• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାଲେଶ୍ୱର: ଚୀନ୍‌କୁ ଭାରତର କଡ଼ା ଜବାବ୍। ଆନ୍ତର୍ମହାଦେଶୀୟ ବା ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୫ର ରାତ୍ରିକାଳୀନ ସଫଳ ପରୀକ୍ଷଣ କଲା ଭାରତ। ଧାମରା ଅବଦୁଲ କଲାମ ଦ୍ୱୀପରୁ ସନ୍ଧ୍ୟା ୭ଟା ୫୦ରେ ଏହି ସର୍ଫେସ୍-ଟୁ-ସର୍ଫେସ୍ ମିସାଇଲ୍‌ର ପରୀକ୍ଷଣ ହୋଇଛି। ଦୂରଗାମୀ ଅଗ୍ନି-ଫାଇଭ୍ ମିସାଇଲ୍‌ର ଲକ୍ଷ୍ୟଭେଦ କ୍ଷମତା ୫ହଜାର କିଲୋମିଟର ରହିଛି। ଅର୍ଥାତ୍ ୫ହଜାର କିଲୋମିଟର ଦୂରରେ ଥିବା ଟାର୍ଗେଟ୍‌କୁ ନିର୍ଭୁଲ୍ ଭାବେ ଧ୍ୱଂସ କରିପାରିବ ଏହି କ୍ଷେପଣାସ୍ତ୍ର। ଏହାର ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।  

ଅଗ୍ନି-୫ର ବିକାଶ ପାଇଁ ଆଧାର ହେଉଛି ଅଗ୍ନି-୩। ଯେଉଁଥିରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟର ମୋଟର ସମାନ ବିଶେଷଜ୍ଞ  କହିଛନ୍ତି। କିନ୍ତୁ ଅଗ୍ନି-୫ର ତୃତୀୟ ପର୍ଯ୍ୟାୟରେ ମୋଟରକୁ ବଦଳା ଯାଇଛି। ଫଳରେ ଏହା ଅନ୍ୟ କ୍ଷେପଣାସ୍ତ୍ରଠାରୁ ଭିନ୍ନ ହୋଇଛି। ଏହା ମୋବାଇଲ୍ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ। ଯାହା ତୁରନ୍ତ ଆକ୍ରମଣରେ ସହାୟକ ହେବ। ମିସାଇଲ୍‌ଟି ସଂପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।

ଅଗ୍ନି-୫ ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ହଜାର କେଜି ରହିଛି। ସେକେଣ୍ଡ ପ୍ରତି ଏହାର ବେଗ ୪.୨ କିମି ଥିବା ବେଳେ ୧୨ ମିନିଟ୍‌ରେ ଏହା ଲକ୍ଷ୍ୟଭେଦ କରିପାରିବ। ତେଣୁ ମିସାଇଲଟି ଚାଇନା, ରୁଷ, ମସ୍କୋ, ଆଥେନ୍ସ, କାଇରା, ତେହେରାନ, ହଂକଂ, ବ୍ୟାଙ୍କକ, ଓ ଟୋକିଓ ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ବୋଲି ଜଣେ ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି।

ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର ଡିଆରଡିଓ ୨୦୦୮ରୁ ବିକଶିତ କରିବା ଆରମ୍ଭ କରିଥିଲା। ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ହୋଇଥିଲା। ଏହାପରେ ୨୦୧୩, ୨୦୧୫, ୨୦୧୬, ଓ ୨୦୧୮ରେ ହୋଇଥିବା ପରୀକ୍ଷଣରୁ ନୂଆ ନୂଆ ଶକ୍ତି ଉତ୍ପନ୍ନ କରିବାକୁ ସକ୍ଷମ ହୋଇଥିଲା। ଅଗ୍ନି-୫ର ରାତ୍ରିକାଳୀନ ପରୀକ୍ଷା ୨୦୨୦ରେ ହେବାର ଥିଲା। କିନ୍ତୁ କରୋନା ମହମାରୀ କାରଣୁ ଏଥିରେ ବିଳମ୍ବ ହୋଇଛି।