କାଉଡ଼ିଆଙ୍କ ଉପରେ ଆକାଶମାର୍ଗରୁ ପୁଷ୍ପ ବର୍ଷା କଲେ ପୁଲିସ ବାବୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କାଉଡ଼ିଆଙ୍କ ଉପରେ ଆକାଶମାର୍ଗରୁ ପୁଷ୍ପବର୍ଷା କରି ଅଡ଼ୁଆରେ ବରିଷ୍ଠ ପୋଲିସ ଅଧିକାରୀ। ମିରଟର ଏଡିଜି ପ୍ରଶାନ୍ତ କୁମାର ଏକ ହେଲିକପ୍ଟରରେ ଏରିଏଲ ସର୍ଭେ କରିବାବେଳେ ରାସ୍ତାରେ ଯାଉଥିବା କାଉଡ଼ିଆମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ। ତାଙ୍କ ସହ ପୁଲିସ କମିଶନର ଚନ୍ଦ୍ର ପ୍ରକାଶ ତ୍ରିପାଠୀ ମଧ୍ୟ ଥିଲେ।

ପୁଲିସ ପକ୍ଷରୁ ଏହା ଏକ ଲୋକ ସମ୍ପର୍କ ଅଭିଯାନ ବୋଲି ସଫେଇ ଦିଆଯାଇଛି। ତେବେ ଏଭଳି କାର୍ଯ୍ୟ ପାଇଁ  ବିଭିନ୍ନ ମହଲରୁ ୟୁପି ପୁଲିସକୁ ସମାଲୋଚିତ ହେବାକୁ ପଡ଼ିଛି।

ସେପଟେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ କାଉଡ଼ିଆମାନେ ଓ ପୁଲିସ ମଧ୍ୟରେ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି ହୋଇଛି। ଉତ୍ତ୍ୟକ୍ତ କାଉଡ଼ିଆ ପୁଲିସକୁ ଠେଲାପେଲା କରିବା ସହ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

ସ୍ଥାନୀୟ ଲୋକେ ମଧ୍ୟ ସେମାନଙ୍କ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହେଉଥିବା ବେଳେ ପୁଲିସ ଅଫିସରଙ୍କ ଏମିତି କାର୍ଯ୍ୟ ଚର୍ଚ୍ଚିତ ବିଷୟ ହୋଇଛି।

ଦିଲ୍ଲୀର ମୋତି ନଗରରେ ମଧ୍ୟ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ଆତଙ୍କରାଜ। ରାସ୍ତାରେ ଯାଉଥିବା ବେଳେ ଜଣେ କାଉଡ଼ିଆଙ୍କ ଦେହରେ ଗୋଟିଏ କାର ଘଷି ହୋଇ ଚାଲିଯିବାରୁ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଆଉ କାରକୁ ଅଟକାଇ ଗାଳି ଗୁଲଜ କରିଥିଲେ।

ଏତିକିରେ କିନ୍ତୁ ସେମାନଙ୍କର ରାଗ ଶାନ୍ତ  ହୋଇ ନଥିଲା।  ସେମାନେ କାରକୁ ବାଡ଼ିରେ ପିଟିବା ସହ ଭଙ୍ଗାରୁଜା କରିଥିଲେ। ଅନେକ କାଉଡ଼ିଆ ସଂଘବଦ୍ଧଭାବେ ଏମିତି ଆକ୍ରମଣ କରିଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ଏ ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରି ନଥିଲେ। କାରରେ ଥିବା ଯାତ୍ରୀମାନେ କିନ୍ତୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇ ବାହାରି  ଆସିଥିଲେ। ଏହାପରେ କାଉଡ଼ିଆମାନେ ଆଉ ଏକ କାରକୁ ଆକ୍ରମଣ କରି ତା’କୁ ଓଲଟାଇ ଦେଇଥିଲେ।

କାଉଡ଼ିଆଙ୍କ ଉତ୍ପାତ ଓ ପୁଲିସ ଅଫିସରଙ୍କ ଫୁଲ ବର୍ଷା ଭିଡିଓ ଭାଇରାଲ ହେବାରେ ଲାଗିଛି।

source: ANI

You might also like