• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଦେଶରେ ପୁଣି କରୋନା କୋପ ପରେ ଛନକା । 

  • ଦୀପାବଳିରେ କଡ଼ା ନିୟମ ପାଳନ ପାଇଁ କେନ୍ଦ୍ରର ତାଗିଦ୍ । 

ଭୁବନେଶ୍ୱର (ରିପୋର୍ଟର: ଗୌତମ ପଣ୍ଡା,କପିଳେନ୍ଦ୍ର ପ୍ରଧାନ): ଦୁର୍ଗାପୂଜା ପରେ ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା । ତେବେ ବିଶ୍ୱବ୍ୟାପୀ ସଂକ୍ରମଣ ହଠାତ୍ ବଢିଯିବା ପରେ ଦେଶରେ ବି ଛନକା । ତେଣୁ ଦଶହରା ପରି ଦୀପାବଳିରେ ବି କୋଭିଡ୍ ନିୟମର କଡ଼ା ଅନୁପାଳନ ଲାଗି ରାଜ୍ୟମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏପଟେ ବାଣରୁ ନିର୍ଗତ କେମିକାଲ କୋଭିଡ୍ ଭୂତାଣୁକୁ ବ୍ୟାପିବାରେ ସହାୟକ ହେଉଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏମ୍ଇଟି । 

ଯଦିଓ ଭାରତରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତେବେ ବିଦେଶରେ ଫଁ ଦେଖାଇଲାଣି ମହାମାରୀ । ଗତ ୨୪ ଘଣ୍ଟାରେ ଆମେରିକାରେ ୧ ଲକ୍ଷ ୨ହଜାର ୮୭୭, ବ୍ରିଟେନ୍‌ରେ ୪୩ ହଜାର ୯୨୨, ଋଷରେ ୪୦ ହଜାର ୯୬, ତୁର୍କୀରେ ୨୬ ହଜାର ୮୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭାରତରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୪ ହଜାର ୩୪୮ । ତେବେ ଭାରତ ସମେତ ସମଗ୍ର ବିଶ୍ୱରେ କୋଭିଡ୍ ମୃତ୍ୟୃସଂଖ୍ୟା ହଠାତ୍ ବଢ଼ିଯାଇଛି । ଗଲା ୨୪ ଘଣ୍ଟାରେ ଆମେରିକାରେ ୧ହଜାର ୯୩୫ ଜଣଙ୍କର ଜୀବନ ଯାଇଥିବା ବେଳେ ଋଷରେ ୧୧୫୯ ଓ ଭାରତରେ ୮୦୫ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ସ୍ଥିତିକୁ ଦେଖି କୋଭିଡ୍ କଟକଣାକୁ ନଭେମ୍ବର ୩୦ ଯାଏ ବଢ଼ାଇବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ୫ ସୂତ୍ରୀ କୋଭିଡ୍ ନିୟମ ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ, କୋଭିଡ୍ ଅନୁରୂପ ଆଚରଣର ଅନୁପାଳନ ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ତେବେ ଓଡ଼ିଶାରେ କୋଭିଡ୍ ସ୍ଥିତି ଭଲ ଅଛି ଓ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମୁଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଆଗକୁ ଦୀପାବଳି ଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଛି । ବାଣ ଫୁଟିଲେ ବାୟୁ ପ୍ରଦୂଷଣ ବଢିବା ସହ କରୋନା ସଂକ୍ରମଣ ବଢିବ ବୋଲି କହିଛନ୍ତି ଡିଏମଇଟି । ବାଣରୁ ନିର୍ଗତ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ କରୋନା ଭୂତାଣୁ ବଂଶବିସ୍ତାରରେ ସହାୟକ ହୁଏ ବୋଲି ସେ ସୂଚନା ଦେଇଛନ୍ତି । ଏପଟେ ରାଜ୍ୟରେ ସବୁଜ ବାଣ ବିକ୍ରି ଅନୁମତି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟ । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । 

କରୋନା କଟକଣା ଯୋାଗୁଁ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳିତ ହୋଇଛି ଦୁର୍ଗାପୂଜା । ଆଶା ଥିଲା ଦୀପାବଳୀକୁ ନିୟମ ଟିକେ କୋହଳ ହେବ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବାନୀ ସମସ୍ତଙ୍କୁ ନିରାଶ କରିଛି । ଦୁର୍ଗାପୂଜା ପରେ ସଂକ୍ରମଣ ନିୟନ୍ତ୍ରଣ ଥିବାରୁ ଆଗାମୀ ଦିନରେ ସ୍ଥିତିରେ ଆହୁରି ସୁଧାର ଆସିବା ଆଶା କରାଯାଉଛି ।