ପୁଣି ଏକ ଶିଶୁ ନିଖୋଜ: ଚିଣ୍ଟୁକୁ ନେଲା କିଏ?

ଫଟୋ ଧରି ନାତିକୁ ଖୋଜୁଛି ଜେଜେ ମାଆ

ଯାଜପୁର:  ୪ ବର୍ଷର ନାତି ଦାଣ୍ଡରେ ଖେଳୁଥିଲା। କିଛି ସମୟ ପରେ ଦେଖିଲା ବେଳକୁ କୁଆଡ଼େ ଗାଏବ୍ ହୋଇଗଲା। ସେଦିନଠୁ ଘରେ ଚୁଲି ଜଳୁନି। ଫଟୋ ଧରି କାନ୍ଦୁଛନ୍ତି ଜେଜେ ମାଆ, ବାପା ଓ ମାଆ। ସେମାନଙ୍କ କାନ୍ଦ ଶୁଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

ଦର୍ଶକବନ୍ଧୁ ଏ ଭିଡିଓଟିକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯେମିତି ପୋଲିସ୍ ଚେଇଁ ଉଠିବ ଆଉ ଘରକୁ ହସି ହସି ଫେରି ଆସିବ ୪ ବର୍ଷର ଚିଣ୍ଟୁ।

ନାତି ପାଇଁ ରାହା ଧରି କାନ୍ଦୁଛି ଜେଜେ ମାଆ। ଲହରେଇ ଲହରେଇ କହୁଛି, କୁଆଡ଼େ ଗଲୁରେ ଚିଣ୍ଟୁ। ମୋ ନାତି.. ତୋ ବିନା ଘରେ ଚୁଲି ଜଳୁନି।

କେବଳ ସେ ନୁହେଁ, ଘର ପିଣ୍ଡାରେ ବସି ସାରା ପରିବାର ଅପେକ୍ଷା କରିଛନ୍ତି ୪ ବର୍ଷର ଚିଣ୍ଟୁକୁ। ଆଖିରୁ ଲୁହ ଶୁଖୁନି।

ରାଜ୍ୟରେ ପରୀ ଅପହରଣ ଓ ହତ୍ୟା ଘଟଣା ପରେ ପଦାକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ଘଟଣା। ସେହିପରି ଏକ ଘଟଣା ଘଟିଛି ଏଇ ଗାଁରେ।

ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଖୋସାଲିପୁର ନିକଟ ଏହା ହେଉଛି ମୁଣ୍ଡାସାହି। ଗତ ଗୁରୁବାର ଦିନର ଘଟଣା ସାରା ଗାଁକୁ ସ୍ତବ୍ଧ କରିଦେଇଛି। ଏହି ସାହିର ରାମ ଓ ଲିଲିଙ୍କ ୪ ବର୍ଷର ପୁଅ ଚିଣ୍ଟୁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ କେହି ତାକୁ ନେଇଯାଇଥିଲା। ସେବେଠୁ ଘର ଲୋକେ ତାକୁ ଖୋଜି ଖୋଜି ନୟାନ୍ତ ହେଲେଣି। ଘରେ ଖାଇବା ପିଇବା ବନ୍ଦ।

ଘର ଲୋକେ ଧାନମଣ୍ଡଳ ଫାଣ୍ଡିରେ ଅଭିଯୋଗ କରିଛନ୍ତି, ଘର ସାମ୍ନାରେ ଖେଳୁଥିବା ବେଳେ କେହି ଚିଣ୍ଟୁକୁ ବରା ଖୁଆଇ ଅପହରଣ କରିନେଇଛି।

ତିନିଦିନ ତଳେ ଏଇଠି ତାଙ୍କରି ଆଖି ଆଗରେ ଖେଳୁଥିବା ଆଦରର ନାତି ଚିଣ୍ଟୁ। ତା ହସ ହସ ମୁହଁ, ଦରୋଟି କଥା ସବୁ ଦିଶିଯାଉଛି ଆଖି ଆଗରେ। ଏତେ ନିଷ୍ପାପ ଶିଶୁଟି ବା କାହାର କି ଅନିଷ୍ଟ କରିଥାଇ ପାରେ। କାହିଁକି ତାକୁ ଅପହରଣ କରିନେଲା ଦୁର୍ବୃତ୍ତ। ଦିନରାତି ସେଇ କଥା ଭାବି ଭାବି ଜେଜେମାଆ, ମାଆ ଓ ବାପା ଆଖିରେ ଲୁହ ବୋଲ ମାନୁନି।

ଦର୍ଶକବନ୍ଧୁ ଶିଶୁଟିଏ କାହାର କେବେ ଶତ୍ରୁ ହେଇନପାରେ। ଏ ଭିଡିଓ ଦେଖୁଥିବା ଦର୍ଶକବନ୍ଧୁ ଦୟାକରି ଏହାକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯେମିତି ରାଜ୍ୟ ସରକାରଙ୍କ ପୋଲିସ୍ ଚେଇଁ ଉଠିବ, ଆଉ ଅପହରଣକାରୀ ମଧ୍ୟ ଧରାପଡ଼ି ଯାଉ। ଈଶ୍ୱରଙ୍କ ପାଖରେ ସମସ୍ତେ ପ୍ରାର୍ଥନା କରନ୍ତୁ, ଚିଣ୍ଟୁ ଭଲରେ ଭଲରେ ଘରକୁ ଫେରିଆସୁ।

You might also like