ବିଦେଶୀ ପକ୍ଷୀଙ୍କୁ ସୁରକ୍ଷା ଯୋଗାଉଛନ୍ତି ସ୍ଥାନୀୟ ଲୋକେ

ବରଗଡ଼ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ। ବୈଶାଖ ମାସରୁ ଅାସି କାର୍ତ୍ତିକ ଯାଏ ସେମାନେ ରହନ୍ତି ଏହି ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ସହିତ ଏହି ବିଦେଶୀ ପକ୍ଷୀଙ୍କ ଏକ ନିଅାରା ସଂପର୍କ ହୋଇଗଲାଣି। ତେଣୁ ଏହି ବିଦେଶୀ ଅତିଥିଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ସ୍ଥାନୀୟ ଲୋକେ।

ବଡ଼ି ଭୋର୍‌ରୁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ କର୍ଲାଜୋରି ଗାଁରେ ବିଦେଶୀ ଅତିଥିଙ୍କ କିଚିରି ମିଚିର ଶବ୍ଦ ଶୁଭେ। ସେମାନଙ୍କ କଳରବରେ ହିଁ ସକାଳ ହୁଏ। ଏହି ସାରସ ଜାତୀୟ ବିଦେଶୀ ପକ୍ଷୀ ହଜାର ହଜାର ମାଇଲ ଦୂରରୁ ଏହି ଅଞ୍ଚଳକୁ ଟାଣି ହୋଇ ଅାସୁଛନ୍ତି। ଏହି ଅଞ୍ଚଳର ପରିବେଶ ସେମାନଙ୍କୁ ସୁହାଉ ଥିବାରୁ ପ୍ରତିବର୍ଷ ଅକ୍ଷୟ ତୃତୀୟା ପରଠାରୁ ଅାସି ଅଣ୍ଡା ଦିଅନ୍ତି, ଛୁଅା ହେବା ପରେ ସେମାନଙ୍କୁ ଉଡ଼ାଇବା ଶିଖାଇ କାର୍ତ୍ତିକ ମାସ ବେଳକୁ ନିଜ ଠିକଣାକୁ ଫେରି ଯାଅାନ୍ତି। ବର୍ଷ ବର୍ଷ ଧରି ଏମିତି ଚାଲି ଅାସୁଛି। କର୍ଲାଜୋରି ସହିତ ଅନ୍ତାପାଲି, ନିଲେଶ୍ୱର, ଖଣ୍ଡହତା, ବାଲିଜୋରି ଅାଦି ଗାଁରେ ବି ଏହି ବିଦେଶୀ ଅତିଥି ନୀଡ଼ କରି ରହିଥାନ୍ତି।

ଏ ଅଞ୍ଚଳର ଲୋକଙ୍କ ବିଶ୍ୱାସ ଯେ, ଏହି ବିଦେଶୀ ପକ୍ଷୀ ଅାସିଲେ ଭଲ ବର୍ଷା ହେବା ସହିତ ଚାଷବାସ ଭଲ ହୁଏ । ତେଣୁ ସେମାନଙ୍କୁ ନିଜ ଅତିଥି ବୋଲି ଭାବି ନେଇଛନ୍ତି ସ୍ଥାନୀୟ ଲୋକେ। ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏବଂ ଗାଁ ଲୋକଙ୍କୁ ନେଇ ଗଠନ ହୋଇଛି ଇକୋ ଡେଭଲପମେଣ୍ଟ କମିଟି। କମିଟି ପକ୍ଷରୁ ବୃକ୍ଷରୋପଣ କରାଯିବ ସହ ପକ୍ଷୀ ଶିକାର କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ ବି କରାଯାଏ।

Comments
Loading...