ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ

ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ଭକ୍ତି ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର: ଭଜନ କୀର୍ତ୍ତନ ସାଙ୍ଗକୁ କୃଷ୍ଣ ଭକ୍ତି ରସରେ ଭିଜୁଛନ୍ତି ଶ୍ରଦ୍ଧାଳୁ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅାଜି ଦିନତମାମ ଏମିତି ଭକ୍ତି ଓ ଅାରାଧନାର ପରିବେଶ ଦେଖିବାକୁ ମିଳିଛି ରାଜଧାନୀର ଇସ୍କନ ମନ୍ଦିରରେ। ଏଥିସହିତ କୃଷ୍ଣ ବଳରାମଙ୍କୁ ଦର୍ଶନ କରିବା ସହ ଉପବାସ ରଖିଛନ୍ତି ଭକ୍ତ। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସଂପନ୍ନ ହେବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।

ଶ୍ରୀମନ୍ଦିରରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳନ ହେଉଛି ଶ୍ରୀକୃଷ୍ଣ ଜନ୍ମନୀତି। ପରମ୍ପରା ଅନୁଯାୟୀ,ସଂଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ କଟାଯାଇ ଜନ୍ମନୀତି କରାଯାଇଥାଏ। କୃଷ୍ଣ ଜନ୍ମ ପରେ ମହାଭୋଇ ସେବାୟତମାନେ ମାଖନ, ସର, ଲବଣୀ ଅାଦି ପ୍ରସ୍ତୁତ କରି ଅର୍ପଣ କରିଥାନ୍ତି। ତାସହ ରାମକୃଷ୍ଣ ଓ ମଦନମୋହନଙ୍କୁ ଜଗମୋହନରେ ଥିବା ଦୋଳିରେ ଝୁଲାଇଥାନ୍ତି। ସେହିପରି ବ୍ରହ୍ମଗିରି ସ୍ଥିତ ଅଲାରନାଥ ପୀଠରେ ମଧ୍ୟ ପରମ୍ପରା ଅନୁସାରେ ପାଳନ ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମନୀତି। ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ବ୍ରହ୍ମପୁର ଅାଦି ପ୍ରମୁଖ ସହରରେ ମଧ୍ୟ ଜନ୍ମାଷ୍ଟମୀକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଉଛି।

ଏପଟେ ଜନ୍ମାଷ୍ଟମୀ ଅବସରରେ ଅାରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜାର ଅାଦ୍ୟପର୍ବ। ମାଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠା ଅାରମ୍ଭ ହୋଇଛି। ଭୁବନେଶ୍ୱରର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ କୁଅାଖାଈ ନଦୀପଠାରେ ପୂଜାର୍ଚ୍ଚନା କରି ମାଟି ଉଠାଯାଇଛି। ସେହିପରି କଟକ ମଙ୍ଗଳାବାଗ ପୂଜା କମିଟି ପକ୍ଷରୁ ମଧ୍ୟ ମହାନଦୀ ପଠାରୁ ମାଟି ଉଠା ସମ୍ପନ୍ନ ହୋଇଛି।

You might also like