• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଶ୍ରମିକଙ୍କ ଆନ୍ଦୋଳନ ଭିଡିଓ ଭାଇରାଲ୍

  • ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ଭୁବନେଶ୍ୱର : ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଇା ଶ୍ରମିକ । ସେଠାରେ ଏକ ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନିମ୍ନମାନର ଖାଦ୍ୟ ଦିଆଯିବା, ଆବଶ୍ୟକତା ଠାରୁ ଅଧିକ ସମୟ ଖଟାଇବା, କାମ ନ କଲେ ଶାରିରୀକ ନିର୍ଯାତନା ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଦେହ ଅସୁସ୍ଥ ହେଲେ ଚିକିତ୍ସା ସୁବିଧା ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି । ଏ ନେଇ ୫ ଦିନ ହେଲା ଶ୍ରମିକମାନେ ଆନ୍ଦୋଳନ ଚଳାଇଥିବା ବେଳେ ଆନ୍ଦୋଳନର ଏକ ଭିଡିଓ ଭାଇରାଲ୍ ହୋଇଛି ।

ଶତାଧିକ ଓଡ଼ଆଙ୍କ ସମେତ ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରମିକ ଫସି ରହିଛନ୍ତି । ଫସିଥିବା ଶ୍ରମିକଙ୍କ ମଧ୍ୟରେ ଖୋର୍ଦ୍ଧା ବାଣପୁର, ବାଲୁଗାଁ ଅଞ୍ଚଳର ଶତାଧିକ ଯୁବକ ଅଛନ୍ତି । ଯାହାକୁ ନେଇ ଚିନ୍ତାର ପଡ଼ିଛନ୍ତି ପରିବାର ଲୋକେ । ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।

”ମୋ ପୁଅ ମୋ ପାଖକୁ କିପରି ଫେରିବ’

ସୁବୁଦ୍ଧିପାଟଣା ଅଞ୍ଚଳର ଜଣେ ମା’ ଲକ୍ଷ୍ମୀ ନନ୍ଦ ବାହାରିନରେ ଫସିଥିବା ନିଜ ପୁଅ ପାଇଁ ବିକଳ ହୋଇ କାନ୍ଦୁଛନ୍ତି । ସେ କହିଛନ୍ତି ପୁଅକୁ ଖରାରେ କାମ କରାଉଛନ୍ତି, ଖାଇବା ପିଇବା ଦେଉନାହାନ୍ତି । ସମସ୍ତଙ୍କୁ ରୁମରେ ପଶି ବାଡ଼ାବାଡ଼ି କରୁଛନ୍ତି । ଦେହ ଖରାପ ହେଲେ ମେଡିକାଲ ନେଉନାହାନ୍ତି । ଆମ୍ବୁଲାନ୍ସ ଆସିଲାବେଳକୁ ୪ ରୁ ପାଞ୍ଚ ଘଣ୍ଟା ସମୟ ଲାଗୁଛି, ଏତିକିରେ ଲୋକେ ମରିଯାଉଛନ୍ତି । ୧୫ ଜଣ ଲୋକଙ୍କୁ ମାରି ଗାୟବ୍ କରିସାରିଲେଣି । ପୁଅ ସେତେଦୂରରେ ଅଛି, ଏବେ ମୁଁ କ’ଣ କରିବି । ମୋ ପୁଅ ମୋ ପାଖକୁ କିପରି ଫେରିବ କହି କାନ୍ଦୁଛନ୍ତି ।

”ମୋ ପୁଅ ଛାତିରେ ଯନ୍ତ୍ରଣା ହେଉଛି, ହେଲେ ପାଖରେ ଔଷଧ ନାହିଁ’

ସେହିପରି ଆଉ ମହିଳା ମଧ୍ୟ ନିଜ ପୁଅ ପାଇଁ ସାହାଯ୍ୟ ଭିକ୍ଷା କରିଛନ୍ତି । ସରଜୁ ସୁବୁଧି ନାମକ ମହିଳା କହିଛନ୍ତି, ପୁଅ ଭୟରେ ରୁମରୁ ବାହାରୁନି । ଗଣ୍ଡଗୋଳ ପାଇଁ ସେଠାରେ ପରିସ୍ଥିତି ଅଣାୟତ ରହିଛି । ସମୁଦ୍ର କୂଳରେ କମ୍ପାନୀ ଥିବାରୁ ଦେହପା’ ଅସୁବିଧା ହେଲେ ଦେଖିବାକୁ କେହିନାହିଁ । ମୋ ପୁଅ ଛାତିରେ ଯନ୍ତ୍ରଣା ହେଉଛି, ହେଲେ ପାଖରେ ଔଷଧ ନାହିଁ’ ।