• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ମଣ୍ଡପରେ ପୂଜା ପାଇଁ ପ୍ରଶାସନର ଅନୁମତି ନେବାକୁ ହେବ।

  • ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା କାଳରେ ଏଥର ପୂଜା ପାର୍ବଣ ଲାଗି ଅନୁମତି ମିଳିଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ପାଇଁ ଗାଇଡଲାଇନ ଆସିଛି । କଟକଣା ମାନି ପୂଜା ଆୟୋଜନ କରିବାକୁ ପୂଜା କମିଟିଗୁଡ଼ିକୁ ଅନୁମତି ଦେଇଛନ୍ତି ସରକାର । ତେବେ ମଣ୍ଡପ ବା ପେଣ୍ଡାଲରେ ପୂଜା ପାଇଁ ପ୍ରଶାସନର ଅନୁମତି ନେବାକୁ ହେବ ବୋଲି ଗାଇଡଲାଇନରେ କୁହାଯାଇଛି ।

ଜିଲ୍ଲାଗୁଡ଼ିକରେ ପୂଜା ପାଇଁ ଜିଲ୍ଲାପାଳ, ଭୁବନେଶ୍ୱର ଓ କଟକରେ ପୂଜା ଲାଗି ପୋଲିସ କମିଶନରଙ୍କ ଅନୁମତି ଆବଶ୍ୟକ । କେବଳ ପରମ୍ପରା ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା କରାଯିବ । କମିଟିଗୁଡ଼ିକ କୌଣସି ସାଜସଜ୍ଜା କରିପାରିବେ ନାହିଁ । ତା ସହିତ ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆଗମନକୁ ବାରଣ କରାଯାଇଛି । ନୂଆ ଗାଇଡଲାଇନ ଅନୁସାରେ ମଣ୍ଡପର ତିନି ପାର୍ଶ୍ୱ ବନ୍ଦ ରଖାଯିବ ଗୋଟିଏ ପାର୍ଶ୍ୱ ସାମାନ୍ୟ ଖୋଲା ରଖି ପୂଜା କରିବାକୁ କୁହାଯାଇଛି ।

ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ମଣ୍ଡପରେ ରହି ପାରିବେନି।

ଏଥର ବିସର୍ଜନ ଶୋଭାଯାତ୍ରା ବାରଣ ଥିବାବେଳେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ କୁହାଯାଇଛି । ତେବେ ମଣ୍ଡପ ବା କମିଟି ପକ୍ଷରୁ ମେଲୋଡ଼ି, ଭଜନ ସଂଧ୍ୟା ଭଳି କୌଣସି ମନୋରଂଜନ କାର୍ଯ୍ୟ କରାଯାଇ ପାରିବ ନାହିଁ।  ସେହିପରି ପୂଜା ଅବସରରେ ଭୋଜିଭାତ କରିବାକୁ ଅନୁମତି ଦିଆଯିବ ନାହିଁ । ଗାଇଡଲାଇନ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।  ଅନ୍ୟପକ୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ସରକାରଙ୍କ ଅନୁମତି ଦେଇଛନ୍ତି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଗଣେଶ ପୂଜା ହୋଇପାରିବ । ତେବେ ଶିକ୍ଷକ, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା କୋଭିଡ ଗାଇଡଲାଇନ ମାନି ପୂଜା କରିବାକୁ ଅନୁମତି ଦିଆଯିବ ।