• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ତାଲିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ସନ୍ଧି ପାଇଁ ଉଦ୍ୟମ

  • ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଲେ

କାବୁଲ : ଆଫଗାନିସ୍ତାନ ପଞ୍ଜଶିରରେ ଚାଲିଛି ଘମାଘୋଟ ଲଢ଼େଇ । ତାଲିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ଯୁଦ୍ଧ ଚାଲିଛି । ଏଥିରେ ଜଣେ ବିଶିଷ୍ଟ ସାମ୍ବାଦିକ ତଥା ନର୍ଦ୍ଦନ ଆଲାଏନ୍ସର ମୁଖପାତ୍ର ଫହିମ ଦଷ୍ଟିଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି । ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ବହୁ ଧର୍ମଗୁରୁ । କାବୁଲରେ ଏକାଠି ହୋଇ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଉଭୟ ପକ୍ଷକୁ ଆହ୍ୱାନ ଦିଆଯାଇଛି । ଲଢେଇ ନକରି ଏକ ସମାଧାନର ରାସ୍ତା ବାହାର କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି ।

ଧର୍ମଗୁରୁଙ୍କ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ନର୍ଦ୍ଦନ ଆଲାଏନ୍ସର ମୁଖ୍ୟ ଅହମଦ ମସୁଦ । ଯୁଦ୍ଧ ବନ୍ଦ କରି ଆଲୋଚନା ଜରିଆରେ ସମାଧାନର ପ୍ରସ୍ତାବକୁ ସ୍ୱାଗତ କରୁଥିବା ସେ କହିଛନ୍ତି । ତେବେ ଏଥିପାଇଁ ପ୍ରଥମେ ତାଲିବାନ ଯୁଦ୍ଧ ବନ୍ଦ କରିବା ଦରକାର । ଅନ୍ୟପଟେ କିନ୍ତୁ ତାଲିବାନର ପ୍ରତିକ୍ରିୟା କିନ୍ତୁ ଜଣାପଡୁନାହିଁ । ସହଜରେ କାବୁଲ ସହିତ ପୂରା ଆଫଗାନିସ୍ତାନ ଦଖଲ କରିଛି ତାଲିବାନ । କିନ୍ତୁ ପଞ୍ଜଶିର ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିପାରିନାହିଁ ।

ତେବେ ଦୁଇ ଦିନ ପୂର୍ବରୁ ତାଲିବାନର ମିଶନ୍ ପଞ୍ଜଶିର ସଫଳ ହେଲା ବୋଲି ଖବର ଆସିଥିଲା । ଶୁକ୍ରବାର ସୁଦ୍ଧା ପଞ୍ଜଶିର ଯୋଦ୍ଧାମାନେ ତାଲିବାନ ଆଗରେ ପରାଜିତ ହୋଇଥିବା ସୂଚନା ମିଳିଥିଲା । ଆଉ ପଞ୍ଜଶିର ପ୍ରଦେଶକୁ କବଜା କରିବା ପରେ ଆକାଶକୁ ଫାଙ୍କା ଗୁଳି ଚଳାଇ ଉତ୍ସବ ମନାଇଥିଲେ ତାଲିବାନୀ । ଆଉ ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ହେଲେ ସଦ୍ୟ ସୂଚନା ଅନୁସାରେ ଆଫଗାନିସ୍ତାନର ଜଟିଳ ଗଣିତର ସମାଧାନ ହୋଇପାରୁନାହିଁ । ପ୍ରକୃତରେ ତାଲିବାନୀମାନେ ପଞ୍ଜଶିର ଅକ୍ତିଆର କରିଛନ୍ତି ନା ନାହିଁ ସ୍ପଷ୍ଟ ହୋଇପାରୁ ନାହିଁ ।

ସେପଟେ ବନ୍ଧୁକ ବଳରେ ଦେଶ ଦଖଲ, ଆଉ ଦେଶ ପାଇଁ ସରକାର ଗଠନ, ୨ଟି ପୂରାପୂରି ଅଲଗା ପାଠ । ଏକଥାକୁ ମର୍ମେ ମର୍ମେ ଅନୁଭବ କରିସାରିଲାଣି ତାଲିବାନ । ବୋଧହୁଏ ସେଇଥିପାଇଁ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି ଆଫଗାନିସ୍ତାନର ନୂଆ ସରକାର ଘୋଷଣା ହୋଇପାରୁନି । ସରକାର ଘୋଷଣା ପରେ କାବୁଲ୍ ଓ ରାଷ୍ଟ୍ରପତି ପ୍ୟାଲେସକୁ ଧଳା ପତାକାରେ ପୋତି ପକାଇବାକୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମୁଲ୍ଲା ବରାଦର୍ ଶାସନ ମୁଖ୍ୟ ହେବେ, ଏହା ବି ଧାର୍ଯ୍ୟ । ତଥାପି ଅଙ୍କ ଛିଣ୍ଡୁନି କି ତାରିଖ ଆସୁନି । ଅନୁମାନ କରାଯାଉଛି, ଏଦିଗରେ ବଡ଼ କଣ୍ଟା ସାଜିଛି ପଞ୍ଜଶିର । ବାରମ୍ବାର ଆକ୍ରମଣ ସତ୍ତ୍ୱେ ପଞ୍ଜଶିର ଘାଟିରେ ତାଲିବାନ ଭୀଷଣ କ୍ଷତି ସହୁଛି । ୭ଶହରୁ ଅଧିକ ତାଲିବାନୀ ନିହତ ହୋଇଥିବା ଏବଂ ୬ଶହରୁ ଅଧିକ ବନ୍ଦୀ ଥିବା ଦାବି କରିଛି ରେଜିଷ୍ଟାନ୍ସ ଫୋର୍ସ ।