• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବଢ଼ି ଚାଲିଛି ଧନୀ-ଗରିବ ତାରତମ୍ୟ । ବଢୁଛି ଧନୀଙ୍କ ଧନ ପରିମାଣ, ଅଧିକରୁ ଅଧିକ ଗରିବ ହେଉଛନ୍ତି ନିର୍ଧନ । କରୋନା ସଂକ୍ରମଣ କାଳରେ ଏହି ପ୍ରଭେଦ ମାତ୍ରାଧିକ ବୃଦ୍ଧି ପାଇଥିବା NSO ସର୍ବେକ୍ଷଣରୁ ନଜରକୁ ଆସିଛି । ଲକ୍‌ଡାଉନ ଓ ସଟ୍‌ଡାଉନକୁ ନେଇ ଗରିବ ଶ୍ରେଣୀ ନିଯୁକ୍ତି ହରାଇବା ସହ ସେମାନଙ୍କ ଛୋଟମୋଟ ବ୍ୟବସାୟ ବି ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ ବଡ଼ ବଡ଼ ଶିଳ୍ପ ସଂସ୍ଥା ଓ ବ୍ୟବସାୟୀ ବିପୁଳ ଲାଭ କମାଇଛନ୍ତି । ଓଡ଼ିଶାରେ ବି ସେଇ ଉଦ୍‌ବେଗଜନକ ସ୍ଥିତି ଦେଖିବାକୁ ମିଳିଛି ।

୧୦ ପ୍ରତିଶତ ଲୋକଙ୍କ ପାଖରେ ରାଜ୍ୟ ମୋଟ୍ ସଂପତ୍ତିର ପାଖାପାଖି ୫୦ ଭାଗ । ସାମାଜିକ ସ୍ତରର ଶେଷ ୫୦ ଭାଗ ଲୋକଙ୍କ ପାଖରେ ମାତ୍ର ୧୧ ପ୍ରତିଶତ । ତାଠୁ ଉଦ୍‌ବେଗର ବିଷୟ, ଶେଷ ୧୦ ପ୍ରତିଶତ ଲୋକଙ୍କ ନିକଟରେ ସମ୍ପତ୍ତି ନାହିଁ କହିଲେ ଚଳେ । ଏମାନଙ୍କ ପାଖରେ ରହିଛି ରାଜ୍ୟ ସଂପତ୍ତିର ମାତ୍ର ୦.୨୮ ପ୍ରତିଶତ । ରାଷ୍ଟ୍ରୀୟ ପରିସଂଖ୍ୟାନ ସଂସ୍ଥା -NSOର ସଦ୍ୟତମ ସର୍ଭେରୁ ଏହି ତଥ୍ୟ ମିଳିଛି । ରିପୋର୍ଟ ଅନୁସାରେ ଓଡ଼ିଶାର ଲୋକଙ୍କ ପାଖରେ ମୋଟ ୬ ଲକ୍ଷ ୮୩ ହଜାର କୋଟି ଟଙ୍କାର ସମ୍ପତ୍ତି ଅଛି । ସେଥିରୁ ୩ ଲକ୍ଷ ୨ ହଜାର କୋଟି ଟଙ୍କା ବା ୪୪ ପ୍ରତିଶତ ସମ୍ପତ୍ତି ୧୦ ପ୍ରତିଶତ ଧନୀକ ଶ୍ରେଣୀ ଲୋକଙ୍କ ପାଖରେ ରହିଛି । ରାଜ୍ୟର ଗ୍ରାମାଞ୍ଚଳର ସଂପତ୍ତି ପରିମାଣ ୪ ଲକ୍ଷ ୩୩ ହଜାର କୋଟି ହୋଇଥିବା ବେଳେ ଏହାର ୪୦ ପ୍ରତିଶତର ମାଲିକ ହେଉଛନ୍ତି ୧୦ ପ୍ରତିଶତ ଧନୀକ ବର୍ଗ । ସେହିଭଳି ସହରାଞ୍ଚଳରେ ୨ ଲକ୍ଷ ୪୯ ହଜାର କୋଟି ଟଙ୍କାର ସମ୍ପତ୍ତି ମଧ୍ୟମରୁ ୫୧ ପ୍ରତିଶତ ୧୦ ଭାଗ ଧନୀଙ୍କ ନିକଟରେ ରହିଛି । କୋଭିଡ୍ ଲକ୍‌ଡାଉନ ଓ ସଟ୍‌ଡାଉନ କାଳରେ ଧନୀ-ଗରିବ ତାରତମ୍ୟ ଆହୁରି ବଢ଼ିଯାଇଛି ।

NSO ସର୍ଭେ କହୁଛି, ରାଜ୍ୟର ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳ ଗରିବଙ୍କ ଅବସ୍ଥା ଅଧିକ ଖରାପ । ଗ୍ରାମାଞ୍ଚଳର ଶେଷ ୧୦ ପ୍ରତିଶତ ଲୋକଙ୍କ ମୁଣ୍ଡପିଛା ଆୟ ୫ହଜାର ୬୯୬ ଟଙ୍କା ଥିବା ବେଳେ ସହରାଞ୍ଚଳରେ ଏହା ମାତ୍ର ୧ହଜାର ୩୯୩ ଟଙ୍କା । କିନ୍ତୁ ଗ୍ରାମାଞ୍ଚଳର ଧନୀଙ୍କ ତୁଳନାରେ ସହରାଞ୍ଚଳର ଧନୀଙ୍କ ଆୟ ଅଧିକ । ଗ୍ରାମାଞ୍ଚଳର ୧୦% ଧନୀଙ୍କ ମୁଣ୍ଡପିଛା ଆୟ ୫ ଲକ୍ଷ ୪୬ ହଜାର ୯୪୨ ଟଙ୍କା ଥିଲା ବେଳେ ସହରାଞ୍ଚଳରେ ଏହା ୨୦ ଲକ୍ଷ ୫୫ ହଜାର ୮୭୯ ଟଙ୍କା । ଏନେଇ ବିଶେଷଜ୍ଞଙ୍କ ମତ, ସଂପତ୍ତିକୁ ନେଇ ସାମାଜିକ ତାରତମ୍ୟ ହ୍ରାସ କରିବାକୁ ହେଲେ ଧନୀଙ୍କ ଉପରେ ସ୍ୱତନ୍ତ୍ର ଉତ୍ତରାଧିକାରୀ ଟିକସ ଲାଗୁ ହେଉ ଏବଂ ଗରିବଙ୍କୁ ବାଧୁଥିବା ପରୋକ୍ଷ ଟିକସ ହ୍ରାସ କରାଯାଉ । ତାସହିତ ଗରିବଙ୍କ ବିକାଶ ଲାଗି ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ତାଲିମ୍ ପ୍ରତି ଅଧିକ ଧ୍ୟାନ ଦିଆଯାଉ ।

ଅର୍ଥନୀତିର ବିକାଶ ଲାଗି ଇନ୍‌କ୍ଲୁସିଭ୍ ଗ୍ରୋଥ୍ ଅତି ଗୁରୁତ୍ୱପୂର୍ଣ୍ଣ । ତେବେ ଧନୀ-ଗରିବ ସଂପତ୍ତିରେ ପ୍ରାର୍ଥକ୍ୟ ବଢିଚାଲିବା ସମାଜିକ ଓ ଅର୍ଥନୈତିକ ସମାନତା ଦିଗରେ ଏହା ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଛି ।