି ତ ? କିଛି ନାହିଁ, ଦିନର ଶେଷରେ ଏହା କେବଳ ଏକ କ୍ରିକେଟ ଖେଳ’ ।

ଏହାର ଉତ୍ତରରେ ହରଭଜନ ସିଂ କହିଛନ୍ତି, 'ଏବେ ତୁମେ ବି କହିବ ମହମ୍ମଦ ଆମିର, ଏହି ଛକାର ଲ୍ୟାଣ୍ଡିଂ ତମ ଟିଭିରେ ହୋଇ ନାହିଁ ତ ? କିଛି ନାହିଁ, ଦିନର ଶେଷରେ ଏହା କେବଳ କ୍ରିକେଟ ଖେଳ ହିଁ । ଯେମିତି ତୁମେ କହିଲ । ଏହି ଟ୍ୱିଟ୍ ସହ ହରଭଜନ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାରତୀୟ ଖେଳାଳି ଶେଷ ଓଭରରେ ପାକିସ୍ତନ ବିପକ୍ଷରେ ଛକା ମାରିଛନ୍ତି ।

ହରଭଜନଙ୍କ କାଉଣ୍ଟର ଆଟାକ୍ ପରେ ଆମୀର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚର ଭିଡିଓ ସେୟାର କରି ଲେଖିଛନ୍ତି, 'ମୁଁ ଟିକେ ବ୍ୟସ୍ତ ଥିଲି ହରଭଜନ ସିଂହ । ତୁମର ବୋଲିଂ ଦେଖୁଥିଲି, ଯେତେବେଳେ ଲାଲା ବା ସହିଦ ଆଫ୍ରିଦି ତୁମର ଚାରିଟି ବଲରେ ଚାରଟି ଛକା ମାରିଥିଲେ । କ୍ରିକେଟ୍ ଖେଳ କେତେବେଳେ ବି କିଛି ହୋଇପାରେ । କିନ୍ତୁ ଟେଷ୍ଟ କ୍ରିକେଟ୍‌ରେ ଏହା ଟିକେ ଅଧିକ ହୋଇଗଲା ।

ଯେତେବେଳେ ଆମୀର ଏଭଳି ସୀମା ଅତିକ୍ରମ କଲେ ସେତେବେଳେ ହରଭଜନ ମଧ୍ୟ ଆଉ ଚୁପ୍‌ ରହିଲେ ନାହିଁ । ସେହି ସୋସିଆଲ ମିଡିଆରେ ଆମୀରଙ୍କ ମ୍ୟାଚ୍‌ ଫିକ୍ସିଂ କଥା ମନେ ପକାଇଦେଲେ ହରଭଜନ । ସେ ଟ୍ୱିଟ୍ କରି କହିଛନ୍ତି, ‘ଲର୍ଡସ୍‌ରେ ନୋ-ବଲ୍ କେମିତି ପଡ଼ିଲା ? କେତେ ନେଇଥିଲେ ଆଉ କିଏ ଦେଇଥିଲା ? ଟେଷ୍ଟ କ୍ରିକେଟ୍‌ରେ କେମିତି ବା ନୋ ବଲ୍ ହେବ ? ଏହି ସୁନ୍ଦର ଖେଳକୁ ବଦନାମ କରିଥିବାରୁ ତୁମ ପାଇଁ ଲଜ୍ଜା ଲାଗୁଛି ।

ଏହାପରେ ଆମୀର ପୁଣି ଟ୍ୱିଟ୍‌ କଲେ । ସେ ଲେଖିଲେ ଦୌଡ଼ ଦୌଡ଼ ଲାଲା ଆସିଲେ ।

ଏହାପରେ ହରଭଜନ କେମିତି ବା ଚୁପ୍‌ ରହିବେ । ସେ ଏହାର ଜବାବରେ ଲେଖିଲେ, ମହମ୍ମଦ ଆମୀର ଆପଣଙ୍କ ଭଳି ଲୋକଙ୍କ ପାଇଁ କେବଳ ଟଙ୍କା ହିଁ ସବୁ କିଛି । ନା ଇଜ୍ଜତ ନା ଆଉ କିଛି । କେବଳ ଟଙ୍କା ହିଁ ସବୁ କିଛି । ଏବେ ଆପଣଙ୍କ ଦେଶବାସୀଙ୍କୁ ଓ ସମର୍ଥକଙ୍କୁ କୁହନ୍ତୁ କେତେ ଟଙ୍କା ମିଳିଥିଲା । ଚାଲିଯାଅ ଏଠାରୁ.. ମୋତେ ତୁମ ଭଳି ଲୋକଙ୍କ ସହ କଥା ହେବାକୁ ବି ଘୃଣା ଲାଗୁଛି । ଯେଉଁମାନେ ଖେଳକୁ ବଦନାମ କରିଥାନ୍ତି ।

ଏହା ପରେ ହରଭଜନ ଆଉ ଏକ ଟ୍ୱିଟ୍ ମଧ୍ୟ କଲେ । ଯେଉଁଥିରେ ସେ ଲେଖି ‘ଫିକ୍ସର୍‌କୁ ସିକ୍ସର୍ .. ଆଉଟ୍‌ ଅଫ୍‌ ଦ ପାର୍କ । ମହମ୍ମଦ ଆମୀର, ଚାଲ ଭାଗ ଏଠୁ ।