• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର : ସରିଲା ଅକ୍ଟେବାର ମାସ। ଆସନ୍ତା କାଲି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ନଭେମ୍ବର। ତେବେ ମାସ ଆରମ୍ଭ ହେବା ମାତ୍ରେ ସାରା ଦେଶରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ଏହା ସହ ନଭେମ୍ବର ପହିଲାରୁ ଦେଶ ତଥା ରାଜ୍ୟରେ ବହୁ କାର୍ଯ୍ୟକ୍ରମ କରାଯିବାର ରହିଛି। ଚୁଲି ମୁଣ୍ଡଠାରୁ ଆରମ୍ଭ ବୁଲିବା ପର୍ଯ୍ୟନ୍ତ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଏବେ ହିଁ ଜାଣନ୍ତୁ।

ଗ୍ୟାସ୍‌ ସିଲିଣ୍ଡର ଦାମରେ ପରିବର୍ତ୍ତନ

ପ୍ରଥମତଃ ନଭେମ୍ବର ମାସ ୧ ତାରିଖରୁ ରୋଷେଇ ଘରର ଗ୍ୟାସ୍‌ ସିଲିଣ୍ଡର ଦାମରେ ବଡ଼ ପରିବର୍ତ୍ତନ ଆସିପାରେ। ଯେମିତିକି ଏଲପିଜି ସିଲିଣ୍ଡର ଦାମ ଏହି ମାସରେ ପରିବର୍ତ୍ତନ ହେବାକୁ ଯାଉଛି। ଏଲପିଜି ବିକ୍ରିରେ ହେଉଥିବା କ୍ଷତି ଯୋଗୁଁ ଦାମ୍ ବୃଦ୍ଧି ହେବାର ଆଶଙ୍କା କରାଯାଉଛି।

ବ୍ୟାଙ୍କ୍‌ କାରବାରରେ ପରିବର୍ତ୍ତନ

ଦ୍ୱିତୀୟ ପରିବର୍ତ୍ତନଟି ହେଲା, ବ୍ୟାଙ୍କ କାରବାର। ଟଙ୍କା ଜମା ଠାରୁ ଉଠାଇବା ପର୍ଯ୍ୟନ୍ତ ସବୁଥିରେ ଏବେ ଚାର୍ଜ ଲାଗିପାରେ। ବ୍ୟାଙ୍କ ଅଫ୍ ବରୋଦା ପ୍ରଥମେ ଏପରି ନିୟମ ସାରା ଦେଶରେ କାର୍ଯ୍ୟକାରୀ କରିପାରେ। ଆସନ୍ତା ମାସଠାରୁ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଟ୍ରାଞ୍ଜାକ୍ସନ୍ ଉପରେ ଆପଣଙ୍କୁ ଚାର୍ଜ ଲାଗିପାରେ। ଏହା ସହ ନଭେମ୍ୱର ପହିଲାରୁ ଲୋନ୍ ଖାତା ପାଇଁ ଏଣିକି ୧୫୦ ଟଙ୍କା ଦେବାକୁ ହେବ। ଆଉ ଜମା ଉପରେ ତିନିଥର ଖାତାଧାରୀ ମାଗଣା ସେବା ପାଇ ପାରିବେ। ଯଦି ଚତୁର୍ଥ ଥର ପାଇଁ ଗ୍ରାହକ ଟଙ୍କା ଜମା କରନ୍ତି, ତେବେ ସେମାନଙ୍କୁ ଚାର୍ଜ ଆକାରରେ ୪୦ ଟଙ୍କା ଦେବାକୁ ପଡିବ। ତେବେ ଜନ ଧନ ଆକାଉଣ୍ଟଧାରୀଙ୍କୁ ଜମା ଉପରେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। କିନ୍ତୁ ଉଠାଇବା ବେଳେ ୧୦୦ ଟଙ୍କା ଦେବାକୁ ହେବ।

ପ୍ରଭାବିତ ହେବେ ଟ୍ରେନ୍‌ ଯାତ୍ରୀ

ତୃତୀୟ ପରିବର୍ତ୍ତନରେ ପ୍ରଭାବିତ ହେବେ ଟ୍ରେନ ଯାତ୍ରୀ। ଭାରତୀୟ ରେଳବାଇ ପକ୍ଷରୁ କାଲିଠାରୁ ଟ୍ରେନ୍ ଟାଇମ୍ ଟେବଲ୍ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ ତାରିଖରୁ ହେବାକୁ ଥିବା ପରିବର୍ତ୍ତନ ନଭେମ୍ବର ୧ ତାରିଖରୁ ହୋଇପାରେ ବୋଲି କୁହାଯାଉଛି। ଫଳରେ ୧୩ ହଜାର ଯାତ୍ରୀବାହୀ ଏବଂ ୭ ହଜାର ମାଲବାହୀ ଟ୍ରେନର ସମୟ ବଦଳି ଯାଇପାରେ। ଏପରିକି ଦେଶରେ ଗଡ଼ୁଥିବା ପ୍ରାୟ ୩୦ଟି ରାଜଧାନୀ ଟ୍ରେନର ସମୟ ମଧ୍ୟ ନଭେମ୍ବର ୧ ତାରିଖରୁ ବଦଳିବାକୁ ଯାଉଛି।

ସିଲିଣ୍ଡର ଡେଲିଭେରୀ ପ୍ରକ୍ରିୟା ବଦଳିବ

ଚତୁର୍ଥରେ ନଭେମ୍ବର ୧ ତାରିଖରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ଡେଲିଭେରୀ ପ୍ରକ୍ରିୟା ବଦଳିବାକୁ ଯାଉଛି। ଏଣିକି ଗ୍ୟାସ ବୁକିଂ ସମୟରେ ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ପଠାଯିବ। ଯେତେବେଳେ ଗ୍ୟାସ୍ ସିଲିଣ୍ଡର୍ ଆପଣଙ୍କ ଘରେ ପହଞ୍ଚିଯିବ ସେତେବେଳେ ଡେଲିଭେରି ବୟ ସହିତ ଆପଣ ଉକ୍ତ ଓଟିପିକୁ ସେୟାର୍ କରିବାକୁ ହେବ।

ପ୍ରଭାବିତ ହୋଇପାରେ ଗାଁଠୁ ସହର

ପଞ୍ଚମ ପରିବର୍ତ୍ତନରେ ପ୍ରଭାବିତ ହୋଇପାରେ ଗାଁଠୁ ସହର। ନଭେମ୍ବର ପହିଲାରୁ କିଛି ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଫୋନରେ କାମ କରିବା ନାହିଁ ହ୍ୱାଟସଆପ୍। ହ୍ୱାଟସଆପରେ ଦେଇଥିବା ସୂଚନା ମୁତାବକ, ନଭେମ୍ବରରୁ ଫେସବୁକ୍ ମାଲିକାନାରେ ଥିବା ପ୍ଲାଟଫର୍ମ ଆଣ୍ଡ୍ରଏଡ୍ 4.0.3 Ice Cream Sandwich, iOS 9 ଏବଂ KaiOS 2.5.0ରେ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇଯିବ।

ବିମାନ ଚଳାଚଳରେ ପରିବର୍ତ୍ତନ

ଷଷ୍ଠରେ ନଭେମ୍ବର ପହିଲାରୁ ୩୦ ତାରିଖ ରାତି ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ଓ ବିଦେଶରୁ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ। ତେବେ କିଛି ନିର୍ଦିଷ୍ଟ ମାର୍ଗରେ ଅନୁମୋଦନପ୍ରାପ୍ତ ବିମାନ ଚଳାଚଳ କରିବ। ଯାତ୍ରୀବାହୀ ବିମାନ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ବିମାନ ସେବାକୁ ଏଥିରୁ ବାଦ ଦିଆଯାଇଛି। ନଭେମ୍ବର ମାସ ପାଇଁ ଜାରି ହୋଇଥିବା କେନ୍ଦ୍ର ଗାଇଡଲାଇନକୁ ଅନୁପାଳନ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତିNew Guideline From Novemberନଭେମ୍ବର ୧ରୁ ଏସବୁ ବଡ଼ ପରିବର୍ତ୍ତନ

ସପ୍ତମରେ ନଭେମ୍ବର ୧ରୁ ନୂଆଦିଲ୍ଲୀରେ ସମସ୍ତ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏ ସମୟ ମଧ୍ୟରେ କୌଣସି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ତେବେ ସମସ୍ତ ବିଦ୍ୟାଳୟର ଶ୍ରେଣୀ ଗୃହରେ ସର୍ବାଧିକ ଉପସ୍ଥାନ ୫୦% କ୍ଷମତା ରହିବା ନେଇ ସ୍କୁଲ୍ ପକ୍ଷରୁ ପ୍ରୟାସ କରାଯିବ। ଏହା ସହ ସ୍କୁଲ କର୍ମଚାରୀଙ୍କ ଶତ ପ୍ରତିଶତ ଟିକାକରଣ ହୋଇଥିବା ଆବଶ୍ୟକ। ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ପାଠପଢା ଯେପରି ହେବ, ସେ ନେଇ ନଜର ରଖିବାକୁ କୁହାଯାଇଛି।

କୋହଳ ହେବ କଟକଣା

ଏବେ ଜାଣିବା ରାଜ୍ୟ କଥା। ଆସନ୍ତା ନଭେମ୍ବର ପହିଲାରୁ ଭୁବନେଶ୍ୱର ମହାନଗର ନିଗମ ଲାଗୁ ହେବାକୁ ଯାଉଛି ନୂଆ ଗାଇଡଲାଇନ। ଏଣିକି ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଭଳି ସାମାଜିକ ଉତ୍ସବରେ ଅତିବେଶୀରେ ୨୫୦ ଜଣ ସାମିଲ ହୋଇପାରିବେ। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପୂର୍ବରୁ ଯେଉଁ ସବୁ କଟକଣା ଥିଲା, ସେଥିରେ କିଛିଟା କୋହଳ କରାଯାଇଛି। ତେବେ କୋଭିଡ୍‌ କଟକଣା ସହ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ଭିଡ ନ କରିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି।

ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ନଭେମ୍ବର ପହିଲାରୁ ପୁରୀବାସୀଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆସନ୍ତାକାଲିଠାରୁ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀ ଶ୍ରୀମନ୍ଦିରରେ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଅନ୍ୟମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ହେଲେ ଏସଓପି ଅନୁସାରେ ହେବ ମହାପ୍ରଭୁଙ୍କ ଦର୍ଶନ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବସିଥିବା ଭର୍ଚୁଆଲ ବୈଠକରେ ଏପରି ନିଷ୍ପତ୍ତି ହୋଇଛି।

ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଖାଲି ଏତିକି ନୁହେଁ, ନଭେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହୋଇଥିଲେ ଏଥିରେ ସାମିଲ ହୋଇ ପାରିବେ। ଏହା ସହ ଯୋଗ୍ୟ ଭୋଟର ନିଜ ନାଁ ଲିଷ୍ଟରେ ଯୋଗ କରି ପାରିବେ ଓ କାଟିପାରିବେ। ଚଳିତ ଥର ଏହି ବ୍ୟବସ୍ଥା ଅନଲାଇନ ମାଧ୍ୟମରେ କରାଯିବାର ରହିଛି। ଏକ ସ୍ୱତନ୍ତ୍ର ଆପ ମାଧ୍ୟମରେ ଏହି ସଂଶୋଧନ ପ୍ରକ୍ରିୟା ହୋଇପାରିବ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଟକଣା

ନଭେମ୍ବର ପହିଲାରୁ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଟକଣା ହେବାକୁ ଯାଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି ହେବ।

ଖୋଲିବ ଶିମିଳିପାଳ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ତାରିଖରୁ ଖୋଲିବାକୁ ଯାଉଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦା ପିଠାବଟା ଏବଂ କାଳିଆଣି ଦେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟକୁ ପ୍ରବେଶ କରିପାରିବେ। ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ନିମନ୍ତେ ପ୍ରବେଶ ଅନୁମତି ପତ୍ର କେବଳ ପିଠାବଟା ଓ ଯଶିପୁର ବୁକିଂ କାଉଣ୍ଟାରରୁ ପୂର୍ବାହ୍ନ ୬ ଟାରୁ ଦିନ ୯ ଟା ପର୍ଯ୍ୟନ୍ତ ମିଳିପାରିବ। ଏଥି ସହିତ ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁରର କାଳିଆଣି ଫାଟକ ମଧ୍ୟ ଦେଇ ୩୫ ଗୋଟି ଚାରିଚକିଆ ଯାନର ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ୱୟ ଅନୁସାରେ ଅନୁମିତି ମିଳିପାରିବ।

ନଭେମ୍ବର ୧ରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ

ଦରବୃଦ୍ଧିକୁ ନେଇ ଆସନ୍ତା ନଭେମ୍ବର ୧ ତାରିଖରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ କରାଯିବା ସହ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ହେବ। ଏହା ସହ ନଭେମ୍ୱର ୫ରୁ ୭ ନଭେମ୍ବର ଯାଏଁ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି କାରଣରୁ ୧୪୭ ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପେଟ୍ରୋଲ ପମ୍ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ପ୍ରତିବାଦ କରିବ। ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ତେବେ ଏହା ବିଜେଡିର ଏକ ନାଟକ ବୋଲି କହିଛି ରାଜ୍ୟ ବିଜେପି।

ଆରମ୍ଭ ହେବ ୟୁଜି କ୍ଲାସ୍‌ରୁମ୍‌ ପାଠପଢା

କୋଭିଡ ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ଥିବା ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପାଠପଢା ଆସନ୍ତା ନଭେମ୍ବର ପହିଲାରୁ ଆରମ୍ଭ ହେବ। ସେହିପରି ନଭେମ୍ବର ୧୫ ତାରିଖରୁ ପିଜି ପ୍ରଥମ ବର୍ଷ କ୍ଲାସ ଖୋଲିବ। କ୍ଲାସରୁମରେ ପାଠପଢ଼ା ହେବା ସହ ହଷ୍ଟେଲ ମଧ୍ୟ ଖୋଲିବ। ତେବେ କୋଭିଡ ଗାଇଡ଼ଲାଇନ୍ ସହ ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି।

ରାତି ପାହିଲେ ଲାଗୁ ହେବାକୁ ଯାଉଛି ଏସବୁ ନିୟମ ଓ ପରିବର୍ତ୍ତନ। ଏହା ବାଦ ଆହୁରି ଅନେକ ପରିବର୍ତ୍ତନକୁ ଆପଣ ସାମ୍ନା କରିବାକୁ ହେବ। ନ ମାନିଲେ ଏହାର ସିଧାସଳଖ ପ୍ରଭାବ ଆପଣଙ୍କ ଜୀବନ ଜୀବୀକା ଉପରେ ପଡିପାରେ। ଏଥିପାଇଁ ଆଜିଠାରୁ ସବୁ ନିୟମକୁ ଜାଣିବା ଜରୁରୀ ହୋଇପଡିଛି।