• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: ବୋଲ ମାନୁନି ତେଲ ଦର । ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସବୁଠୁ ମହଙ୍ଗା । ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ପଇସା ରହିଥିବା ବେଳେ ଡିଜେଲ୍ ଦର ୧୧୧ ଟଙ୍କା ଉପରେ ରହିଛି । ସେହିଭଳି କାଳିମେଲାରେ ସବୁ ରେକର୍ଡ ଭାଙ୍ଗିଛି ତେଲ ଦର । ୧୧୫ ଟଙ୍କା ୮୭ ପଇସାରେ ତେଲ ବିକ୍ରି ହେଉଛି ପେଟ୍ରୋଲ ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୯ ଟଙ୍କା ୨୫ ପଇସା ଓ ଡିଜେଲ୍ ୧୦୫ ଟଙ୍କା ରହିଛି । ରାଉରକେଲାରେ ୧୧୦ ଟଙ୍କା, ଜୟପୁର ୧୧୩ ଟଙ୍କା, କଟକରେ ୧୦୯.୮୫ ଟଙ୍କା, ଢେଙ୍କାନାଳ ୧୧୦.୦୫ ଟଙ୍କା ରହିଛି ପେଟ୍ରୋଲ ଦର । ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ୍ ଦର ଲୋକଙ୍କ ଉପରେ ଚାପ ପକାଇଛି । ପରିବାଠୁ ଆରମ୍ଭ କରି ଅନ୍ୟ ସାମଗ୍ରୀ ଦର ବି ଏଥିଯୋଗୁଁ ବଢ଼ିବାରେ ଲାଗିଛି । ଯାହା ଏବେ ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଲାଣି ।

ଏଣେ ପେଟ୍ରୋଲ ଦର ବୃଦ୍ଧି ନେଇ ତେଜିଲାଣି ବସ ମାଲିକ ସଂଘ । ତେଲ ଦର କମାଅ, ନହଲେ ପରିଣାମ ଭୟଙ୍କର ହେବ । ଏଭଳି ଚରମବାଣୀ ଶୁଣାଇଛନ୍ତି ଘରୋଇ ବସ୍ ମାଲିକ ସଂଘ । ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ୧୫ ତାରିଖ ଯାଏଁ ସମୟ ଦେଲୁ ତେଲ ଦର କମାଅ ନହେଲେ ଚକା ବନ୍ଦ ହେବ ।

ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ । କରୋନା କାଳରେ ଜୀବିକାକୁ ନେଇ ସଂଘର୍ଷ କରୁଥିବା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଦେଲାଣି ପେଟ୍ରୋଲର ମହଙ୍ଗା ମାଡ଼। ଲଗାତାର ଦୁଇ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଶତକ ମାରୁଛି ପେଟ୍ରୋଲ୍।