ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ସରକାରୀ ସହାୟତାକୁ ଅନାଇଛନ୍ତି ଟି.ଭେଙ୍କେଟ ରତ୍ନମ

ଶୁଣ ସରକାର

ରାୟଗଡ଼ା: (ମନୋଜ ପାତ୍ର) ସରକାରୀ ଚାକିରି କରିବା ବେଳେ ସ୍ୱାମୀଙ୍କ ହୋଇଥିଲା ମୃତ୍ୟୁ। ୩ ବର୍ଷରୁ ଅଧିକ ସମୟ ବିତିଲାଣି ସ୍ୱାମୀଙ୍କ ମୃତ୍ୟୁକୁ। ଆଉ ଏବେ ନିଜ ମାଆଙ୍କ ପାଖରେ ନେଇଛନ୍ତି ଆଶ୍ରା। ସରକାରୀ ନିୟମ ଅନୁସାରେ ମିଳିନି କିଛି ବି ସହାୟତା। ତହସିଲ ଅଫିସରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସକୁ ବାରମ୍ବାର ଦୌଡ଼ିଲେଣି କିନ୍ତୁ କେଉଁଠାରୁ ବି ମିଳିଲା ନାହିଁ ସହାୟତା। ଶେଷରେ ନିରାଶ ହୋଇ ଏବେ ନିଜ ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ରାୟଗଡ଼ା ସହର ରାମକୃଷ୍ଣନଗରର ଟି.ଭେଙ୍କେଟ ରତ୍ନମ।

ବିଧବା ଝିଅ ଲାଗି ଏକ ମାତ୍ର ଆଶ୍ରା ବିଧବା ମାଆ, ମାଆଙ୍କ ପେନସନରେ ଚଳନ୍ତି ୪ ପ୍ରାଣୀ କୁଟୁମ୍ଭ।  ହେଲେ ରାୟଗଡ଼ା ସହର ରାମକୃଷ୍ଣ ନଗରରେ ରହୁଥିବା ଟି.ଭେଙ୍କେଟ୍ ରତ୍ନମ୍ ୨୦୧୩ ମସିହାରେ ଟି.ସୁନିଲ୍ କୁମାରଙ୍କ ସହ ହୋଇଥିଲା ବିବାହ। ସୁନିଲ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ତହସିଲରେ କନିଷ୍ଠ କିରାଣୀ ଭାବେ କାମ କରୁଥିଲେ। ୨୦୧୮ ମସିହାରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ସୁନୀଲଙ୍କ ମୃତ୍ୟୁକୁ ଏବେ ୩ ବର୍ଷ ବିତିଲାଣି। ହେଲେ ଏବେ ବି ତାଙ୍କ ସ୍ତ୍ରୀ ଟି. ଭେଙ୍କେଟ୍ ରତ୍ନମଙ୍କୁ ମିଳିନି କୌଣସି ସରକାରୀ ସହାୟତା।

 

“ସ୍ୱାମୀଙ୍କ ମୃତ୍ୟୁକୁ ୩ ବର୍ଷ ବିତିଗଲାଣି। ସେବେଠୁ ସହାୟତା ଲାଗି ମୁଁ ଦୌଡି ଦୌଡି ନୟାନ୍ତ ହେଲେଣି, କିନ୍ତୁ ଏବେ ବି କିଛି ସହାୟତା ମିଳିପାରିନାହିଁ। ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟକୁ ଗଲେ ବି କେହି ଶୁଣିନାହାନ୍ତି। ଚଳିବା ଲାଗି ବହୁତ ଅସୁବିଧା ହେଉଛି। ମୋ ଦୁଃଖ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଟି. ଭେଙ୍କେଟ୍”।

ସ୍ୱାମୀଙ୍କ ମୃତ୍ୟୁ ପରେ ଟି-ଭେଙ୍କେଟ୍ ରତ୍ନମ୍ ତାଙ୍କୁ ମିଳିବାକୁ ଥିବା ଅର୍ଥରାଶି ସହ ଚାକିରି ଲାଗି କାଗଜ ପତ୍ର ଦାଖଲ କରିଛନ୍ତି। ହେଲେ ତିନି ବର୍ଷ ହେଲାଣି କାଗଜ ଆଗକୁ ଉଠିନି। ଏବେ ବିଧବା ମାଆଙ୍କ ପେନସନ୍ ଅର୍ଥ ଉପରେ ସେ ନିର୍ଭରଶୀଳ। ଏଥିଲାଗି ସେ ଚନ୍ଦ୍ରପର ତହସିଲ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସକୁ ବାରମ୍ବାର ଦୌଡ଼ିଲେଣି ହେଲେ ସେ ନିରାଶ, ସେପଟେ ଏ ନେଇ ରାୟଗଡ଼ାର ନବ ନିଯୁକ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରିବା ପରେ ଖୁବ ଶୀଘ୍ର ସରକାରୀ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

You might also like