ଆନ୍ଧ୍ର ଗୃହବିଭାଗର ଚିନ୍ତାଜନକ ତଥ୍ୟ: ଲାଲ୍‌ ବାହିନୀରେ ବଢୁଛି ମହିଳା କ୍ୟାଡର୍

ଚେନ୍ନାଇ: ମାଓ ସଂଗଠନରେ ମହିଳାଙ୍କ ସଂଖ୍ୟା ଓ ଦବ୍‌ଦବା ବଢୁଛି। କମ୍ ବୟସରେ ବିବାହ ଓ ଗରିବୀରୁ ରକ୍ଷା ପାଇବାକୁ ଅଧିକରୁ ଅଧିକ ଆଦିବାସୀ ଯୁବତୀ ମାଓ ସଂଗଠନରେ ଯୋଗ ଦେଉଛନ୍ତି। ଗତ ରବିବାର ଆନ୍ଧ୍ରରେ ଜଣେ ଟିଡିପି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ଘଟଣାରେ ୨୦ରୁ ୨୫ ମହିଳା ମାଓବାଦୀଙ୍କ ସଂପୃକ୍ତି ପରେ ଏମିତି କିଛି କାରଣ ଦର୍ଶାଇଛି ଆନ୍ଧ୍ର ପୁଲିସ୍‌ ଓ ଗୃହ ମନ୍ତ୍ରଣାଳୟ।

ଟିଡିପି ବିଧାୟକ କେ.ଏସ୍. ରାଓ ଓ ପୂର୍ବତନ ବିଧାୟକ କେ.ସୋମାଙ୍କ ହତ୍ୟାରେ ୨ଜଣ ଟପ୍ ମାଓନେତ୍ରୀ ସଂପୃକ୍ତ ଅଛନ୍ତି। ଏହି ହତ୍ୟା ଘଟଣାକୁ ଅନ୍ତିମ ରୂପ ଦେବାରେ, ନନ୍ଦପୁର ଦଲମ୍ ସ୍ପେଶାଲ୍‌ ଜୋନାଲ କମିଟି ସଦସ୍ୟ ଅରୁଣା ଓ କ୍ୟାଡର୍‌ ମାଓବାଦୀ ଚୈତନ୍ୟାର ପ୍ରତ୍ୟକ୍ଷ ହାତ ଥିବା ଜଣାପଡ଼ିଛି।  ପୂର୍ବରୁ ଆନ୍ଧ୍ର ପୁଲିସ୍ ମଧ୍ୟ ଏହି ମାଓବାଦୀର ଫଟୋ ଜାରି କରିଛି।

ଖାଲି ସେତିକି ନୁହେଁ, ରବିବାର ଗୁଳିକାଣ୍ଡବେଳେ ୨୦ରୁ ୨୫ ଜଣ ମହିଳା ମାଓବାଦୀ ସାମିଲ ଥିବା ଜଣାପଡ଼ିଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ ଲାଲ୍ ସଂଗଠନରେ ମହିଳାଙ୍କ ସଂଖ୍ୟା ଓ ତାଙ୍କର ପ୍ରଭାବ ବଢ଼ିବାରେ ଲାଗିଛି।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଆନ୍ଧ୍ର ପୁଲିସ୍ ଓ ଗୃହ ମନ୍ତ୍ରାଳୟ ଦାବି କରିଛନ୍ତି ଯେ ସାରା ଦେଶରେ ଏବେ ମୋଟ୍ ମାଓବାଦୀଙ୍କ ମଧ୍ୟରୁ ୫୦ ପ୍ରତିଶତ ମହିଳା ଅଛନ୍ତି। ଲାଲ୍ ବାହିନୀରେ ନିଯୁକ୍ତି ବେଳେ ବି ଏମାନଙ୍କୁ ଅଗ୍ରାଧିକାର ଦିଆଯାଉଛି।

କମ୍ ବୟସରେ ବିବାହରୁ ରକ୍ଷା ପାଇବା, ଝିଅ ହୋଇଥିବାରୁ ଗରିବ ପରିବାରରେ ସେମାନଙ୍କୁ ବୋଝ ଭଳି ମନେ କରାଯିବା ଓ ବିଭିନ୍ନ ସମୟରେ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରରୁ ମୁକୁଳିବାକୁ ଆଦିବାସୀ ମହିଳାମାନେ ବାମପନ୍ଥୀ ଉଗ୍ରବାଦରେ ସାମିଲ ହେଉଛନ୍ତି।

କାନ୍ଧରେ ଅତ୍ୟାଧୁନିକ ବନ୍ଧୁକ ଧରି ଗରିଲା ଯୁଦ୍ଧର ତାଲିମ୍ ନେଇ ମହିଳା ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଛନ୍ତି। ମାଓ ସଂଗଠନରେ ମହିଳାଙ୍କ ଉପସ୍ଥିତି ଏହା ସ୍ପଷ୍ଟ ପ୍ରମାଣିତ କରୁଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଅନେକ ସମୟରେ ମାଓ କ୍ୟାମ୍ପରେ ନିର୍ଯାତନା ଯୋଗୁଁ ବହୁ ମହିଳା ମାଓବାଦୀ ସଂଗଠନ ଛାଡୁଥିବା ନେଇ ପୁଲିସ୍‌ ଯେଉଁ ସୂଚନା ଦେଉଛି ତାହା କେତେ ଦୂର ସତ ? ବାଶଧାରା ଡିଭିଜନ୍‌ର କ୍ୟାଡର୍‌ ମାଓବାଦୀ ଇନ୍ଦୁ କିନ୍ତୁ ଏହାକୁ ସଫା ସଫା ଅସ୍ୱୀକାର କରିଥିବାବେଳେ ଏହା ମାଓ ଆଦର୍ଶର ବିରୋଧୀ ବୋଲି କହିଛନ୍ତି।

 

 

 

You might also like