ଦୁର୍ଘଟଣାରେ ମୃତ ଦମ୍ପତିକୁ ବୀମା କ୍ଷତିପୂରଣ ମାମଲାର ବିଚାର କରି ଯୁଗାନ୍ତକାରୀ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ

ରୋଜଗାରିଆ ସ୍ୱାମୀ ଭଳି ମୂଲ୍ୟବାନ ଗୃହୀଣୀ ପତ୍ନୀଙ୍କ ଜୀବନ: ସ୍ୱାମୀ ଭଳି ସ୍ତ୍ରୀଙ୍କ ଜୀବନ ବି ସମାନ ମୂଲ୍ୟବାନ

ନୂଆଦିଲ୍ଲୀ: ଜଣେ ରୋଜଗାରିଆ ସ୍ୱାମୀଠୁ କମ୍ ମୂଲ୍ୟବାନ ନୁହେଁ ତାଙ୍କ ଗୃହିଣୀ ପତ୍ନୀଙ୍କ ଜୀବନ। ଅଫିସ୍ ଯାଉଥିବା ସ୍ୱାମୀ ଭଳି ଘର ଚଳାଉଥିବା ସ୍ତ୍ରୀଙ୍କର ଜୀବନ ବି ସମ ପରିମାଣରେ ମୂଲ୍ୟବାନ। ଏପ୍ରିଲ ୨୦୧୪ରେ ଦିଲ୍ଲୀରେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକ ଦମ୍ପତିଙ୍କ ପରିଜନଙ୍କୁ ବୀମାରାଶି ପ୍ରଦାନ ସମ୍ପର୍କିତ ମାମଲାର ବିଚାର ବେଳେ ଏଭଳି କହିଛନ୍ତି ସର୍ବୋଚ୍ଚ କୋର୍ଟ। ତାସହ ମାମଲାର ବିଚାର କରୁଥିବା ଜଷ୍ଟିସ୍ ଏନ୍.ଭି. ରମଣା ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ୧୧ଲକ୍ଷ ୨୦ ହଜାର ଟଙ୍କାର ବୀମା ରାଶିକୁ ୩୩ ଲକ୍ଷ ୨୦ ହଜାର ଟଙ୍କାକୁ ବଢ଼ାଇ ଗତ ମେ ୨୦୧୪ରୁ ବାର୍ଷିକ ୯ ପ୍ରତିଶତ ସୁଧ ହାରରେ ପୀଡ଼ିତଙ୍କ ବାପାଙ୍କୁ ପୈଠ କରିବାକୁ ବୀମା କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଜଣେ ରୋଜଗାରିଆ ସ୍ୱାମୀଙ୍କ ସହ ପତ୍ନୀଙ୍କର ବି ମୃତ୍ୟୁ ହେଲେ ଉଭୟଙ୍କୁ କ୍ଷତିପୂରଣ ମିଳିବା ନେଇ ହୋଇଥିବା ଆବେଦନ ଉପରେ ବିଚାର କରି ଖଣ୍ଡପୀଠ ମହିଳାଙ୍କ ସପକ୍ଷରେ ଏପରି ରାୟ ଦେବାବେଳେ କେତେକ ବଳିଷ୍ଠ ତଥ୍ୟ ଓ ଯୁକ୍ତିର ତର୍ଜମା କରିଥିଲେ। ଏମିତିକି ଟାଇମ୍ ୟୁଜ ଇନ୍ ଇଣ୍ଡିଆ-୨୦୧୯ର ତଥ୍ୟ ଅନୁସାରେ ଜଣେ ଗୃହିଣୀ ଦୈନିକ ନିଜ ଘର ଲୋକଙ୍କ ପାଇଁ ବିନା ମୂଲ୍ୟରେ ୨୯୯ ମିନିଟ୍ ସମୟ ଦେଉଥିବାବେଳେ ଜଣେ କର୍ମଜୀବୀ ପୁରୁଷ ମାତ୍ର ୯୭ ମିନିଟ୍ ଦେଇଥାଏ। ଏମିତିକି ଗ୍ରାମାଞ୍ଚଳର ମହିଳାଙ୍କ କ୍ଷେତ୍ରରେ ସମୟ ଆହୁରି ଅଧିକ। ତେଣୁ ସ୍ୱାମୀଙ୍କ ସମୟଠାରୁ ସ୍ତ୍ରୀଙ୍କ ସମୟ ଓ ଜୀବନ କମ୍ ମୂଲ୍ୟବାନ ନୁହେଁ ବୋଲି ଦର୍ଶାଇଥିବା ନେଇ ସୂଚନା ରହିଛି।

ତେଣେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଯୁଗାନ୍ତକାରୀ ବୋଲି କହିଛନ୍ତି ମହିଳା ଅଧିକାର ସୁରକ୍ଷା କର୍ମୀ। ତାଙ୍କ ମତରେ ମହିଳାଙ୍କ ଜୀବନ ବି କିଛି କମ୍ ମୂଲ୍ୟବାନ ନୁହେଁ ବୋଲି କୋର୍ଟ ଗ୍ରହଣ କରିଛନ୍ତି। ଯେଉଁ କଥାକୁ ବର୍ଷ ବର୍ଷ ଧରି ସଂସଦ ଓ ବିଧାନସଭା ଯାଉଥିବା ଲୋକ ପ୍ରତିନିଧିମାନେ ଜାଣି ପାରୁନଥିଲେ, ତାକୁ ସର୍ବୋଚ୍ଚ ନ୍ୟାୟାଳୟ ବୁଝିଛନ୍ତି।

ପୁରୁଷ ଓ ନାରୀଙ୍କ ମଧ୍ୟରେ ସମାନତାର କଥା କେବଳ କଥାରେ କୁହାଯାଉଥିଲା। ପରିବାର ପାଇଁ ଯେଉଁ ମହିଳାମାନଙ୍କ ସେବା ଓ ଅବଦାନ ଅମୂଲ୍ୟ। ତା’ର ସୁପ୍ରିମକୋର୍ଟ ଆକଳନ କରିଥିବାରୁ ଏହା କେବଳ କର୍ମଜୀବୀଙ୍କୁ ଛାଡ଼ି ବାକି ଅନ୍ୟ ସବୁ ବର୍ଗର ମହିଳାଙ୍କ ପାଇଁ ବେଶ୍ ଉପାଦେୟ ହେବ।

You might also like