• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜଲଗାଁ ଜିଲ୍ଲାର ହୃଦୟବିଦାରକ ଘଟଣା

  • ମୃତ୍ୟୁ ପରେ ପ୍ରେମକୁ ସ୍ୱୀକୃତି ଦେଲେ ଉଭୟ ପରିବାର

ଜଲଗାଁ : ମୃତ୍ୟୁ ପରେ ଅମର ହୋଇଗଲା ପ୍ରେମ । ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ପରେ ଉଭୟଙ୍କ ପ୍ରେମକୁ ସ୍ୱୀକୃତି ଦେଲେ ପରିବାର ଲୋକ । ବଞ୍ଚି ଥାଉ ଥାଉ ଏକାଠି କରାଇ ଦେଲେନି, ମରିଗଲା ପରେ ବିବାହ କରାଇଲେ । ସାଥୀ ହୋଇ ଜୀବନ ଜିଇଁବାର ସ୍ୱପ୍ନ ଦେଖୁଥିଲେ, ସାଥୀ ହୋଇ ହାତ ଧରାଧରି ହୋଇ ଚାଲିଗଲେ । ବିବାହ କରାଇବା ପାଇଁ ପରିବାର ଲୋକେ ରାଜି ନହେବାରୁ ହସି ହସି ମୃତ୍ୟୁକୁ କୋଳେଇ ନେଲେ । ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ସିନା ପ୍ରେମକୁ ହାରିବାକୁ ଦେଲେନି । ଆଜି ସେମାନେ ନଥିଲେ ମଧ୍ୟ ତାଙ୍କ ପ୍ରେମ ସବୁଦିନ ପାଇଁ ମନେ ରହିବ । ମହାରାଷ୍ଟ୍ରରର ଜଲଗାଁ ଜିଲ୍ଲାରେ ଏପରି ହୃଦୟବିଦାରକ ଘଟଣା ଘଟିଛି ।

ଜଲଗାଁ ଜିଲ୍ଲାର ପଲାଡ ଗାଁରେ ୨୨ ବର୍ଷୀୟ ମୁକେଶ ସୋନାୱାନେ ଏବଂ ୧୯ ବର୍ଷିୟା ନେହା ଠାକରେ । ନେହା ଏବଂ ତାଙ୍କ ପରିବାର ଗତ କିଛି ମାସ ହେବ ମାମୁଁଙ୍କ ଗାଁ ପଲାଡରେ ରହୁଥିଲେ । ପ୍ରଥମ ଦେଖାଚାହାଁରୁ ହୋଇଥିଲା ପ୍ରେମ । ଦୁଃଖର କଥା ହେଲା ପ୍ରେମ ପାଇଁ ଜୀବନ ଦେବାକୁ ପଛାଇଲେନି । ପରସ୍ପର ପରସ୍ପରକୁ ହୃଦୟ ଦେଇ ଭଲ ପାଉଥିଲେ । ହେଲେ ଚିରାଚରିତ ଭାବେ ଉଭୟଙ୍କ ପ୍ରେମରେ କଣ୍ଟା ସାଜିଥିଲେ ପରିବାର ଲୋକ । ତେବେ ବିବାହ ପାଇଁ ନେହାଙ୍କ ଘରକୁ ପ୍ରସ୍ତାବ ପଠାଇଥିଲେ ମୁକେଶ । କିନ୍ତୁ ସମାନ ଗୋତ୍ର ହୋଇଥିବାରୁ ପରିବାର ଲୋକ ବିବାହ ପାଇଁ ରାଜି ହୋଇନଥିଲେ । ମୁକେଶ ଏବଂ ନେହାଙ୍କ ସମ୍ପର୍କକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ ପରିବାର ଲୋକ ।

ଉଭୟ ପରିବାର ସେମାନଙ୍କ ପ୍ରେମର ଗଭୀରତାକୁ କେବେ ବୁଝିବେନି କି ଗ୍ରହଣ କରିବେ ନାହିଁ ଚିନ୍ତା କରି ଶେଷରେ ଆତ୍ମହତ୍ୟା ପରି ରାସ୍ତାକୁ ବାଛିନେଲେ ପ୍ରେମୀଯୁଗଳ । ଉଭୟେ ଉଭୟଙ୍କ ଠାରୁ ଅଲଗା ହୋଇଯିବା ଭୟେରେ ଗତ ରବିବାର ସକାଳେ ଦୁହେଁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ହ୍ୱାଟସ୍ଆପ୍‌ ଷ୍ଟାଟସ୍‌ରେ ‘ଗୁଡବାୟ’ ଲେଖିଥିଲେ ମୁକେଶ । ଘଟଣାସ୍ଥଳରୁ ଯଦିଓ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ ।

ତେବେ ମୁକେଶ ଓ ନେହାଙ୍କ ମୃତ୍ୟୁ ପରେ ଉଭୟଙ୍କ ପ୍ରେମକୁ ବୁଝି ପାରିଛନ୍ତି ପରିବାର ଲୋକ । ହେଲେ ବୁଝିଲା ବେଳକୁ ସବୁ ଶେଷ ହୋଇସାରିଛି । ଉଭୟଙ୍କ ମୃତ୍ୟୁ ପରେ ପୋଲିସକୁ ଖବର ଦେଇଥିଲେ ପରିବାର ଲୋକ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧରା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଥିଲା ପୋଲିସ୍ । ଏବେ ଉଭୟ ପରିବାରର ସମ୍ମତି କ୍ରମେ ଉଭୟଙ୍କ ବିବାହ କରାଯାଇଛି । ଶବ ସଂସ୍କାର ପୂର୍ବରୁ ସମ୍ପୂର୍ଣ୍ଣ ବିଧିମତେ ଅନୁଷ୍ଠିତ ହୋଇଛି ବିବାହ ।