• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କୁ ୭୭୬ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ୍ ମିଳିଛି । ପ୍ରିୟବ୍ରତଙ୍କ ପରେ ଅସିତ ତ୍ରିପାଠୀ ହୋଇଛନ୍ତି ଭୁବନେଶ୍ୱର କ୍ଲବ ସଭାପତି । ସ୍ୱର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ବିୟୋଗ ଓ କରୋନା ମହାମାରୀ ଯୋଗୁଁ ଖାଲି ପଡ଼ିଥିଲା । ଏହି ପଦବୀ ପାଇଁ ଆଜି ନିର୍ବାଚନ ହୋଇଥିଲା । ଗତଦୁଇ ଦିନ ଧରି ମତଦାନ ଚାଲିଥିଲା । ଏହା ସରିବା ପରେ ଆଜି ଅପରାହ୍ନରୁ ଗଣତି ଆରମ୍ଭ ହୋଇଥିଲା ।

ସଭାପତି, ଉପ ସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ ଆଦି ପଦବୀ ସହ ୬ଟି କମିଟି ମେମ୍ବର ପଦବୀ ପାଇଁ ଭୋଟଗ୍ରହଣ ହୋଇଥିଲା । ଏସବୁ ପଦବୀ ପାଇଁ ପ୍ରାୟ ୧୩ଶହ ଭୋଟ ପଡ଼ିଥିଲା । ଏଥର ସଭାପତି ଦୌଡ଼ରେ ଦୁଇ ପୂର୍ବତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଓ ଅସିତ କୁମାର ତ୍ରିପାଠୀଙ୍କ ମଧ୍ୟରେ ଟକ୍କର ହୋଇଥିଲା । ତେବେ ନିର୍ବାଚନରେ ବାଜି ମାରିଛନ୍ତି ଅସିତ ତ୍ରିପାଠୀ ।

ଭୁବନେଶ୍ୱର କ୍ଲବ୍‌ର ସଭାପତି ନିର୍ବାଚିତ ହେବା ପରେ ଅସିତ କହିଛନ୍ତି ଯେ ଏହା ଏକ ୭୦ ବର୍ଷରୁ ଅଧିକ ସମୟର କ୍ଲବ୍‌ । କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହି କ୍ଲବ୍ ଗଠନ କରାଯାଇଥିଲା, ତା’ର ଉଦ୍ଦେଶ୍ୟ ପୂରଣ ହୋଇପାରି ନାହିଁ । କ୍ଲବ୍ କହିଲେ କେବଳ ଏକ ବାର୍‌ କି ରେଷ୍ଟୁରାଣ୍ଟ ନୁହେଁ । ତାଙ୍କ ନୂଆ ଟିମ୍ କ୍ଲବ୍‌କୁ ଏକ ନୂଆ ଦିଗରେ ଆଗେଇ ନେବ । ଭୁବନେଶ୍ୱର କ୍ଳବ୍ ୭୧ ବର୍ଷ ତଳେ ଗଠନ ହୋଇଥିଲା । ଏଥିରେ ଏବେ ରାଜନେତା, ଆଇଏଏସ୍‌ ଓ ଶିଳ୍ପପତିମାନେ ସଦସ୍ୟ ଅଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୩୧ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ଅସିତ୍ ତ୍ରିପାଠୀ । ଏହା ପରେ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି ।

ଅନ୍ୟପଟେ କଟକ କ୍ଲବ୍‌ରେ ମଧ୍ୟ ନିର୍ବାଚନ ଶେଷ ହୋଇଛି । ସଂଯୁକ୍ତା ରାଜଗୁରୁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ ନିର୍ବାଚିତ ହେଲେ ସାତ୍ତ୍ୱକୀ ଘୋଷ ।