ପରଲୋକରେ ଓଡ଼ିଆ ଅଭିନେତା ଦେବୁ ବୋଷ

ଦୀର୍ଘଦିନର ଅସୁସ୍ଥତା ପରେ ହାଇଦ୍ରାବାଦ୍‌ରେ ଦେହାନ୍ତ

ଭୁବନେଶ୍ୱର : ଅଶୀ ଦଶକରେ ଫିଲ୍ମ ତପସ୍ୟାରୁ ଅାରମ୍ଭ ହୋଇଥିବା ସଫର, ୨୦୧୪ରେ କେତେବେଳେ ରାସ୍ତାରେ ସରିଗଲା, ତାହା ଟିକେ ବି ଅନୁଭବ ହେଲାନି। କୋଟି କୋଟି ଓଲିଉଡ଼ ପ୍ରେମୀଙ୍କୁ  ପରଦାରେ ସେ କେତେବେଳେ କଠୋର ବାପା ହୋଇ ପିଲାଙ୍କୁ ଅନୁଶାସନର ପାଠ ପଢ଼ାଇଛନ୍ତି, ତ ପୁଣି କେବେ ମେଳାପି ପିତା ଚରିତ୍ରରେ ସମାଜକୁ ଦେଇଛନ୍ତି ସମୟୋପଯୋଗୀ ବାର୍ତ୍ତା। ଅାଉ ଦରଦି ବାପା ଭାବେ  ସନ୍ତାନ ପାଇଁ ଅାଚରଣ ଓ ଉଚ୍ଚାରଣରେ ଛାଡ଼ି ଯାଇଛନ୍ତି ଅପାସୋରା ଅଭିନୟର ଛାପ।

ଦେବୁ ଦାଙ୍କ ଅଭିନୀତ କାବେରୀ, ସହରୀ ବାଘ, ଜଗା ହାତରେ ପଘା, ପୁଅ ମୋର କଳା ଠାକୁର, ଗଙ୍ଗଶିଉଳୀ ଓ ଚକାଭଉଁରି ଭଳି ଶହେରୁ ଅଧିକ ଫିଲ୍ମ ହୋଇଛି ସୁପର ହିଟ୍। ତେବେ ଚଳଚ୍ଚିତ୍ର ସୁନା ଚଢେଇରେ ତାଙ୍କ ଅଭିନୟ ସବୁଦିନ ପାଇଁ ସୁନା ଭଳି ଚମକୁଥିବ।

ପୂର୍ବରୁ ୨ଥର ହୃଦ୍‌ଘାତର ଶିକାର ହୋଇଥିବା ୭୬ ବୟସ୍କ ଏହି ବର୍ଷିଅାନ୍ କଳାକାରଙ୍କୁ ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ଭେଣ୍ଟିଲେଟରରେ ରହିବା ପରେ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଦେବୁ ବୋଷ। ତାଙ୍କ ଅବର୍ତ୍ତମାନରେ ଯେମିତି ମୂରବି ଶୂନ୍ୟ ଅନୁଭବ କରୁଛି ସିନେ ଜଗତ, ଝୁରି ହେଉଛନ୍ତି ସିନେ ପ୍ରେମୀ।

କେବଳ ଚରିତ୍ର ଅଭିନେତା ନୁହେଁ ନୃତ୍ୟରେ ବି ନିପୁଣ ଥିଲେ ଦେବୁ ଦା। ବିଶିଷ୍ଟ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରି ଅନେକ ସିନେମାରେ ଦେଇଛନ୍ତି ନୃତ୍ୟ ନିର୍ଦ୍ଦେଶନା। ତାସହ ଦିଗନ୍ତ ନାଟ୍ୟ ଅନୁଷ୍ଠାନ ସହ ଜଡ଼ିତ ରହି ବହୁ ନାଟକରେ କରିଥିବା ଅଭିନୟ ଓ ନିର୍ଦ୍ଦେଶନା ତାଙ୍କୁ ଚିରକାଳ ପାଇଁ ଅମର କରି ରଖିବ।

You might also like