• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଲେପୁର(ମନୋଜ ଆଚାର୍ଯ୍ୟ) : ବୟସର ଅପରାହ୍ନରେ ଦୁଇ ଭାଇ । ହେଲେ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ । କଠିନ ପରିଶ୍ରମ ଯୋଗୁଁ ଉଭୟେ ସଫଳ ଚାଷୀ ହୋଇପାରିଛନ୍ତି । ବୁଢ଼ା ବୟସରେ ମଧ୍ୟ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇ ପାରୁଛନ୍ତି । ଏକା ସଙ୍ଗାରେ ମାଛ ଚାଷ, କଦଳୀ ଚାଷ ଓ ଗୁଆ ଚାଷ କରି ଏଭଳି ସଫଳ ହୋଇଛନ୍ତି ଦୋଳଗୋବିନ୍ଦ ଦାଶ ଓ ମନୋରଞ୍ଜନ ଦାଶ ।

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭାମାପୁରର ମାଳିହତା ଗାଁର ଦୁଇ ଭାଇ । ପ୍ରାୟ ୩୦ ଏକରରୁ ଉର୍ଦ୍ଧ ଜମିରେ ସଚାଷ କରିଛନ୍ତି । କେବଳ ଚାଷ ନୁହେଁ ସେଠାରେ ମାଛ ପୋଖରୀ ମଧ୍ୟ ରହିଛି । ଚାଲିଛି ମାଛଧରା । ଆଉ ଡିଜିଟାଲ ଦଣ୍ଡିରେ ସେସବୁକୁ ଓଜନ କରାଯାଉଛି । ଆଉ ସବୁ ଗୁଡ଼ିକ ବୋହିନେଇ ମାଛକୁ ଟ୍ରକରେ ଲୋଡ଼ କରାଯାଉଛି । ଦେଶୀ ମାଛର ଚାହିଦା ଥିବାରୁ ବ୍ୟବସାୟୀମାନେ ସିଧାସଳଖ ଦୁଇ ଭାଇଙ୍କ ବାଗାନାକୁ ଆସନ୍ତି । ଏକର ଏକରା ଜମିରେ କେବଳ ମାଛ ନୁହେଁ କଦଳୀ ଆଉ ଗୁଆ ଚାଷ ବି କରନ୍ତି ଦୁଇ ଭାଇ । ଆଉ ଏହି ସବୁ ଚାଷରୁ ଉଭୟେ ପ୍ରତିମାସ ଲକ୍ଷାଧିକ ଟଙ୍କା ଲାଭ କରନ୍ତି ।

ଦୁଇ ଭାଇଙ୍କ ବୟସ ବଢିଛି ହେଲେ ଶରୀରରୁ ବଳ ଭାଙ୍ଗିନି କି ମନରୁ ଇତ୍ସାହ ଯାଇନି । ଏଇ ବୟସରେ ସେମାନେ ବାଗାନରେ ଦିନ ତମାମ ଲାଗିପଡ଼ନ୍ତି କାମରେ । ଖାଲି ସେତିକି ନୁହେଁ ଦରକାର ପଡ଼ିଲେ ଗଛକୁ ବି ଚଢି ଗୁଆ ତୋଳନ୍ତି । ଆଖପାଖର ଅନେକ ଲୋକ ପ୍ରାୟ ସବୁଦିନ ଏହି ବଗିଚାରେ କାମ କରିବା ସହ ମାଛ ପୋଖରୀରେ ମଧ୍ୟ କାମ କରନ୍ତି । ପ୍ରତିଦିନ ଅନେକ ବ୍ୟବସାୟୀ ଏହି ବାଗାନାକୁ ଆସନ୍ତି ଆଉ ଆବଶ୍ୟକ ଉତ୍ପାଦ ନେଇ ଯାଆନ୍ତି । ବୟସର ଅପରାହ୍ନରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ଏହି ଦୁଇଭାଇ ଏକ ଉଦାହରାଣ ହୋଇପାରିଛନ୍ତି ।