ଓଡଙ୍ଗ ଉପ-ଡାକଘରେ ଚିଠି ବଣ୍ଟାକୁ ନେଇ ଅବ୍ୟବସ୍ଥା

ବଣ୍ଟା ନଯାଇ ପଡି ରହିଛି ବସ୍ତା ବସ୍ତା ଚିଠି ଓ ପାର୍ସଲ

ଭଦ୍ରକ: ଲୋକେ ଚିଠି ଖଣ୍ଡେ ପଠେଇସାରିଲେ ପ୍ରତିଚିଠିକୁ ଅପେକ୍ଷା କରିଥାନ୍ତି। ହେଲେ ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ସେଠାରେ ପ୍ରତିଚିଠି ବଦଳରେ ନିଜ ଚିଠି ବି ଠିକଣା ଜାଗାରେ ପହଞ୍ଚିଥିବ ତାହାର ଗ୍ୟାରେଣ୍ଟି ନାହିଁ। ଏଠି ଲୋକଙ୍କ ଭାଗ୍ୟ ଯେମିତି ବନ୍ଧା ପଡିଛି। କାହାର ଚାକିରୀ, କାହାର ପ୍ରମୋସନ୍ ତ କାହାର ପରିଚୟପତ୍ର , ସବୁ ଖାଉଚି ଖତ। ପହଂଚିପାରିନି ଠିକଣା ଯାଗାରେ। ପୋଷ୍ଟମାଷ୍ଟରଙ୍କ ଦାୟିତ୍ୱହୀନତାର ଏଭଳି ନଗ୍ନ ଚିତ୍ର ସାମ୍ନାକୁ ଆସିଛି ଭଦ୍ରକୁ ଜିଲ୍ଲାରୁ।

ଡାକଘରେ ଅଳିଆ ଗଦା ଭଳି ରଖିଛନ୍ତି ଆଧାର କାର୍ଡ, ପାନ୍ କାର୍ଡ, ଜଏନିଙ୍ଗ ଲେଟର୍ ସହ ଲୋକଙ୍କ ଅନେକ ଜରୁରୀ କାଗଜ ପତ୍ର। ଭଦ୍ରକ ଜିଲ୍ଲା ଓଡଙ୍ଗ ଉପ ଡାକଘରେ ଅନେକ ବର୍ଷ ହେଲା ଚାଲି ଆସିଥିବା ଏଭଳି ଅବ୍ୟବସ୍ଥାକୁ ଠାବ କରିଛନ୍ତି ସ୍ଥାନୀୟଲୋକେ। ଲୋକଙ୍କ ଅଜାଣତରେ ୨୦୦୭ ମସିହା ପରଠୁ ପୋଷ୍ଟ ମାଷ୍ଟର ଡାକଘରକୁ ଆସିଥିବା କୌଣସି ଚିଠି କାହାରିକୁ ବାଣ୍ଟିନଥିବା ଅଭିଯୋଗ ହୋଇଛି।

ଓଡଙ୍ଗ ପଂଚାୟତରେ ଥିବା ପୁରୁଣା ସବ୍‌ ପୋଷ୍ଟ ଅଫିସ୍ ଘରଟି ଜରାଜୀର୍ଣ୍ଣ ହେବାରୁ କିଛିଦିନ ପୂର୍ବରୁ ଉଞ୍ଚାୟତରେ ନବନିର୍ମିତ ରାଜୀବ ଭବନକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଭବନ ପାଖରେ ମିଳିଥିବା ଏଭଳି ବସ୍ତା ବସ୍ତା ଚିଠିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲୋକେ। ଅନ୍ୟପଟେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରହି ନିଜର ଦାୟିତ୍ୱହୀନତାକୁ ଘୋଡାଇବାକୁ ଚେଷ୍ଟା କରିଛନ୍ତି ପୋଷ୍ଟ ମାଷ୍ଟର ଜଣଙ୍କ। କାରଣ ଭାବେ ଶାରୀରିକ ଅସୁସ୍ଥତାକୁ କରିଛନ୍ତି ରାମବାଣ।

କେବଳ ଯେ ସାଧାରଣ ଲୋକ ତାନୁହେ, ବରଂ ଖୋଦ୍ ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କ ବିଭିନ୍ନ ସରକାରୀ ଚିଠି ବି ପହଂଚିପାରିନି ଠିକଣା ଜାଗାରେ। ଡାକଘରେ ହୋଇଥିବା ଏଭଳି ଅବ୍ୟବସ୍ଥା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଲୋକେ।

You might also like