• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପଞ୍ଜଶିର ଦଖଲ ପରେ ତାଲିବାନର ଯୁଦ୍ଧ ସମାପ୍ତି ଘୋଷଣା

  • ଏବେ ପୂରା ଆଫଗାନିସ୍ତାନ ଆମ କବଜାରେ: ତାଲିବାନ

  • ଖୁବଶୀଘ୍ର ଆସିବ ଇସ୍ଲାମିକ୍, ଉତ୍ତରଦାୟୀ ଓ ସ୍ଥିର ସରକାର

  • ନୂଆ ସରକାରର ଉଦଘାଟନୀ ସମାରୋହ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

କାବୁଲ: ପଞ୍ଜଶିର ଦଖଲ ପରେ ଯୁଦ୍ଧ ସମାପ୍ତି ଘୋଷଣା କରିଛି ତାଲିବାନ । କହିଲା ଏବେ ପୂରା ଆଫଗାନିସ୍ତାନ ଆମ କବଜାରେ ରହିଛି । ତାରିଖ ଧାର୍ଯ୍ୟ ହୋଇନଥିଲେ ବି, ଖୁବଶୀଘ୍ର ଆଫଗାନ୍‌ବାସୀଙ୍କୁ ଦେବୁ ଇସ୍ଲାମିକ୍, ଉତ୍ତରଦାୟୀ ଓ ସ୍ଥିର ସରକାର । ଏହା କାମଚଳା ସରକାର ଭାବେ କାର୍ଯ୍ୟ କରିବ ଏବଂ ନିୟମରେ ପରିବର୍ତ୍ତନ ଓ ସଂସ୍କାର ଆଣିବ ବୋଲି କହିଛନ୍ତି ତାଲିବାନୀ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ । ଏଥିସହ ସୂଚନା ମିଳିଛି, ସରକାର ଘୋଷଣା ପରେ କାବୁଲରେ ବିରାଟ ଉତ୍ସବ ପାଳିବ ଏହି ସଂଗଠନ । ଏହି ଉତ୍ସବରେ ଯୋଗଦେବାକୁ ପାକିସ୍ତାନ, ତୁର୍କୀ, କାତାର, ରୁଷ୍, ଚୀନ୍ ଓ ଇରାନକୁ ନିମନ୍ତ୍ରଣ କରାଯାଇଛି ।

ସାରା ବିଶ୍ୱ ସହ ଆମେ ଭଲ ସଂପର୍କ ରଖିବାକୁ ଚାହୁଁଛୁ । ମୁଖ୍ୟତଃ ଚୀନ୍ ବିଶ୍ୱର ଅନ୍ୟତମ ବିଶାଳ ଅର୍ଥନୈତିକ ଶକ୍ତି ହୋଇଥିବାରୁ, ଏହା ଦେଶର ପୁନର୍ଗଠନରେ ସହଯୋଗ କରିପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ତାଲିବାନ ମୁଖପାତ୍ର । ତେବେ ଅନ୍ୟପକ୍ଷରେ ଚୀନ୍ ଏନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କୌଣସି ପ୍ରତିକ୍ରିୟା ରଖିନାହିଁ ।.

କାତାର, ତୁର୍କୀ ଓ ୟୁଏଇ ଟେକ୍ନିକାଲ୍ ଟିମ୍ ସହାୟତାରେ କାବୁଲ ବିମାନବନ୍ଦରକୁ ସ୍ୱାଭାବିକ କରିବାକୁ ଚେଷ୍ଟା ଚଳାଇଛି ତାଲିବାନ । ସରକାର ଘୋଷଣା ସହ ଏହାକୁ ମଧ୍ୟ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଆଫଗାନିସ୍ତାନର ସୁରକ୍ଷା ଓ ପ୍ରତିରକ୍ଷା ସଂପର୍କରେ ତାଲିବାନ କହିଛି ଯେ, ଗତ ୨୦ ବର୍ଷରେ ତାଲିମ ପ୍ରାପ୍ତ ସେନା କର୍ମଚାରୀଙ୍କୁ ତାଲିବାନୀ ଫୋର୍ସ ସହ ପୁଣି ଥରେ କାର୍ଯ୍ୟରେ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଛି । ତାଲିବାନ ବିରୋଧରେ ଯିଏ ଅସ୍ତ୍ର ଉଠାଇବ ସେ ଦେଶର ଓ ଦେଶବାସୀଙ୍କର ଶତ୍ରୁ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ।

ସେମାନଙ୍କୁ ପଞ୍ଜଶିର ଅବସ୍ଥା ଭୋଗିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏଥିସହ ସଂଗଠନ ଭିତରେ କ୍ଷମତା ଅନ୍ତର୍କନ୍ଦଳ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ମୁଲ୍ଲା ବରାଦର୍ ଗୋଷ୍ଠୀ, ସିରାଜୁଦ୍ଦିନ୍ ହକ୍କାନୀ ଗୋଷ୍ଠୀ ଓ ମୁଲ୍ଲା ୟାକୁବ୍ ଗୋଷ୍ଠୀ ମଧ୍ୟରେ ଜୋରଦାର କ୍ଷମତା ଲଢ଼େଇ ଚାଲିଥିବା ଏବଂ ହକ୍କାନୀ ଗୋଷ୍ଠୀର ଆକ୍ରମଣରେ ନିଜେ ମୁଲ୍ଲା ବରାଦର୍ ଆହତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ସମସ୍ତେ ସରକାରରେ ନିଜ ନିଜ ସିଂହଭାଗ ଚାହୁଁଥିବାରୁ ଏଯାଏଁ ନୂଆ ଆଫଗାନ୍‌ ସରକାରର ରୂପରେଖ ଚୂଡ଼ାନ୍ତ କରିପାରିନି ତାଲିବାନ୍।