ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ

ପୁରୀ : ଆସନ୍ତାକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦିନକ ପରେ ରଥଯାତ୍ରା । ଦୀର୍ଘ ୧୫ ଦିନର ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଉ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଣେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥଠାରୁ ପଥ, ସବୁର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ।

ଅନ୍ତ ହେବ ଦୀର୍ଘ ୧୫ ଦିନର ପ୍ରତୀକ୍ଷା। ରାତି ପାହିଲେ ନବ ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ତା ପୂର୍ବରୁ ଶ୍ରୀଜୀଉଙ୍କ ସର୍ବାଙ୍ଗରେ ଖଡ଼଼ିଲାଗି ପରେ ଆଜି ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ ସଂପନ୍ନ ହୋଇଛି। ସେପଟେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିଛନ୍ତି ଦତ୍ତମହାପାତ୍ର ସେବାୟତ।

କାଲି ସକାଳ ୬ଟାରେ ଚକା ଅପସର କରାଯାଇ ସକାଳ ୮ଟାରୁ ଆରମ୍ଭ ହେବ ପରିମାଣିକ ଦର୍ଶନ। ଏଥିପାଇଁ ଦର୍ଶନାଥୀଙ୍କୁ ଦକ୍ଷିଣ ଦ୍ୱାର ଦେଇ ଛଡାଯିବ ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ଚାଲିବ ସର୍ବସାଧାରଣ ଦର୍ଶନ। ଏପଟେ ଘୋଷଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ରଥଟଣାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଆଜି ପୁରୀ ପୋଲିସ୍ ଲାଇନ୍ ପଡ଼ିଆରେ ହୋଇଥିଲା ମକ୍‌ଡ୍ରିଲ୍। ପୋଲିସ୍ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ଅନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ, ପ୍ରତ୍ୟେକ ରଥ ଦାୟିତ୍ୱରେ ଥିବା ଅଧିକାରୀ, ରାପିଡ୍ ଆକ୍ସନ ଫୋର୍ସ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।

ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ୧୪୦ ପ୍ଳାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ। ରଥ ନିର୍ମାଣରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ମହାରଣା ସେବାୟତ । କାଲି ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥକୁ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ଏବେ ଅପେକ୍ଷା ଘୋଷଯାତ୍ରା ପୂର୍ବର ସବୁଠୁ ବଡ଼ପର୍ବ ଶ୍ରୀଜୀଉଙ୍କ ନବଯୌବନ ବେଶକୁ।

 

 

 

 

 

You might also like
Comments
Loading...