• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୁନି ପୁଅକୁ ନୂଆ ଜୀବନ ଦେଲେ ଡାକ୍ତର ବାବୁ

  • ସାମାନ୍ୟ ଅସାବଧାନତା ଯୋଗୁଁ କୁକରରେ ମୁଣ୍ଡ ଭର୍ତ୍ତି କରିଦେଇଥିଲା କୁନି ପୁଅ

ଆଗ୍ରା : ପରିବାର ଲୋକଙ୍କ ସାମାନ୍ୟ ଅବହେଳା ହେତୁ ବିପଦରେ ପଡ଼ିଲା କୁନି ଶିଶୁର ଜୀବନ । ଖେଳୁ ଖେଳୁ ପ୍ରେସର କୁକରରେ ନିରୀହ ଦେଢ଼ ବର୍ଷର ଶିଶୁ ମୁଣ୍ଡ ଭର୍ତ୍ତି କରିଦେଇଥିଲା । ହେଲେ ମୁଣ୍ଡ ବାହାର ନକରି ପାରିବାରୁ ଛଟପଟ ହୋଇ ବିକଳ ଭାବରେ କାନ୍ଦିବାରେ ଲାଗିଲା । ପରିବାର ଲୋକଙ୍କ ଅନେକ ଚେଷ୍ଟା ପରେ ବି କୁକରରୁ କୁନି ପୁଅର ମୁଣ୍ଡ ବାହାର କରିପାରିନଥିଲେ । ଏପଟେ କାନ୍ଦି କାନ୍ଦି ଅଥୟ ହୋଇଯାଉଥିଲା ଶୁଶୁଟି । ଶେଷରେ ଅନ୍ୟ ଉପାୟ ନପାଇ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ ପରିବାର ଲୋକ । ସୌଭାଗ୍ୟବଶତଃ ପ୍ରାୟ ୨ ଘଣ୍ଟା କଠିନ ପରିଶ୍ରମ ପରେ ଡାକ୍ତରମାନେ କୁକରକୁ କାଟି ଶିଶୁର ଜୀବନ ରକ୍ଷା କରିଥିଲେ । ଆଗ୍ରା ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମଥୁରାର ବାସିନ୍ଦା ସୁମାୟଲା ଦେଢ଼ ବର୍ଷର ପୁଅ ହସନ ରଜାଙ୍କୁ ଧରି ଆଗ୍ରା ଲୋହମାଣ୍ଡି ଖଟିପଡାସ୍ଥିତ ତାଙ୍କ ବାପଘରକୁ ବୁଲି ଆସିଥିଲେ । ପରିବାର ଲୋକ ବାହାରେ ବସି କଥା ହେଉଥିବା ବେଳେ କୁନି ପିଲାଟି ଖେଳୁ ଖେଳୁ କୁକର ଭିତରେ ମୁଣ୍ଡ ଭର୍ତ୍ତି କରିଦେଇଥିଲା । କୁକରରୁ ମୁଣ୍ଡ ବାହାର ନକରିପାରୁ ପିଲାଟି କାନ୍ଦିବାକୁ ଲାଗିଲା । ପିଲାର ପାଟି ଶୁଣି ପରିବାର ଲୋକ ଦଉଡ଼ି ଆସିଥିଲେ । ସେତେବେଳକୁ କୁନି ପୁଅଟି ବିକଳ ହୋଇ କାନ୍ଦୁଥାଏ ସିନା ମୁଣ୍ଡ ବାହାର କରିପାରୁ ନଥାଏ । ତେବେ ଅନେକ ଚେଷ୍ଟା ପରେ ପରିବାର ସଦସ୍ୟ ପିଲାର ମୁଣ୍ଡକୁ କୁକରରୁ ବାହାର କରି ପାରିନଥିଲେ । ଏହି ଘଟଣା ପରେ ପୁରା ଘରେ କାନ୍ଦବୋବାଲି ଆରମ୍ଭ ହୋଇଯାଇଥିଲା । ସପେଟେ କାନ୍ଦି କାନ୍ଦି କୁନି ପୁଅଟିର ଅବସ୍ଥା ବିଗିଡ଼ିବାରେ ଲାଗିଲା । ଆଉ ତା’ପରେ ତାକୁ ରାଜାମଣ୍ଡି ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇକି ଯାଇଥିଲେ ପରିବାର ଲୋକ ।

ହେଲେ ଡାକ୍ତର ମଧ୍ୟ ଦୀର୍ଘ ସମୟ ଚେଷ୍ଟା କରିବା ପରେ କୁକରରୁ ଶିଶୁର ମୁଣ୍ଡ ବାହାର କରିପାରି ନଥିଲେ ଡାକ୍ତର । ଶେଷରେ ଡାକ୍ତରମାନେ ଏକ ଗ୍ଲାଇଡର୍ ମେସିନ୍ ସାହାଯ୍ୟରେ ଧୀରେ ଧୀରେ କୁକରକୁ କାଟିଥିଲେ ଏବଂ ଦୀର୍ଘ ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ପିଲାଟିର ମୁଣ୍ଡ ବାହାରି କରିବାର ସକ୍ଷମ ହୋଇଥିଲେ ଡାକ୍ତର । ତେବେ ଗ୍ଲାଇଡର୍ ମେସିନର ଶବ୍ଦରେ ପିଲାଟି ଭୟଭୀତ ହୋଇପଡିଥିଲା । ଏପଟେ କୁକରରୁ ଶିଶୁ ମୁଣ୍ଡ ସୁରକ୍ଷିତ ବାହାର କରିବା ପରେ ଡାକ୍ତରଙ୍କୁ ଧନ୍ୟବାଦ ଦେବା ପରେ ପରିବାର ଲୋକ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ।

ପୀଡିତ ଶିଶୁର ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଡାକ୍ତର କୌଣସି ପ୍ରକାର ଫିସ ନେଇନାହାନ୍ତି । ଏଥିସହିତ ବର୍ତ୍ତମାନ ଶିଶୁର ଅବସ୍ଥା ଭଲ ଅଛି ‍ବୋଲି କହିଛନ୍ତି । ତେଣୁ ତାକୁ ଡାକ୍ତରଖାନାରେ ନରଖି ଘରକୁ ପଠାଇ ଦିଆଯାଇଛି ।