• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ସଫଳତାର ସହ ପଞ୍ଜଶୀର ଉପତ୍ୟକାର କିଛି ଅଞ୍ଚଳ ଅକ୍ତିଆର କରିଛି ତାଲିବାନ । ଯୁଦ୍ଧଗ୍ରସ୍ତ ଦେଶର ଶେଷ ଗଡ଼ର ଅଂଶ ମଧ୍ୟ ତାଲିବାନୀ ସଂଗଠନ ଅଧୀନକୁ ଚାଲିଯାଇଛି । ତାଲିବାନୀ ଆକ୍ରମଣରେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ୱରେ Resistance Forceର ବହୁ କ୍ଷୟକ୍ଷତି ହେବା ସହ ଅନେକ ଯୋଦ୍ଧା ଆହତ ହୋଇଛନ୍ତି । ଅମରୁଲା ସାଲେଙ୍କ ଘର ଉପରେ ପ୍ରବଳ ଗୁଳିଗୁଳା ବର୍ଷା ହୋଇଛି । ତାଲିବାନଙ୍କ ଗୁଳିରେ ପଞ୍ଜସିରରେ ଥିବା ସାଲେହଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ତେବେ ଅମରୁଲ୍ଲା ସାଲେହ ଓ ମହମ୍ମଦ୍ ମାସୁଦ୍ ଉଭୟେ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ଉଭୟଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ଆଫଗାନିସ୍ତାନ ପଞ୍ଜସିରରେ ଘମାଘୋଟ ଲଢ଼େଇ ଚାଲିଛି । ତାଲିବାନ ଓ ନର୍ଦନ ଆଲାଏନ୍ସ ମଧ୍ୟରେ ଯୁଦ୍ଧ । ଏଥିରେ ଟପ୍ କମାଣ୍ଡର ଅହମ୍ମଦ୍ ମସୁଦଙ୍କ ଘନିଷ୍ଠ ସହଯୋଗୀ ତଥା ନର୍ଦନ ଆଲାଏନ୍ସର ମୁଖପାତ୍ର ମହମ୍ମଦ ଫହିମ ଦଷ୍ଟିଙ୍କ ମୃତ୍ୟୁ ହୋଇଛି । ତାଲିବାନ୍ ମାନେ ତାଙ୍କୁ ହତ୍ୟା କରିଥିବା ରିପୋର୍ଟ ପ୍ରକାଶ ପାଇଛି । ସେପଟେ ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ବହୁ ଧର୍ମଗୁରୁ । କାବୁଲରେ ଏକାଠି ହୋଇ ଏହି ଯୁଦ୍ଧକୁ ସେମାନେ ବନ୍ଦ କରିବାକୁ ଉଭୟ ପକ୍ଷକୁ ଆହ୍ୱାନ ଦେଇଛନ୍ତି ।

ଲଢେଇ ନ କରି ଏକ ସମାଧାନର ରାସ୍ତା ବାହାର କରିବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି । ଧର୍ମଗୁରୁଙ୍କ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ନର୍ଦ୍ଦନ ଆଲାଏନ୍ସର ମୁଖ୍ୟ ଅହମଦ ମସୁଦ । ସେ କହିଛନ୍ତି, ଯୁଦ୍ଧ ବନ୍ଦ କରି ଆଲୋଚନା ଜରିଆରେ ହେଲେ ଏଥିପାଇଁ ପ୍ରଥମେ ତାଲିବାନ ଯୁଦ୍ଧ ବନ୍ଦ କରିବା ଦରକାର । ତେବେ ଏନେଇ ତାଲିବାନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ସେପଟେ ବର୍ବରତାର ସୀମା ଟପିଲା ତାଲିବାନ୍ । ମହିଳାଙ୍କ ପ୍ରତି ସତରେ କେତେ କ୍ରୁର ? କେତେ ସମ୍ବେଦନହୀନ ? ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଘୋର୍ ପ୍ରୋଭିଜନ୍ ଫିରୋଜକୋହ ଅଞ୍ଚଳରେ କାର୍ଯ୍ୟରତ ମହିଳା ପୋଲିସ୍ ଅଧିକାରୀ ନିଗାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଲିବାନ୍ । ସ୍ୱାମୀ ଓ ପୁଅ ସମ୍ମୁଖରେ ନିଗାରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନିଗାର ଆଠ ମାସର ଗର୍ଭବତୀ ଥିଲେ । ଗର୍ଭରେ ବଢ଼ୁଥିଲା କୁନି ଜୀବନ । ଜୀବନ ଦେଇଦେବାକୁ ଗୁହାରୀ କରିନଥିଲେ ମଧ୍ୟ ଶୁଣିନଥିଲେ ନିର୍ଦ୍ଦୟୀ ପିଶାଚ ତାଲିବାନୀ ।